ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୪୯ତମ କେନ୍ଦ୍ରୀୟ ବିଦ୍ୟାଳୟ ସମୂହ (କେଭିଏସ୍‌) ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଚେସ୍‌, ଯୋଗ, ଖୋଖୋ ଓ ଭଲିବଲ୍‌କୁ ନେଇ ଆୟୋଜିତ ଏହି ୪ ଦିନିଆ ପ୍ରତିଯୋଗିତାରେ ବିଭିନ୍ନ ବୟସ ବର୍ଗରେ ୨୫ ଆଞ୍ଚଳିକ ଦଳର ପାଖାପାଖି ୨୪୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଚେସ୍‌ରେ ଭୁବନେଶ୍ୱର ଦଳ ସବୁଠୁ ଅଧିକ ସଫଳତା ପାଇଥିଲା। ୧୪ ବର୍ଷରୁ କମ୍‌ ଚେସ୍‌ରେ ଭୁବନେଶ୍ୱର ବାଳିକା ଦଳ ପ୍ରଥମ ହୋଇଥିଲା ବେଳେ ବାଳକ ଦଳ ତୃତୀୟ ସ୍ଥାନ ଦଖଲ କରିଥିଲା। ସେହିପରି ବ୍ୟକ୍ତିଗତ ବର୍ଗରେ ବିଜୟଲକ୍ଷ୍ମୀ ବାରିକ ଶୀର୍ଷରେ ଏବଂ ଅନୁଷ୍କା ମହାନ୍ତି ତୃତୀୟରେ ରହି ପୁରସ୍କୃତ ହୋଇଥିଲେ। ୧୯ ବର୍ଷରୁ କମ୍‌ ବାଳକ ଚେସ୍‌ରେ ଭୁବନେଶ୍ୱର ଦଳ ତୃତୀୟ ସ୍ଥାନରେ ରହିଥିଲା ବେଳେ ମୁମ୍ବାଇ ପ୍ରଥମ ଏବଂ ଏର୍ନାକୁଲମ ଦ୍ୱିତୀୟରେ ରହିଥିଲା। ଖୋ ଖୋରେ ଭୁବନେଶ୍ୱର ଦଳ ରାଞ୍ଚିକୁ ପରାସ୍ତ ତୃତୀୟ ସ୍ଥାନରେ ପାଇଥିଲା। ଯୋଗରେ ୧୭ ବର୍ଷରୁ କମ୍‌ ବାଳିକା ଦଳ ବିଜେତା ହୋଇଥିଲା ବେଳେ ୧୯ ବର୍ଷରୁ କମ୍‌ ବ୍ୟକ୍ତିଗତ ବର୍ଗରେ ପଦ୍ମଶ୍ରୀ ମହାନ୍ତି ଦ୍ୱିତୀୟ ଏବଂ ୧୪ ବର୍ଷରୁ କମ୍‌ ବାଳକ ବ୍ୟକ୍ତିଗତ ବର୍ଗରେ ଆଶିଷ କୁମାର କାଲୋ ଶୀର୍ଷ ସ୍ଥାନରେ ରହିଥିଲେ। ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେଭିଏସ୍‌ ଉପାୟୁକ୍ତ (ଭୁବନେଶ୍ୱର) ଡକ୍ଟର ଏଭିଏଲ୍‌ ଜଗନ୍ନାଥ ରାଓ, ମୁଖ୍ୟ କାର୍ଯ୍ୟାଳୟ ସହକାରୀ ଆୟୁକ୍ତ (ଏକାଡେମିକ୍‌) ଇନ୍ଦୁ କୌସିକ୍‌, ସହକାରୀ ଆୟୁକ୍ତ (ଭୁବନେଶ୍ୱର) ଡକ୍ଟର ଡି ଓଝା, ଅନ୍ତର୍ଜାତୀୟ ଭଲିବଲ୍‌ ଖେଳାଳି ଲୋତକବିନ୍ଦୁ ଦାଶ, ଅନ୍ତର୍ଜାତୀୟ ଖୋ ଖୋ ଖେଳାଳି ମନ୍ଦାକିନୀ ମାଝି ଏବଂ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଅପରାଜିତ ଗୋଛିକାର ପ୍ରମୁଖ ଉପସ୍ଥିତ ଥିଲେ।