ଗାଏକ୍ବାଡ ଚମକରେ ଚେନ୍ନାଇ ଜିତିଲା

ଦୁବାଇ: ଆଇପିଏଲ୍‌ର ଦ୍ବିତୀୟ ଚରଣ ଚମତ୍କାର ପ୍ରତ୍ୟାବର୍ତନରୁ ଆରମ୍ଭ ହୋଇଛି। ଏକଦା ୨୪ ରନ୍‌ରେ ଅଧା‌ ଖେଳାଳିଙ୍କୁ ହରାଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ରବିବାର ୨୦ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। କଷ୍ଟେମଷ୍ଟେ ୧୫୬ ରନ୍‌ କରିଥିବା ଚେନ୍ନାଇର ଜବାବରେ ମୁମ୍ବାଇ ୧୩୬/୮ରେ ଅଟକିଯାଇଥିଲା। ସୌରଭ ତିୱାରୀ (୫୦*, ୪୦ ବଲ୍‌) ଏକା ଲଢ଼ିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଏଥି ସହ ଚେନ୍ନାଇ ଚଳିତ ଋତୁର ପ୍ରଥମ ମୁକାବିଲା ପରାଜୟର ପ୍ରତିଶୋଧ ନେଇଛି। ଋତୁରାଜ ଗାଏକ୍ବାଡଙ୍କ ଲଢ଼ୁଆ ଅର୍ଦ୍ଧଶତକ ଏବଂ ଡ୍ବାନ୍ ବ୍ରାଭୋଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଚେନ୍ନାଇକୁ ସହଜ ବିଜୟ ଦେଇଛି।

୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାୱାର ପ୍ଳେ ୬ ଓଭର ଭିତରେ ୨୪ ରନ୍‌ରେ ୪ ୱିକେଟ୍ ହରାଇଥିବା ବେଳେ ଅମ୍ବାତି ରାୟୁଡୁ (୦) ରିଟାୟାର୍ଡ ହର୍ଟ ରୂପେ ‌ଫେରିଯାଇଥିଲେ। ଅର୍ଥାତ୍‌ ଅଧା ‌ଖେଳାଳିଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସଅଳ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ଫାପ୍ ଡୁ ପ୍ଲେସିସ୍‌, ମୋଇନ୍ ଅଲୀ ଖାତା ଖୋଲି ପାରିନଥିଲେ। ଦଳର ସବୁଠୁ ଅଭିଜ୍ଞ ଖେଳାଳି ସୁରେଶ ରାଇନା (୪) ଏବଂ ଅଧିନାୟକ ମହେନ୍ଦ୍ର ସିଂହ‌ ଧୋନି (୩) ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଆହତ ସମସ୍ୟାରୁ‌ ଫେରିଥିବା ଡୁ ପ୍ଲେସିସ୍‌ଙ୍କୁ ନ୍ୟୁଜିଲାଣ୍ଡ୍‌ ଦ୍ରୁତ‌ ବୋଲର୍‌ ଟ୍ରେଣ୍ଟ୍ ବୋଲ୍ଟ ବିଦାୟ ରାସ୍ତା ଦେଖାଇଥିଲେ। ସୁରେଶ ରାଇନାଙ୍କୁ ବୋଲ୍ଟ ଦ୍ବିତୀୟ ଶିକାର କରିଥିଲେ। ଅନ୍ୟ ପାର୍ଶ୍ବରେ ‌ ମୋଇନ୍ ଅଲୀ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ଅନ୍ୟତମ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର୍‌ ଆଦାମ ମିଲ୍‌ନେ ପ୍ୟାଭିଲିଅନ୍‌ ଫେରାଇ ଦେଇଥିଲେ। ଟସ୍‌ ଜିତି ଧୋନି ପ୍ରଥମେ ବ୍ୟାଟିଂ ନେଇ ଲକ୍ଷ୍ୟ ଧାର୍ଯ୍ୟ କରିବା ନିଷ୍ପତ୍ତି ନିଷ୍ଫଳ ରହିବ ବୋଲି ବିବେଚନା କରାଯାଉଥିଲା। ତେବେ ମିନି ଝଡ଼କୁ ମୁକାବିଲା କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକ୍ବାଡ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ଭାଗ୍ୟରେ ବଡ଼ ପରିବର୍ତନ ଆଣିଥିଲେ।

ଋତୁରାଜଙ୍କ ସହ ପଞ୍ଚମ ୱିକେଟ୍‌ ଭାଗୀଦାରିରେ ରବୀନ୍ଦ୍ର ଜାଦେଜା (୨୬, ୩୩ ବଲ୍‌, ୧ ଚୌକା) ୮୧ ରନ୍‌ ଯୋଡ଼ିଥିଲେ। ଏହା ପରେ ଡ୍ବାନ୍ ବ୍ରାଭୋଙ୍କୁ ସାଥି କରି ଗାଏକ୍ବାଡ ଷଷ୍ଠ ୱିକେଟରେ ୩୯ ରନ୍‌ ଯୋଡ଼ିବାରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଅସହାୟ ସ୍ଥିତିରୁ ବାହାରି ୧୫୬ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଦେଇଥିଲା। ଡେଥ୍‌ ଓଭରରେ ଯଶପ୍ରୀତ୍ ବୁମରା ରବୀନ୍ଦ୍ର ଜାଦେଜା ଓ ଡ୍ବାନ୍ ବ୍ରାଭୋଙ୍କୁ ଆଉଟ୍ କରିଥିଲେ। ଶେଷ ୩ ଓଭରରୁ ଚେନ୍ନାଇ ୪୯ ରନ୍‌ ଆଦାୟ କରିଥିଲା। ୧୯ତମ ଓଭରରେ ବୋଲ୍ଟଙ୍କୁ ବ୍ରାଭୋ ୩ ଛକା ମାରିଥିବା ବେଳେ ଚେନ୍ନାଇ ୨୪ ରନ୍‌ ଆଦାୟ କରିଥିଲା। ସେହିଭଳି ୨୦ତମ ଓଭରରେ ଯଶପ୍ରୀତ୍ ବୁମରାଙ୍କଠାରୁ ଗାଏକ୍ବାଡ ୧୫ ରନ୍‌ ଆଦାୟ କରିବାରେ ସକ୍ଷମ ହୋଇଥିଲେ। ପାଳି ସାରା ଅପରାଜିତ ରହିଥିବା ଗାଏକ୍ବାଡ ନିଜ ଷଷ୍ଠ ଆଇପିଏଲ୍‌ ଅର୍ଦ୍ଧଶତକ ୪୧ ବଲ୍‌ରୁ ପୂର୍ଣ୍ଣ କରିଥିଲେ। କିନ୍ତୁ ଶେଷ ବେଳକୁ ୫୮ ବଲ୍‌ରୁ ୮୮* ରନ୍‌ କରିଥିଲେ। ଏହା ମଧ୍ୟରେ ୯ ଚୌକା ଓ ୪ ଛକା ସାମିଲ ଥିଲା। ଏହି ପାଳି ଅବସରରେ ଗାଏକ୍ବାଡ ବୋଲ୍ଟ ଏବଂ ବୁମରାଙ୍କୁ ସ୍ବିପ୍‌ ସଟ୍‌ ଜରିଆରେ ଛକା ମାରି ପ୍ରଶଂସକ ଓ କ୍ରିକେଟ୍ ପଣ୍ଡିତଙ୍କଠାରୁ ପ୍ରଶଂସା ସାଉଣ୍ଟିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହାର ୩ ଦ୍ରୁତ ବୋଲର ବୋଲ୍ଟ, ମିଲ୍‌ନେ ଏବଂ ବୁମ୍‌ରା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥ‌ିଲେ।

ବୁମରାଙ୍କ ଶତକ
ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ରବିବାର ନିଜର ୧୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ନିର୍ଦେଶକ ତଥା ପୂର୍ବତନ ଦ୍ରୁତ ବୋଲର ଜାହିର୍‌ ଖାନ୍‌ ଏକ ସ୍ବତନ୍ତ୍ର ଜର୍ସି ପ୍ରଦାନ କରିଥିଲେ, ଯେଉଁଥିରେ ଏମ୍ବ୍ରଡୋରିରେ ୧୦୦ ଲେଖାଥିଲା। ବୁମ୍‌ରା ତାଙ୍କର ଏହି ଶତକୀୟ ମ୍ୟାଚ୍‌ରେ ଦଳକୁ ନିରାଶ କରିନଥିଲେ। ୪ ଓଭରରେ ୩୩ ରନ୍ ବିନିମୟରେ ୨ ୱିକେଟ୍ ନେଇଥିଲେ। ବ୍ରାଭୋ ଓ ଜାଦେଜାଙ୍କ ଦୁଇ ଗୁରୁ୍ତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଥିଲେ। ୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିବା ବୁମରା ୧୦୦ତମ ମ୍ୟାଚ୍‌ ସୁଦ୍ଧା ୧୧୭ ୱିକେଟ୍ ନେଇସାରିଛନ୍ତି। ଦଳର ଷଷ୍ଠ ‌ଖେଳାଳି ଭାବେ ସେ ୧୦୦ ମ୍ୟାଚ୍‌ ମାଇଲଖୁଣ୍ଟ୍ ଛୁଇଁଛନ୍ତି।

ପୋଲାର୍ଡ ଅଧିନାୟକ
ରୋହିତ ଶର୍ମାଙ୍କ ବଦଳରେ କିରଣ ପୋଲାର୍ଡ ରବିବାର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ବ କରିଥିଲେ। ଟସ୍ ବେଳେ ଏହା ଜଣାପଡ଼ିବାରୁ ରୋହିତ କିନ୍ତୁ କ’ଣ ପାଇଁ ଉପଲବ୍‌ଧ ନାହାନ୍ତି କହିନଥିଲେ। ରୋହିତ ଭଲ ଅଛନ୍ତି ବୋଲି କହିଥିଲେ। ରୋହିତଙ୍କ ଭଳି ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ମୁମ୍ବାଇ ଚୂଡାନ୍ତ ଏକାଦଶରେ ନେଇନଥିଲା। ତେବେ ମୁମ୍ବାଇ ପାଇଁ ୨୩ ବର୍ଷୀୟ ପଞ୍ଜାବୀ ବ୍ୟାଟ୍ସମ୍ୟାନ୍‌ ଅ‌ନମୋଲ୍‌ପ୍ରୀତ୍‌ ସିଂହ ଆଇପିଏଲ୍‌ ପଦାର୍ପଣ କରିଥିଲେ। ପାଳି ଆରମ୍ଭର ସୁଯୋଗ ପାଇଥିଲେ ମଧ୍ୟ ୧୬ ରନ୍ (୧୪ ବଲ୍‌, ୨ ଚୌକା, ୧ ଛକା) କରି ଦୀପକ ଚହରଙ୍କ ଶିକାର ହୋଇଥିଲେ।

 

ସମ୍ବନ୍ଧିତ ଖବର