୪୪ତମ ଚେସ୍ ଅଲମ୍ପିଆଡ ଉଦଘାଟିତ, ଓହରିଲା ପାକିସ୍ତାନ

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪୪ତମ ଚେସ ଅଲମ୍ପିଆଡକୁ ଉଦଘାଟନ କରିଛନ୍ତି । ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୋଦୀ ଏହାକୁ ଉଦଘାଟନ କରଥିଲେ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ୫ଥରର ଚେସ ବିଶ୍ବ ଚାମ୍ପିଅନ ବିଶ୍ବନାଥନ ଆନନ୍ଦ ଉପସ୍ଥିତ ଥିଲେ ।

ବିଶ୍ବନାଥନ ଆନନ୍ଦ ଅଲମ୍ପିଆଡ ମସାଲକୁ ମୋଦୀଙ୍କୁ ଧରାଇବା ପରେ ମୋଦୀ ଏହି ପ୍ରତିଯୋଗିତାର ଉଦଘାଟନ ଘୋଷଣା କରିଥିଲେ । ଏହା ପରେ ମୋଦୀ ମସାଲକୁ କନିଷ୍ଠ ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନାନନ୍ଦଙ୍କୁ ଧରାଇ ଦେଇଥିଲେ ।

ଏହି ଅବସରରେ ମୋଦୀ କହିଥିଲେ ଯେ ଚେସ ଅଲମ୍ପିଆଡ୍ ଏପରି ସମୟରେ ଭାରତରେ ଅନୁଷ୍ଠିତ ହେଉଛି ଯେତେବେଳେ କି ଭାରତ ନିଜ ସ୍ବାଧୀନତାର ୭୫ ତମ ବର୍ଷପୂର୍ତ୍ତି ପାଳନକରୁଛି । ଭାରତ ଚେସର ଭୂମି ବୋଲି ମୋଦୀ କହିଛନ୍ତି ।

ଜୁଲାଇ ୨୮ରୁ ଆରମ୍ଭ ହୋଇଥିବା ଏହି ଚେସ ଅଲମ୍ପିଆଡ୍ ଆସନ୍ତା ମାସ ୧୦ ତାରିଖରେ ଉଦଯାପିତ ହେବ । ଭାରତରେ ପ୍ରଥମ ଥର ପାଇଁ ଚେସ ଅଲମ୍ପିଆଡ ଆୟୋଜନ ହେଉଛି । ପୂର୍ବରୁ ରୁଷରେ ଏହାର ଆୟୋଜନ ହେବାକୁ ଥିବାବେଳେ ଯୁଦ୍ଧ ଯୋଗୁଁ ଏହାକୁ ଭାରତକୁ ଘୁଞ୍ଚାଇ ଅଣାଯାଇଥିଲା ।

ତେବେ ପାକିସ୍ତାନ ଏହି ଅଲମ୍ପିଆଡରୁ ଓହରି ଯାଇଛି । ଚେସ ଅଲମ୍ପିଆଡର ମସାଲ ଜମ୍ମୁ ଓ କଶ୍ମୀର ଯାଇଥିବାରୁ ତାହାର ପ୍ରତିବାଦ କରି ପାକିସ୍ତାନ ଏହା କରିଛି ।

 

 

ସମ୍ବନ୍ଧିତ ଖବର