ଚେନ୍ନାଇର ପ୍ଲେ ଅଫ୍‌ ପକ୍କା

ସାରାଜା : ଆଇପିଏଲ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରି‌ନେଇଛି। ବୋଲରମାନେ ହାଇଦ୍ରାବାଦକୁ ୧୩୪ ରନ୍‌ରେ ସୀମିତ ରଖିବା ପରେ ଚେନ୍ନାଇ ପ୍ରାରମ୍ଭିକ ଯୋଡ଼ି ଋତୁରାଜ ଗାଏକ୍ବାଡ ଓ ଫାପ୍ ଡୁ ପ୍ଲେସିସ୍ ୧୦ ଓଭରରେ ୭୫ ରନ୍‌ ଯୋଡ଼ି ବିଜୟ ଲକ୍ଷ୍ୟକୁ ସହଜ କରିଦେଇଥିଲେ। ଜାସନ୍ ହୋଲ୍ଡର ୩ ୱି‌କେଟ୍ ଦଖଲ କରି ରୋମାଞ୍ଚ ଭରିଥିଲେ ମଧ୍ୟ ଅମ୍ବାତି ରାୟୁଡୁ ଏବଂ ଏମ୍‌ଏସ୍‌ ଧୋନି ୨ ବଲ୍‌ ପୂର୍ବରୁ ଦଳକୁ ବିଜୟୀ କରାଇଥ‌ିଲେ। ସିଦ୍ଧାର୍ଥ କୌଲଙ୍କୁ ବିଶାଳ ଛକା ମାରି ମହେନ୍ଦ୍ର ସିଂହ ଧୋନି ମ୍ୟାଚ୍‌ ଶେଷ କରିଥିଲେ। ଚେନ୍ନାଇ ନବମ ବିଜୟ ସହ ଏକାଦଶ ଥର ପାଇଁ ଶୀର୍ଷ ୪ ଦଳରେ ସାମିଲ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ନବମ ପରାଜୟ ସହ ପ୍ଲେ ଅଫ୍‌ ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛି। ପୂର୍ବରୁ ହାଇଦ୍ରାବାଦର ହୋସ୍ ଉଡ଼ାଇଥିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍‌। ଟସ୍ ଜିତି ଧୋନି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ପରେ ହାଜେଲଉଡ୍ ପ୍ରଥମେ ଜାସନ୍ ରୟଙ୍କୁ କଟ୍ ବିହାଇଣ୍ଡ୍‌ କରାଇ ନେଇଥିଲେ। ଏହା ପରେ କେନ୍‌ ୱିଲିୟମ୍‌ସନ୍ ଏବଂ ପ୍ରିୟମ ଗର୍ଗଙ୍କୁ ଡ୍ବାନ୍ ବ୍ରାଭୋ ଆଉଟ୍ କରି ହାଇଦ୍ରାବାଦ ପାଳିକୁ ଅସ୍ଥିର କରି ପକାଇଥିଲେ। ହାଜ୍‌ଲେଉଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର