ଇଡେନ୍ ଗାର୍ଡେନ୍ସରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
କୋଲକାତା: ଚେପକ୍ ପରାଜୟର ପ୍ରତିଶୋଧ ଇଡେନ୍ ଗାର୍ଡେନ୍ସରେ ନେଇଯାଇଛି ସିଏସ୍କେ। ୮ ୱିକେଟ୍ରେ ହାରିଥିଲା, ଏଥର ୨ ୱିକେଟ୍ରେ ଜିତିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସିଏସ୍କେ ବୁଧବାର ରାତିରେ କୋଲକାତା ନାଇଟ୍ ରାଇଡର୍ସର ପ୍ଳେ ଅଫ୍ ଆଶାରେ ମଧ୍ୟ ଶକ୍ତ ଝଟକା ବି ଲଗାଇଛି। ବିଜୟୀ ହୋଇ ଧୋନି ମଧ୍ୟ ଇଡେନ୍କୁ ବିଦାୟ ଜଣାଇଛନ୍ତି। ୧୮୦ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ଚେନ୍ନାଇ ପାୱାର ପ୍ଲେ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ତଥାପି ୧୧ତମ ଓଭରରେ ବୈଭବ ଅରୋରାଙ୍କଠାରୁ ୩୦ ରନ୍ (୬,୪,୪,୬,୬,୪) ଆଦାୟ କରି ଦିୱାଦ ବ୍ରେଭିସ୍ (୨୫ ବଲ୍ରୁ ୫୨ ରନ୍) ଆଶା ଦେଖାଇଥିଲେ। ପରବର୍ତ୍ତୀ ଓଭରରେ କିନ୍ତୁ ବରୁଣ ଚକ୍ରବର୍ତ୍ତୀ ତାଙ୍କୁ ଆଉଟ୍ କରି ଦେଇଥିଲେ। ଏହି ସମୟରେ ଆସିଥିଲେ ଇଡେନ୍ର ଧଡ଼କନ୍ ମହେନ୍ଦ୍ର ସିଂହ ଧୋନି। ନିୟମିତ ସିଙ୍ଗଲ୍ ରନ୍ ଚୋରାଇଥିଲେ। ଦୁବେଙ୍କ ବିଦାୟ ପରେ ଶେଷ ଓଭରରେ ରସେଲଙ୍କୁ ଧୋନି ଲମ୍ବା ଛକା ମାରିଥିଲେ। ଅଂଶୁଲ କମ୍ବୋଜ କିନ୍ତୁ ଚୌକା ମାରି ଧୋନିଙ୍କୁ ବିଜୟ ଭେଟି ଦେଇଥିଲେ।
‘କର ବା ମର’ ସ୍ଥିତିରେ ଥିବା କେକେଆର୍ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ। ବଡ଼ ସ୍କୋର୍ ହେବ ବୋଲି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଇଡେନ୍ ପିଚ୍ ଡବଲ୍ ପେସ୍ ଖେଳିବାରୁ ବୋଲରଙ୍କୁ ସହାୟତା ମିଳିଥିଲା। ରହମାନୁଲ୍ଲା ଗୁରବାଜ ଦ୍ବିତୀୟ ଓଭରରେ ଅଂଶୁଲ କମ୍ବୋଜଙ୍କ ଶିକାର ହୋଇଯାଇଥିଲେ। କିନ୍ତୁ ରାହାଣେ ଓ ନାରାୟଣ ୫୮ ରନ୍ର ଭାଗୀଦାରି କରି ପ୍ରାରମ୍ଭିକ ବିପର୍ଯ୍ୟୟ ଏଡ଼ାଇଥିଲେ। ମିଡଲ୍ ଓ ଡେଥ୍ ଓଭରରେ ଆଫଗାନିସ୍ତାନ ସ୍ପିନର୍ ନୂର ଅହମ୍ମଦ ଚମତ୍କାର ବୋଲିଂ କରିବାରୁ କେକେଆର୍ ହାତଖୋଲା ସଟ୍ ଖେଳିପାରିନଥିଲା। ସଫଳତମ ବୋଲର୍ ଭାବେ ନୂର (୪-୦-୩୧-୪) ସୁନୀଲ ନାରାୟଣ, ଅଙ୍ଗକ୍ରିସ୍ ରଘୁବଂଶୀ, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂହଙ୍କ ୱିକେଟ୍ ନେଇଥିଲେ। ଇମ୍ପାକ୍ଟ ଖେଳାଳି ମନୀଷ ପାଣ୍ଡେ ବିଶେଷ ପ୍ରଭାବ ଛାଡ଼ିପାରିନଥିଲେ। ୩୬* ରନ୍ ପାଇଁ ୨୮ ବଲ୍ ଖେଳିଥିଲେ। ନିଜ ପ୍ରଥମ ୩ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମଥିଶା ପଥିରଣା କିନ୍ତୁ ଶେଷ ଓଭରରେ ୬ଟି ସିଙ୍ଗଲ୍ ଦେଇ ଏହାର ଭରଣା କରିଥିଲେ। ରାହାଣେଙ୍କ ୩୩ ବଲ୍ ୪୮ ରନ୍ ଏବଂ ରସେଲଙ୍କ ୨୧ ବଲ୍ ୩୮ ରନ୍ ଘରୋଇ ଦଳକୁ ୧୭୯ ରନ୍ରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଥିଲା।
ସଂକ୍ଷିପ୍ତ ସ୍କୋର୍: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୭୯/୬ (ଅଜିଙ୍କ୍ୟ ରାହାଣେ-୪୮, ଆନ୍ଦ୍ରେ ରସେଲ-୩୮, ମନୀଷ ପାଣ୍ଡେ-୩୬*, ସୁନିଲ ନାରାୟଣ-୨୬, ନୂର ଅହମ୍ମଦ-୪/୩୧, ରବୀନ୍ଦ୍ର ଜାଡ଼େଜା-୧/୩୪, ଅଂଶୁଲ କମ୍ବୋଜ-୧/୩୮)। ଚେନ୍ନାଇ ସୁପର୍ କିଙ୍ଗ୍ସ ୧୯.୪ ଓଭରରେ ୧୮୩/୮ (ଦିୱାଦ ବ୍ରେଭିସ୍-୫୨, ଶିବମ ଦୁବେ-୪୫, ଉର୍ଭିଲ ପଟେଲ୍-୩୧, ମହେନ୍ଦ୍ର ସିଂହ ଧୋନି-୧୭*, ବୈଭବ ଅରୋରା-୩/୪୮, ବରୁଣ ଚକ୍ରବର୍ତ୍ତୀ-୨/୧୮, ହର୍ଷିତ ରାଣା-୨/୪୩, ମୋଇନ୍ ଅଲୀ-୧/୨୩)।