ଆଇପିଏଲ୍‌: ଚେନ୍ନାଇର ପ୍ରଥମ ବିଜୟ, ବାଙ୍ଗାଲୋରକୁ ୨୩ ରନରେ ହରାଇଲା

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୨ତମ ମ୍ୟାଚରେ ବାଙ୍ଗାଲୋରକୁ ୨୩ ରନରେ ପରାସ୍ତ କରିଛି ଚେନ୍ନାଇ । ଚଳିତ ଆଇପିଏଲରେ ଏହା ହେଉଛି ଚେନ୍ନାଇର ପ୍ରଥମ ବିଜୟ । ଚେନ୍ନାଇ ଦ୍ବାରା ରଖାଯାଇଥିବା ୨୧୭ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ବାଙ୍ଗାଲୋର ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୯୩ ରନ କରିପାରିଥିଲା । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ମଧ୍ୟଭାଗର ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସଓ୍ବେଲ (୨୬ରନ), ଶାହବାଜ ଅହମ୍ମଦ ( ୪୧ରନ), ସୂର୍ୟ୍ୟାଂଶ ପ୍ରଭୁଦେଶାଇ (୩୪ ରନ) ଓ ଦିନେଶ କାର୍ତ୍ତିକ (୩୪ ରନ) ଦଳ ପାଇଁ ଲଢେଇ କରିଥିଲେ । ଚେନ୍ନାଇ ପକ୍ଷରୁ ମହେଶ ତିକ୍ଷଣା ୪ଟି ଓ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୬ ରନ କରିଥିଲା । ଚେନ୍ନାଇ ଦ୍ବାରା ଏହି ବିଶାଳ ସ୍କୋର ଛିଡ଼ା କରିବାରେ ଓପନର ରବୀନ ଉଥାପ୍ପା ଓ ଶିବମ ଦୁବେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଉଥାପ୍ପା ୮୮ ରନ କରିଥିବାବେଳେ ଦୁବେ ୯୫ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ବାଙ୍ଗାଲୋର ପକ୍ଷରୁ ଜୋସ ହେଜେଲଉଡ୍ ଗୋଟିଏ ଓ ଓ୍ବାନିଣ୍ଡୁ ହସଲଙ୍ଗା ୨ଟି ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଏପର୍ୟ୍ୟନ୍ତ ଚେନ୍ନାଇ ୪ଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏ ମ୍ୟାଚ ଜିତିପାରିନାହିଁ । ଫଳରେ ଗତ ଥରର ଏହି ଚାମ୍ପିଅନ ଦଳ ଶୂନ ପଏଣ୍ଟ ସହ ପଏଣ୍ଟ ଟେବୁଲର ତେଳେ ରହିଛି ।

 

ସମ୍ବନ୍ଧିତ ଖବର