ଚେନ୍ନାଇ: ପ୍ରଥମ ଥର ଭାରତରେ ଅୟୋଜିତ ଚେସ୍ ଅଲିମ୍ପିଆଡ୍ର ୪୪ତମ ସଂସ୍କରଣରେ ଭାରତ ୨ଟି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଓପନ୍ ବର୍ଗରେ ଭାରତ ‘ବି’ ଏବଂ ମହିଳାରେ ଭାରତ ‘ଏ’ ତୃତୀୟରେ ରହିବାରେ ସକ୍ଷମ ହୋଇଛନ୍ତି। ଉଭୟ ବର୍ଗରେ ଭାରତର ୩ଟି ଲେଖାଏଁ ଦଳ ଖେଳିଥିଲେ ମଧ୍ୟ ଏକାଧିକ ପଦକ ଜିତିବାରେ ବିଫଳ ହୋଇଛି। ଓପନ୍ରେ ଆଶ୍ଚର୍ଯ୍ୟଜନକ ଭାବେ ଉଜ୍ବେକିସ୍ତାନ ସ୍ବର୍ଣ୍ଣ ଓ ଆର୍ମେିନିଆ ରୌପ୍ୟ ପଦକ ଜିତିଥିବା ବେଳେ ଶକ୍ତିଶାଳୀ ଆମେରିକାକୁ ପଞ୍ଚମ ସ୍ଥାନରେ ନିରାଶ ହେବାକୁ ପଡ଼ିଛି। ଭାରତ ‘ଏ’ ଚତୁର୍ଥ ସ୍ଥାନରେ ରହିଥିଲା। ମହିଳାରେ ୟ୍ରୁକ୍ରେନ ଓ ଜର୍ଜିଆ ପ୍ରଥମ ଦୁଇ ସ୍ଥାନରେ ରହି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ସମ୍ମାନ ଅର୍ଜନ କରିଛନ୍ତି।
ଓପନ୍ ବର୍ଗରେ ମଙ୍ଗଳବାର ଭାରତ ‘ବି’ ଏକାଦଶ ତଥା ଶେଷ ରାଉଣ୍ଡରେ ଜର୍ମାନିକୁ ୩-୧ରେ ପରାସ୍ତ କରିଥିଲା। ନେଦରଲାଣ୍ଡ୍କୁ ୨-୧ରେ ହରାଇ ଉଜ୍ବେକିସ୍ତାନ ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲା। ସ୍ପେନ୍କୁ ୨.୫-୧.୫ରେ ହରାଇ ଆର୍ମେନିଆ ଦ୍ବିତୀୟ ସ୍ଥାନ ଦଖଲ କରିଥିଲା। ବି ଅଧିବନ, ଡି ଗୁକେଶ, ଆର୍ ପ୍ରଜ୍ଞାନନ୍ଧା, ନିହାଲ ସରିନ୍, ରୌନକ ସାନ୍ଧୱାନିଙ୍କୁ ନେଇ ଗଠିତ ଭାରତୀୟ ଦଳ କାଂସ୍ୟ ଜିତିଥିଲେ। ଆର୍ବି ରମେଶ ନନ୍ ପ୍ଲେୟିଂ କ୍ୟାପଟେନ୍ ଥିଲେ। ଏଥି ସହ ଭାରତ ୨୦୧୪ ସଫଳତା ଦୋହରାଇଥିଲା। ୨୦୧୪ରେ ମଧ୍ୟ ଅଧିବନ ଖେଳିଥିଲେ।
ମହିଳା ବର୍ଗରେ କୋନେରୁ ହମ୍ପି, ଆର୍ ବୈଶାଳୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଭାରତ ‘ଏ’ ଶେଷ ରାଉଣ୍ଡରେ ମଙ୍ଗଳବାର ଆମେରିକା ନିକଟରୁ ୧-୩ରେ ହାରିବା ସତ୍ତ୍ବେ ତୃତୀୟରେ ଅଭିଯାନ ଶେଷ କରିଥିଲା। ଅଭିଜିତ କୁନ୍ତେ ଏହି ଦଳର ନନ୍ ପ୍ଲେୟିଂ କ୍ୟାପଟେନ୍ ଥିଲେ। ଓଡ଼ିଆ ଆଇଏମ୍ ପଦ୍ମିନୀ ରାଉତ ସାମିଲ ଥିବା ଭାରତ ‘ବି’ ଦଳ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଶେଷ ରାଉଣ୍ଡରେ ମଧ୍ୟ ପଦ୍ମିନୀଙ୍କ ପରାଜୟ ସହ ଏହି ଦଳ ସ୍ଲୋଭାକିଆ ସହ ୨-୨ରେ ଅମୀମାଂସିତ ରଖିଥିଲା। ୧୧ ରାଉଣ୍ଡରୁ ପଦ୍ମିନୀ ୫.୫ ପଏଣ୍ଟ ଅର୍ଜନ କରିପାରିଥିଲେ। ଉଦ୍ଯାପନୀ ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଫିଡେ ସଭାପତି ଅର୍କଦି ଭୋର୍କୋଭିକ୍, ଉପ ସଭାପତି ବିଶ୍ବନାଥନ୍ ଆନନ୍ଦଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ଖେଳାଳି ଅଂଶଗ୍ରହଣ କରିଥିଲେ। ରେକର୍ଡ ସର୍ବାଧିକ ୧୮୬ ଦେଶର ୯୩୭ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଜୁଲାଇ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିଥିଲେ।
ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ମଙ୍ଗଳବାର ଚେସ୍ ପୁସ୍ତକ ‘ସତରଞ୍ଜ: ବୁଦ୍ଧିର ବିକାଶ’ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟିକୁ ଲେଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଶିକେଶନ ଦେହୁରୀ। ଏହି ପୁସ୍ତକରେ ସତରଞ୍ଜର ଉପକାର- ଅପକାର, ଉତ୍ପତ୍ତି, ଖେଳ ଶିଖିବାର ସହଜ ପ୍ରଣାଳୀ ଆଦି ବଷୟ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଖେଳାଳିମାନଙ୍କର ଜୀବନୀ, ସେମାନଙ୍କ ଖେଳ ସମ୍ପର୍କରେ ବିସ୍ତୃତ ଲେଖା ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି। ଉନ୍ମୋଚନ ଉତ୍ସବରେ ଅନ୍ୟ ଅତିଥି ଭାବେ ଯୋଗଦେଇ ୱେୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ତଥା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସ, ‘ପକ୍ଷୀଘର’ ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଅମିତାଭ ସାହୁ ଯୋଗଦେଇ ଚେସ୍ ଖେଳ ଓ ଏହି ପୁସ୍ତକର ଉପାଦେୟତା ସମ୍ପର୍କରେ ନିଜର ମତ ରଖିଥିଲେ।
ପୁସ୍ତକକୁ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ବର୍ତ୍ତମାନ ବିଭିନ୍ନ ଖେଳ ସହିତ ଚେସ୍ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢ଼ିଛି। ଏହି ଦୃଷ୍ଟିରୁ ଚେସ୍ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ତଥା ସବୁ ବର୍ଗର ଲୋକଙ୍କ ପାଇଁ ଏହି ପୁସ୍ତକ ବେଶ୍ ଉପାଦେୟ ସାବ୍ୟସ୍ତ ହେବ। ସେହିପରି ଲେଖକ ଶ୍ରୀ ଦେହୁରୀ କହିଲେ ଯେ ଛାତ୍ର ଅବସ୍ଥାରୁ ସତରଞ୍ଜ ଖେଳ ଅଭ୍ୟାସ ମାନସିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଫଳରେ ଏହା ସେମାନଙ୍କ ପାଠପଢ଼ାରେ ଉନ୍ନତି ଆଣିଥାଏ ଏବଂ ଭଲ ପ୍ରଦର୍ଶନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏକ ପ୍ରକାର କହିବାକୁ ଗଲେ ଚେସ୍ ଖେଳ ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ମଣିଷ ହେବାର ପଥ ପରିଷ୍କାର କରେ।