ଭୁବନେଶ୍ବର: ଭାରତରେ ପ୍ରଥମ ଥର ଆୟୋଜିତ ଚେସ୍ ଅଲିମ୍ପିଆଡ୍ର ଗୌରବମୟ ଅଧ୍ୟାୟରେ ଓଡ଼ିଶା ବି ସାମିଲ ହୋଇଛି। ଚଳିତ ମାସ ୨୮ ତାରିଖରୁ ଚେନ୍ନାଇର ମହାବଳୀପୁରମଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚେସ୍ ଅଲିମ୍ପିଆଡ୍ର ୪୪ତମ ସଂସ୍କରଣ ମଶାଲ୍ ଶୁକ୍ରବାର ଓଡ଼ିଶା ପରିକ୍ରମା କରିଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ଚେସ୍ ଅଲିମ୍ପିଆଡ୍ରେ ମଧ୍ୟ ନୂଆ ଅଧ୍ୟାୟ ସଂଯୋଗ କରିଛି। କାରଣ ଚେସ୍ ଅଲିମ୍ପିଆଡ୍ର ଲମ୍ବା ଇତିହାସରେ ପ୍ରଥମ ଥର ପାଇଁ ମଶାଲ୍ ଶୋଭାଯାତ୍ରା ସଂଯୋଗ ହୋଇଛି ଏବଂ ଏହା ଦେଶର ୭୫ ସହର ବୁଲୁଛି। ଏହି କ୍ରମରେ ଶୁକ୍ରବାର ଓଡ଼ିଶାର ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଗଣିତ ଭୁବନେଶ୍ବର-ପୁରୀ-କୋଣାର୍କ ପରିକ୍ରମା କରିଥିଲା ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ମଶାଲ।
ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଡବଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ମଶାଲକୁ ଲୋକସେବା ଭବନ ନେବା ପରେ ନିଖିଳ ଓଡ଼ିଶା ଚେସ୍ ସଂଘର ମୁଖ୍ୟ ପାଟ୍ରନ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ମଶାଲର ଓଡ଼ିଶା ଯାତ୍ରା ଶୁଭାରମ୍ଭ କରିଥିଲେ। ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ଧାରୀ ପଦ୍ମିନୀ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ଏହାକୁ ହସ୍ତାନ୍ତର କରିଥିଲେ। ଚତୁରଙ୍ଗ ଭାବେ ପରିଚିତ ଚେସ୍ ଖେଳ ଭାରତରୁ ଜନ୍ମ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଓଡ଼ିଶାର ଚେସ୍ ଅବଦାନକୁ ବି ମନେ ପକାଇଥିଲେ। ଚେସ୍ ଖେଳରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ପଦ୍ମିନୀଙ୍କ ସହ ୬ ଜଣ ଓଡ଼ିଆ ଏଥର ଚେସ୍ ଅଲିମ୍ପିଆଡ୍ରେ ଅଂଶଗ୍ରହଣ କରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ୨୦୧୬ରେ ଓଡ଼ିଶା ସଫଳତାର ସହ କନିଷ୍ଠ ବିଶ୍ବ ଚେସ୍ ପ୍ରତିଯୋଗିତା ଆୟୋଜନ କରିଥିଲା। ଏବେ ଏହି ଚତୁରଙ୍ଗ ଖେଳକୁ ସରକାର ବିଶେଷ କରି ବିଦ୍ୟାଳୟ ସ୍ତରରେ ପ୍ରୋତ୍ସାହିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଚେସ୍ ପାଇଁ ବିଶେଷ ଭିତ୍ତିଭୂମି କିମ୍ବା ସରଞ୍ଜାମର ଆବଶ୍ୟକତା ନଥିବାରୁ ଏହାକୁ ରାଜ୍ୟସାରା ପ୍ରସାରିତ କରାଯିବ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ନିୟମିତ ପ୍ରତିଯୋଗିତା କରାଯିବା ସହ ପେସାଦାର ଢଙ୍ଗରେ ଏହାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଭାରତରେ ପ୍ରଥମ ଥର ଚେସ୍ ଅଲିମ୍ପିଆଡ୍ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସର୍ବଭାରତୀୟ ଚେସ୍ ସଂଘ, ନିଖିଳ ଓଡ଼ିଶା ଚେସ୍ ସଂଘ, ଭାରତ ସରକାର ଏବଂ ତାମିଲନାଡୁ ସରକାରଙ୍କ ଆନ୍ତରିକତା ଲାଗି କୃତଜ୍ଞତା ଜଣାଇଥିଲେ। ଚେସ୍ ଅଲିମ୍ପିଆଡ୍ ଲାଗି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଏହା ପରେ ଭାରତରୁ ଅଧିକ ବିଶ୍ବ ବିଜେତା ବାହାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହ ରାଜ୍ୟ କିଭଳି ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ଅୟୋଜନ କରୁଛି ପ୍ରକାଶ କରିଥିଲେ।
ଓଡ଼ିଶାରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ପ୍ରଶଂସା କରିଥିଲେ ସାଂସଦ ଅଚ୍ୟୁତ ସାମନ୍ତ। କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣା, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ଏଆଇସିଫ୍ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତିଙ୍କ ସହ ବହୁ ଚେସ୍ ଖେଳାଳି ମଧ୍ୟ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ଏକ ଖୋଲା ଜିପ୍ରେ ମଶାଲ୍ ପରିକ୍ରମା ବେଳେ କିଟ୍ ଓ କିସ୍ରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ମଶାଲକୁ ପଦ୍ମିନୀ ରାଉତ ପୁରୀ ନେବା ପରେ ଶ୍ରୀମନ୍ଦିର ସମ୍ମୁଖରେ ଏଡିଏମ୍ଙ୍କୁ ହସ୍ତାନ୍ତର କରିଥିଲେ। ବେଳାଭୂମି ବ୍ଲୁ ବିଚ୍ରେ ଏଡିଏମ୍ ଏହାକୁ ଆଇଏମ୍ ସ୍ବୟଂଶୁ ସତ୍ୟପ୍ରଜ୍ଞଙ୍କୁ ପ୍ରଦାନ କରିଥିଲେ। କୋଣାର୍କ ଐତିହ୍ୟ ସମ୍ପନ୍ନ ସୂର୍ଯ୍ୟମନ୍ଦିର ସମ୍ମୁଖରେ ସତ୍ୟପ୍ରଜ୍ଞ ମଶାଲକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେବା ପରେ ସେ ଏହାକୁ ଶେଷରେ ଅନ୍ୟତମ ଆଇଏମ୍ ଅନ୍ବେଷ ଉପାଧ୍ୟାୟଙ୍କୁ ଦେଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସର୍ବାଧିକ ୧୮୮ ଦେଶର ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ୧୯୨୭ ମସିହାରୁ ଏହି ସମ୍ମାନଜନକ ପ୍ରତିଯୋଗିତା ହେଉଥିଲେ ମଧ୍ୟ ଏସିଆ ମହାଦେଶରେ ୩୦ ବର୍ଷ ପରେ ହେଉଛି।