ଚେନ୍ନାଇର ସପ୍ତମ ବିଜୟ

‌କୋଲକାତା: ଚଳିତ ଆଇପିଏଲ୍‌ରେ ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସର ବିଜୟ ଧା‌ରା ଜାରି ରହିଛି। ଅଷ୍ଟମ ମ୍ୟାଚ୍‌ରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସପ୍ତମ ବିଜୟ ହାସଲ କରି ଶୀର୍ଷ ସ୍ଥାନକୁ ସୁଦୃଢ଼ କରିନେଇଛି। ରବିବାର ଖେଳାଯାଇଥିବା ୨୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅତି ସହଜରେ ୫ ୱିକେଟ୍‌ରେ ହରାଇ ଚେନ୍ନାଇ ଏହି ସ୍ଥିତି ପାଇଛି। ଚେନ୍ନାଇର ଏହି ବିଜୟରେ ଇମ୍ରାନ ତାହିରଙ୍କ ୪ ୱିକେଟ୍ ଏବଂ ସୁରେଶ ରାଇନା (୫୮* ରନ୍, ୪୨ ବଲ୍, ୭ ଚୌକା, ୧ ଛକା)ଙ୍କ ଅପରାଜିତ ଅର୍ଧଶତକ ନିର୍ଣ୍ଣାୟକ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ୫ରୁ ୪ ମ୍ୟାଚ୍ ଜିତିବା ପରେ କୋଲକାତା ନାଇଟ୍‌ ରାଇଡର୍ସ ଲଗାତାର ତୃତୀୟ ପରାଜୟ ବରଣ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା କୋଲକାତା ନାଇଟ୍ ରାଇଡର୍ସ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବା ଫଳରେ ଲଢ଼ୁଆ ସ୍କୋର୍ କରିପାରିନଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍ ଲିନ୍‌ (୮୨, ୫୧ ବଲ୍‌, ୭ ଚୌକା, ୬ ଛକା)ଙ୍କ ଛଡ଼ା ଅନ୍ୟ କେହି ଲମ୍ବା ଖେଳି ପାରିନଥିଲେ। ସୁନୀଲ ନରିନ୍‌ (୨), ରବିନ୍‌ ଉଥପ୍ପା (୦), ଦୀନେଶ କାର୍ତିକ (୧୮), ନୀତିଶ ରାଣା (୨୧), ଆନ୍ଦ୍ରେ ରସେଲ (୧୦, ୪ ବଲ୍‌) ଏବଂ ଶୁଭମନ୍ ଗିଲ୍ (୧୫) ପ୍ରମୁଖ ବିଫଳ ରହିଥିଲେ। ଲିନ୍, ରାଣା, କାର୍ତିକ ଏବଂ ରସେଲଙ୍କ ୱିକେଟ୍‌ ଦଖଲ କରି ଦକ୍ଷିଣ ଆଫ୍ରିକୀୟ ସ୍ପିନର୍ ଇମ୍ରାନ ତାହିର (୪-୦-୨୭-୪) ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ସାର୍ଦୁଲ ଠାକୁର (୪-୦-୧୮-୨) ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ଜବାବରେ ଚେନ୍ନାଇ ସେନ୍ ୱାଟସନ୍ (୬)ଙ୍କୁ ସଅଳ ହରାଇଥିଲେ ମଧ୍ୟ ଫାପ୍ ଡୁ ପ୍ଲେସିସ୍ (୨୪, ୧୬ ବଲ୍‌) ଏବଂ ସୁରେଶ ରାଇନା (୫୮*, ୪୨ ବଲ୍‌, ୭‌ ଚୌକା, ୧ ଛକା) ପାଳି ସମ୍ଭାଳି ନେଇଥିଲେ। ଅମ୍ବାତି ରାୟୁଡୁ (୫)ଙ୍କ ବିଫଳତା ପରେ କେଦାର ଯାଦବ (୨୦, ୧୨ ବଲ୍‌), ମହେନ୍ଦ୍ର ସିଂହ ଧୋନି (୧୬, ୧୩ ବଲ୍‌) ଏବଂ ରବୀନ୍ଦ୍ର ଜାଦେଜା (୩୧*, ୧୭ ବଲ୍‌, ୫ ଚୌକା)ଙ୍କୁ‌ ସାଥୀ କରି ରାଇନା ଦଳକୁ ବିଜୟୀ କରାଇଥିଲେ। ୨ ବଲ୍ ପୂର୍ବରୁ ଚେନ୍ନାଇ ୫ ୱିକେଟ୍ ହରାଇ ୧୬୨ ରନ୍ କରି ନେଇଥିଲା। କୋଲକାତା ପାଇଁ ଦୁଇ ସ୍ପିନର୍‌ ସୁନୀଲ ନରିନ୍‌ (୪-୧-୧୯-୨) ଏବଂ ପୀୟୂଷ ଚାୱଲା (୩.୪-୦-୩୨-୨) ସଫଳ ବୋଲର ଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ଏହା ଯଥେଷ୍ଟ ନ ଥିଲା। ତାହିରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ‌ ସ୍କୋର: କୋଲକାତା ନାଇଟ୍‌ ରାଇଡର୍ସ: ୨୦ ଓଭରରେ ୧୬୧/୮ (କ୍ରିସ୍ ଲିନ୍-୮୨, ନୀତିଶ ରାଣା-୨୧, ଇମ୍ରାନ ତାହିର୍-୪/୨୭, ସାର୍ଦୁଲ ଠାକୁର-୨/୧୮, ମିଚେଲ୍ ସାଣ୍ଟନର୍-୧/୩୦)। ଚେନ୍ନାଇ ସୁପର୍ କିଙ୍ଗ୍ସ: ୧୯.୪ ଓଭରରେ ୧୬୨/୫ (ସୁରେଶ ରାଇନା-୫୮*, ରବୀନ୍ଦ୍ର ଜାଦେଜା-୩୧*, ସୁନୀଲ ନରିନ୍-୨/୧୯, ପୀୟୂଷ ଚାୱଲା-୨/୩୨)।

ସମ୍ବନ୍ଧିତ ଖବର