ଚେନ୍ନାଇର ହ୍ୟାଟ୍ରିକ୍ ବିଜୟ

ଚେନ୍ନାଇ: ଆଇପିଏଲ୍‌ ଦ୍ବାଦଶ ସଂସ୍କରଣ ଦ୍ବାଦଶ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୮ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଚେନ୍ନାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ଚେନ୍ନାଇର ୧୭୫ ରନ୍ ଜବାବରେ ରାଜସ୍ଥାନ ୧୬୭/୮ରେ ସୀମିତ ରହିଥିଲା। ବେନ୍ ଷ୍ଟୋକ୍ସ (୪୬, ୨୬ ବଲ, ୧ ଚୌକା, ୩ ଛକା) ଏକା ଲଢ଼ିଥିଲେ। ଶେଷ ଓଭର ପ୍ରଥମ ବଲରେ ଆଉଟ୍ ହୋଇଯିବାରୁ ରାଜସ୍ଥାନ ଆବଶ୍ୟକ ୧୨ ରନ୍ ଆଦାୟ କରିନପାରି ନଥିଲେ। ପୂର୍ବରୁ ଚେପକରେ ରବିବାର ରାତିରେ ୩ ଥର ବିଜେତା ଚେନ୍ନାଇର ସଫଳତମ ଏହି ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜକୁ ପୁଣି ଥରେ ଶ୍ରେଷ୍ଠ ଫିନିସର୍ ବୋଲି ପ୍ରମାଣିତ ମଧ୍ୟ କରିଥିଲେ। ଦଳକୁ ଗଭୀର ସଙ୍କଟରୁ ଉଦ୍ଧାର କରିବା ସହିତ ବଡ଼ ସ୍କୋର୍ ମଧ୍ୟ ପ୍ରଦାନ କରିଛନ୍ତି। ଚେପକ୍ ଷ୍ଟାଡିୟମ୍‌ରେ ନିଜର ସର୍ବାଧିକ ବ୍ୟକ୍ତିଗତ ଆଇପିଏଲ୍ ସ୍କୋର୍‌ (୭୫*) କରି ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୧୭୫ ରନ୍‌ରେ ପହଞ୍ଚାଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ଚେନ୍ନାଇ ୧୪ତମ ଓଭରରେ ୮୮/୪ରେ ସଂଘର୍ଷ କରୁଥିଲା। ଏହା ପୂର୍ବରୁ ୨୭/୩ରେ ଥିବାରୁ ଦଳର ରନ୍‌ ଗତି ବି ଦୁର୍ବଳ ଥିଲା। ସୁରେଶ ରାଇନା (୩୬, ୩୨ ବଲ)ଙ୍କୁ ନେଇ ଚତୁର୍ଥ ୱିକେଟ୍‌ରେ ୬୧ ରନ୍ ଯୋଡ଼ିଥିଲେ ଧୋନି। ଏହା ପରେ ଡ୍ବାନ୍ ବ୍ରାଭୋ (୨୭, ୧୬ ବଲ, ୩ ଚୌକା, ୧ ଛକା)ଙ୍କୁ ନେଇ ମଧ୍ୟ ଆଉ ଏକ ଅର୍ଧଶତକୀୟ ଭାଗୀଦାରି (୫୬) କରିଥିଲେ। ୩୯ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଧୋନି ଶେଷକୁ ତାଙ୍କ ପୁରୁଣା ଷ୍ଟାଇଲ୍ ଆକ୍ରାମକ ରୂପ ଦେଖାଇଥିଲେ। ୪୬ ବଲରୁ ୪ ଲେଖାଏଁ ଚୌକା ଓ ଛକା ମାରି ୭୫* ରନ୍ କରିଥିଲେ। ଶେଷ ୩ ଓଭରରୁ ଚେନ୍ନାଇ ୬୦ ରନ୍ ଆଦାୟ କରିଥିଲେ। ୧୮ତମ ଓଭରରେ ଧୋନି-ବ୍ରାଭୋ ୨୪ ରନ୍ (କୁଲକର୍ଣି) ଏବଂ ୨୦ତମ ଓଭରରେ ଜାଦେଜା-ଧୋନି ୨୮ ରନ୍‌ (ଉନାଦକତ) ଆଦାୟ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗସ ୨୦ ଓଭରରେ ୧୭୫/୫ (ମହେନ୍ଦ୍ର ସିଂହ ଧୋନି-୭୫*, ସୁରେଶ ରାଇନା-୩୬, ଡ୍ବାନ ବ୍ରାଭୋ-୨୭, ରବୀନ୍ଦ୍ର ଜାଦେଜା-୮*, ଜୋଫ୍ରା ଆର୍ଚର-୨/୧୭, ବେନ୍ ଷ୍ଟୋକ୍ସ-୧/୩୦, ଧବଲ କୁଲକର୍ଣି-୧/୩୭, ଜୟଦେବ ଉନାତକତ୍‌-୧/୫୪୦। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୬୭/୮ (ବେନ୍ ଷ୍ଟୋକ୍ସ-୪୬, ରାହୁଲ ତ୍ରିପାଠୀ-୩୯, ଷ୍ଟିଭେନ୍ ସ୍ମିଥ୍-୨୮, ଦୀପକ ଚହର-୨/୧୯, ଇମ୍ରାନ୍ ତାହିର-୨/୨୩, ଡ୍ବାନ୍ ବ୍ରା‌ଭୋ-୨/୩୨, ସାର୍ଦୁଲ ଠାକୁର-୨/୪୨)।

ସମ୍ବନ୍ଧିତ ଖବର