ଜେଲ୍‌ରେ ଚେସ୍‌: ପ୍ରିଜନ୍ ଟୁ ପ୍ରାଇଡ୍‌

ଭୁବନେଶ୍ବର : ବନ୍ଦୀମାନଙ୍କ ବୌଦ୍ଧିକ ବିକାଶ ତଥା ସେମାନଙ୍କୁ ମୁଖ୍ୟ ଶ୍ରୋତକୁ ଆଣିବା ଲକ୍ଷ୍ୟରେ ରାଜ୍ୟର ଦୁଇଟି ପ୍ରମୁଖ ଜେଲ୍‌ରେ ନିଆରା ପ୍ରୟାସ କରାଯାଇଛି। ପ୍ରିଜନ୍ ଟୁ ପ୍ରାଇଡ୍‌ ଯୋଜନା ଅଧିନରେ ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାର ଏବଂ କଟକ ଚୌଦ୍ବାରସ୍ଥିତ ମଣ୍ଡଳ କାରାଗାର ଅନ୍ତେବାସୀଙ୍କୁ ଏଥିରେ ସାମିଲ କରାଯାଇଛି। ଚୌଦ୍ବାରରେ ୨୫ ଜଣଙ୍କୁ ଏବଂ ଝାରପଡ଼ାରେ ୨୫ ଜଣଙ୍କୁ ଭାରତୀୟ ତୈଳ ନିଗମ ପ୍ରା‌‌‌ୟୋଜିତ ଖେଳାଳି ଭାବେ ଇତିମଧ୍ୟରେ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଆସନ୍ତା ଅକ୍ଟୋବର ୧୩ ଓ ୧୪ ତାରିଖରେ ଫିଡେ ଦ୍ବାରା ଆୟୋଜିତ ବିଶ୍ବ ଅନ୍‌ଲାଇନ୍‌ ପ୍ରିଜନ୍ସ ଚେସ୍‌ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବାର ସ‌ୁଯୋଗ ପାଇବେ।

ଉଭୟ କାରାଗାରରେ ଅନ୍ତର୍ଜାତୀୟ ଚେସ୍‌ ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ, ଏସ୍‌ଆର୍‌ ଚେସ୍‌ର ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ, ବରିଷ୍ଠ ପ୍ରଶିକ୍ଷକ ସୁବାସ ଚନ୍ଦ୍ର ଶତପଥୀ, ଅନ୍ତର୍ଜାତୀୟ‌ ରେଟେଡ୍‌ ଖେଳାଳି ଅବିନାଶ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ଗୁଣାତ୍ମକ ଚେସ୍‌ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଭାରତୀୟ ତୈଳ ନିଗମର ମୁଖ୍ୟ ମହାପ୍ରବଂଧକ ଡିପି ଶତପଥୀ, ବରିଷ୍ଠ କ୍ରୀଡ଼ା ଅଧିକାରୀ ମହୁଆ ପାଣିଗ୍ରାହୀ, ଆଞ୍ଚଳିକ ପ୍ରବଂଧକ (ମାନବ ସମ୍ବଳ) ଏସ୍ କେ ପାଣିଗ୍ରାହୀ, ଏଲ୍ ଗୋପୀକା ସହଯୋଗ କରୁଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ବାର ମଣ୍ଡଳ କାରାଗାର ଅଧୀକ୍ଷକ ପ୍ରଦୀପ୍ତ କୁମାର ବେହେରା, ଜେଲର୍‌ ବିଭେଦ ଭୂ୍ୟାଁ ଏବଂ ଝାରପଡ଼ା ସ୍ବତନ୍ତ୍ର କାରାଗାରଠାରେ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଏକ ଗେମ୍ ଖେଳି ଏହାର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର