ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୩ ତମ ଲିଗ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି । ହାଇଦ୍ରାବାଦ ଦ୍ବାରା ରଖାଯ଼ାଇଥିବା ୧୭୨ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ମାତ୍ର ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଋତୁରାଜ ଗାଇକ୍ବାଡ୍ ୭୫, ଫାଫ ଡୁପ୍ଲେସିସ ୫୬ ରନ କରି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଜନି ବେୟାରଷ୍ଟୋଙ୍କ ଓ୍ବିକେଟ ହରାଇଥିଲେ ବି ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ମନିଷ ପାଣ୍ଡେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଓ୍ବାର୍ଣ୍ଣର ୫୭ ରନ ଓ ପାଣ୍ଡେ ୬୧ ରନ କରିଥିଲେ । ତେବେ ଶେଷ ଓଭରଗୁଡ଼ିକରେ ବ୍ୟାଟିଂ କରିଥିବା କେନ ଓ୍ବିଲିୟମସନ ଓ କେଦାର ଯାଦବ ଦଳୀୟ ସ୍କୋରକୁ ଏକ ଭଲ ସ୍ତରକୁ ନେଇଯାଇଥିଲେ । ଓ୍ବିଲିୟମସନ ମାତ୍ର ୧୦ଟି ବଲରେ ୨୬ ରନ କରିଥିବାବେଳେ ଯାଦବ ୪ଟି ବଲରେ ୧୨ ରନ କରିଥିଲେ । ଏହା ଫଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ଲିଙ୍ଗି ଏନଗିଡି ୨ଟି ଓ ସାମ କୁରାନ ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର