ଚେନ୍ନାଇ: ରବିବାର ଥିଲା ଭାରତୀୟ ଚେସ୍ ପାଇଁ ଏକ ଐତିହାସିକ ଦିନ। ଫିଡେ ଅନ୍ଲାଇନ୍ ଚେସ୍ ଅଲିମ୍ପିଆଡ୍ରେ ରୁଷିଆ ସହ ଭାରତକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ଏହି ଦିନ। ସର୍ଭରରେ ତ୍ରୁଟି ଦେଖାଦେବାରୁ ଓ ଇଣ୍ଟରନେଟ୍ ବାରମ୍ବାର ବିଚ୍ଛିନ୍ନ ହେଉଥିବାରୁ ଆୟୋଜକଙ୍କ ପକ୍ଷରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଇଥିଲା। ଭାରତୀୟ ଯୁବ ଖେଳାଳି ନିହାଲ ସାରିନ୍ ଓ ଦିବ୍ୟା ଦେଶମୁଖଙ୍କ ମୁକାବିଲାର ଦ୍ବିତୀୟ ପର୍ଯ୍ୟାୟରେ ସର୍ଭର ବିଚ୍ଛିନ୍ନ ହେବାରୁ ପରାଜିତ ହୋଇଥିଲେ। ଏହା ବିରୋଧରେ ଭାରତ ପକ୍ଷରୁ ଫିଡେରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ତର୍ଜମା କରାଯିବା ପରେ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରିବାକୁ ଆୟୋଜକ ବାଧ୍ୟ ହୋଇଥିଲେ। ଅଲିମ୍ପିଆଡ୍ରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଭାବେ ବିବେଚନା କରାଯାଉଛି। ପୂର୍ବରୁ ୨୦୧୪ରେ ନରୱେରେ ହୋଇଥିବା ଅଲିମ୍ପିଆଡ୍ରେ ଭାରତ କାଂସ୍ୟ ପଦକ ପାଇଥିଲା। ତେବେ ରବିବାର ମ୍ୟାଚର ଫଳାଫଳ ବିଷୟରେ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହା ପରିଚାଳନା ସମିତିର ନିଷ୍ପତ୍ତି ବୋଲି ପୂର୍ବତନ ବିଶ୍ବ ଚେସ୍ ବିଜେତା ବିଶ୍ବନାଥନ୍ ପ୍ରତିକ୍ରିୟା ଦେଇଛନ୍ତି।
ବିଶ୍ବନାଥନଙ୍କ ମତରେ, ବାଧା ସୃଷ୍ଟି ହେବା ପୂର୍ବରୁ ମ୍ୟାଚ୍ କେଉଁଭଳି ଭାବେ ଗତି କରୁଥିଲା, ତାହା ସମସ୍ତେ ଦେଖିଛନ୍ତି। ନିହାଲଙ୍କ ସ୍ଥାନ ସୁଦୃଢ ହୋଇପାରିଥିଲା ଏବଂ ଦିବ୍ୟା ମଧ୍ୟ ବିଜୟର ନିକଟତର ଥିଲେ। ତେଣୁ ଫିଡେ ଏହାକୁ ମଧ୍ୟ ବିଚାରକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଥିଲା ବୋଲି ସେ କହିଛନ୍ତି। ଫାଇନାଲ୍ରେ ଉଭୟ ଦଳ ପ୍ରଥମ ପର୍ଯ୍ୟାୟରେ ସମସ୍ତ ୬ଟି ମ୍ୟାଚ୍ ଅମୀମାଂସିତ ରହିବାରୁ ଫଳାଫଳ ୩-୩ରେ ରହିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଇଆନ୍ ନେପୋମ୍ନିଆଚଚିଙ୍କ ସହ ଆନନ୍ଦ ଡ୍ର ରଖିଥିଲାବେଳେ ଅଧିନାୟକ ବିଦିତ୍ ଗୁଜୁରାଟୀ ପ୍ରତିପକ୍ଷ ଡାନିଲ ଦୁବୋଭଙ୍କ ସହ ପଏଣ୍ଟ ଭାଗ କରିଥିଲେ। କୋନେରୁ ହମ୍ପି ଋଷର ଆଲେକ୍ସାଣ୍ଡ୍ରା ଗୋର୍ୟାଚକିନାଙ୍କଠୁ ହାରିଯାଇଥିଲେ। ଡି.ହାରିକା ଓ ଆଲେକ୍ସାଣ୍ଡ୍ରା କୋଷ୍ଟେନୁକଙ୍କ ମଧ୍ୟରେ ପଏଣ୍ଟ ବଣ୍ଟାଯାଇଥିଲା। ତେବେ ଶେଷ ବେଳକୁ ନିହାଲଙ୍କୁ ଆଣ୍ଡ୍ରେ ଇସିପେଙ୍କୋ ଓ ଦିବ୍ୟାଙକୁ ପୋଲିନା ସୁଭଲୋଭା ହରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟର ଫଳାଫଳ ୪.୫-୧.୫ରେ ଋଷ୍ ସପକ୍ଷରେ ଯାଇଥିଲା। କିନ୍ତୁ ଶେଷ ଦୁଇ ମ୍ୟାଚ୍ବେଳେ ସର୍ଭର ବିଚ୍ଛିନ୍ନକୁ ନେଇ ଭାରତ ଅଭିଯୋଗ ଆଣିଥିଲା।
ତଥାପି ଫାଇନାଲ୍ରେ ପରାଜୟ ପାଇଁ ଖେଳାଳିଙ୍କୁ ସେ ଦାୟୀ କରିଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟ ବେଳକୁ ସେ ଆଶା ଛାଡ଼ିଦେଇଥିଲେ। ହେଲେ ଏହା ଚେସ୍ ଡଟ୍ କମ୍ ୱେବସାଇଟ୍ର ସର୍ଭରରେ ତ୍ରୁଟି ଯୋଗୁଁ ଉକ୍ତ ଦୁଇ ଖେଳାଳି ପରାଜିତ ହେଲେ ବୋଲି ଅଣଖେଳାଳି ଅଧିନାୟକ ଶ୍ରୀନାଥ ନାରାୟଣନ୍ ଜଣାଇଥିଲେ। ଉଭୟ ନିହାଲ ଓ ଦିବ୍ୟା ମ୍ୟାଚ ପାଇଁ କଠିନ ପରିଶ୍ରମ କରିଥିଲେ। ତେଣୁ ତାଙ୍କୁ ସାନ୍ତ୍ବନାଦେବାକୁ ପ୍ରଥମେ ଚିନ୍ତା କରିଥିଲେ ବି ପରିସ୍ଥିତିକୁ ଦେଖି ଏହା ଅନାବଶ୍ୟକ ଥିଲାବୋଲି ସେ ଚିନ୍ତା କରିଥିଲେ। ତଥାପି ଭାରତରେ ଚେସ୍ ପ୍ରତିଭାର ଗଭୀରତକୁ ଏହି ମ୍ୟାଚ୍ ଦର୍ଶାଉଥିବା ବିଶ୍ବନାଥନ୍ କହିଥିଲେ। ପ୍ରତ୍ୟେକ ଭାରତୀୟ ଖେଳାଳି ମ୍ୟାଚ୍ର କୌଣସି ନାକୌଣସି ସମୟରେ ଉଚ୍ଚକୋଟିର ପ୍ରଦର୍ଶନ ଦେଖାଉଥିଲେ, ଯାହାକି ତାଙ୍କୁ ଆଶ୍ବସ୍ତି କରିଥିଲା। ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଯୁବ ଖେଳାଳିମାନେ ଉତ୍ସାହିତ ଥିବାପରି ଲକ୍ଷ୍ୟ କରାଯାଉଥିଲା। ସେମାନଙ୍କ ଭିତରୁ କେତେଜଣ ପ୍ରଥମ ସୁଯୋଗରେ ସ୍ବର୍ଣ୍ଣ ପଦକ ପାଇପାରିଛନ୍ତି ଓ ଏହା ସ୍ମରଣୀୟ ମୁହୂର୍ତ୍ତ ବୋଲି ଆନନ୍ଦ କହିଛନ୍ତି।