ଭୁବନେଶ୍ବର: କିଟ୍ ଓ ନିଖିଳ ଚେସ୍ ସଂଘ ଆନୁକୂଲ୍ୟରେ କିଟ୍ କ୍ୟାମ୍ପସ୍ରେ ମେ’ ୩୧ ତାରିଖରୁ ଚାଲିଥିବା ଦ୍ବାଦଶ କିଟ୍ ଚେସ୍ ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ମୋଟ ୩ ବର୍ଗ (ଏ, ବି, ସି)ରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ୧୯୦୦ ଓ ତା’ଠୁ କମ୍ ‘ବି’ ବର୍ଗ ଜୁନ୍ ୩ ତାରିଖରେ ଶେଷ ହୋଇଯାଇଥିଲା ବେଳେ ୨୦୦୦ ଓ ତା’ଠୁ ଅଧିକ ‘ଏ’ ବର୍ଗ ଏବଂ ୧୬୦୦ ଓ ତା’ଠୁ କମ୍ ‘ସି’ ବର୍ଗ ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି। ‘ଏ’ ବର୍ଗରେ ଭେନେଜୁଏଲା ଜିଏମ୍ ଇତୁରିଯାଗା ବୋନେଲି ଏଡୁୱାର୍ଡୋ ସର୍ବାଧିକ ୮ ପଏଣ୍ଟ୍ ପାଇ ବିଜେତା ହୋଇଥିଲା ବେଳେ ୟୁକ୍ରେନ୍ ଜିଏମ୍ ନେଭେରୋଭ୍ ଭାଲେରିଟି (୮ ପଏଣ୍ଟ୍) ଏବଂ ଆର୍ମେନିଆର ତେର୍ ସାହାକ୍ୟାନ୍ ସାମ୍ଭେଲ୍ (୮ପଏଣ୍ଟ୍) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ‘ସି’ ବର୍ଗରେ ପ୍ରଥମ ଦୁଇଟି ସ୍ଥାନ ଓଡ଼ିଆ ଖେଳାଳି ଲାଭ କରିଛନ୍ତି। ବିଶାଳ ପଟ୍ଟନାୟକ ସର୍ବାଧିକ ୮.୫ ଏବଂ ମିରାକଲ ପଣ୍ଡା ୮ ପଏଣ୍ଟ୍ ପାଇ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଥିଲା ବେଳେ ଦିଲ୍ଲୀର ସତ୍ୟମ୍ ପ୍ରକାଶ ତୃତୀୟ ସ୍ଥାନ ପାଇଛନ୍ତି।
ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କିଟ୍ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର୍ ସସ୍ମିତା ସାମନ୍ତ, ପ୍ରତିଯୋଗିତା ନିର୍ଦେଶକ ତଥା ଏଆଇସିଏଫ୍ ଉପସଭାପତି ଶେଖର ଚନ୍ଦ୍ର ସାହୁ, ନିଖିଳ ଓଡ଼ିଶା ଚେସ୍ ସଂଘ ସଂପାଦକ ଦେବବ୍ରତ ଭଟ୍ଟ, ଉପସଭାପତି ରଞ୍ଜନ ମହାନ୍ତି ପ୍ରମୁଖ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ। ସାଂସଦ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।