ଭୁବନେଶ୍ବର(ସୁରେଶ ସ୍ବାଇଁ): ଭାରତୀୟ ଚେସ୍ ପାଇଁ ଐତିହାସିକ ବର୍ଷ ହେବାକୁ ଯାଉଛି ୨୦୨୨ । ଭାରତରୁ ଚେସ୍ ଖେଳର ଉତ୍ପତ୍ତି ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏହା ଚେସ୍ ଅଲିମ୍ପିଆଡ୍ ଅୟୋଜନ କରିବାକୁ ଯାଉଛି। ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାର ୪୪ତମ ସଂସ୍କରଣ ତାମିଲନାଡୁର ମହାବଳୀପୁରମ୍ରେ ଆସନ୍ତା ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ଆୟୋଜନରେ ଆଉ ଏକ ପ୍ରଥମ ସଂଯୋଗ କରି ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ) ମଧ୍ୟ ଚେସ୍ ଅଲିମ୍ପିଆଡ୍ ପୂର୍ବରୁ ଭାରତର ୭୫ଟି ସହରରେ ମଶାଲ ରିଲେ ଅଭିଯାନ ଆରମ୍ଭ କରିଛି। ସୋମବାର ଓଡ଼ିଶା ଗସ୍ତ ଅବସରରେ ଏଆଇସିଏଫ୍ର ସମ୍ପାଦକ ତଥା ୪୪ତମ ଚେସ୍ ଅଲିମ୍ପିଆଡ୍ ଇଭେଣ୍ଟ ନିର୍ଦ୍ଦେଶକ ଭରତ ସିଂହ ଚୌହାନ ଅଲିମ୍ପିଆଡ୍ର ପ୍ରସ୍ତୁତି ସହିତ ଭାରତର ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରଖିଥିଲେ ନିଜସ୍ବ ମତ। ଖେଳାଳିରୁ ଚେସ୍ ପ୍ରଶାସକ ପାଲଟିଥିବା ଶ୍ରୀ ଚୌହାନ ମଧ୍ୟ ଏବେ ବିଶ୍ବ ସଂଘ ଫିଡେ ଏବଂ ଏସୀୟ ଚେସ୍ ସଂଘର ଉପସଭାପତି, ରାଜ୍ୟଗୋଷ୍ଠୀ ଚେସ୍ ସଂଘର ଅଧ୍ୟକ୍ଷ ରହିଛନ୍ତି।
ଗୌରବମୟ ମୁହୂର୍ତ
ଭାରତୀୟ କ୍ରୀଡ଼ା, ବିଶେଷ କରି ଚେସ୍ ପାଇଁ ଚେସ୍ ଅଲିମ୍ପିଆଡ୍ ଏକ ଗର୍ବ ଓ ଗୌରବର ମୁହୂର୍ତ। ଭାରତ ପ୍ରଥମ ଥର ଏଭଳି ଏକ ବଡ଼ ପ୍ରତିଯୋଗିତା ଆୟୋଜନ କରୁଛି ଏବଂ ସର୍ବାଧିକ ୧୮୭ ଦେଶର ଖେଳାଳି ଏଥିରେ ଭାଗନେବାକୁ ଯାଉଛନ୍ତି। ପୂର୍ବରୁ ଏତେ ଦେଶ କେବେ ଚେସ୍ ଅଲିମ୍ପିଆଡ୍ରେ ଭାଗ ନେଇନଥିଲେ। ଏହା ଦ୍ବାରା ଭାରତରେ ଚେସ୍କୁ ପ୍ରୋତ୍ସାହନ ମିଳିବ ଏବଂ ଖେଳାଳିଙ୍କୁ ସମ୍ମାନ। ଆଗରୁ କେବେ ଚେସ୍ ଅଲିମ୍ପିଆଡ୍ରେ ମଶାଲ ରିଲେ ସାମିଲ ନଥିଲା। ଏଭଳି ଏକ ନୂତନତ୍ବର ମୁଖ୍ୟ କାରଣ ହେଉଛି ଅଲିମ୍ପିକ୍ସରେ ଖେଳାଳି ଏକାଧିକ ଖେଳ ପାଇଁ ଏକାଠି ହୋଇଥାନ୍ତି। ଏଠି ଗୋଟିଏ ମାତ୍ର ଖେଳ ପାଇଁ ୧୧ ଦିନ ଧରି ୧୮୭ ଦେଶର ଖେଳାଳି ଏକାଠି ହେବେ। ଚେସ୍ ଭାରତରୁ ଉତ୍ପତ୍ତି ହୋଇଥିବାରୁ ଏବଂ ଭାରତରେ ପ୍ରଥମ ଥର ଚେସ୍ ଅଲିମ୍ପିଆଡ୍ ହେଉଥିବାରୁ ଫିଡେ ସହ ଆଲୋଚନା କରି ଆମେ ଏଭଳି ଅଭିନବ ସଂଯୋଗ କରିଛୁ। ଭାରତ ପାଇଁ ଏହି ଚେସ୍ ଅଲିମ୍ପିଆଡ୍ ଏକ ମାଇଲଖୁଣ୍ଟ୍ ହେବାକୁ ଯାଉଛି।
ଭାରତରୁ ୫ ଦଳ ୨୫ ଖେଳାଳି
ସାଧାରଣ ଭାବେ ଚେସ୍ ଅଲିମ୍ପିଆଡ୍ରେ ଭାରତରୁ ଦୁଇଟି ଦଳ ଖେଳିଥାନ୍ତି। ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ଦଳ। ଏଥର ଅୟୋଜକ ଭାବେ ଭାରତ ୨ ଲେଖାଏଁ ପୁରୁଷ ଓ ମହିଳା ଦଳ ଖେଳିବାକୁ ଯାଉଛନ୍ତି। ପୁରୁଷ ବର୍ଗରେ ଭାରତରୁ ଏକ ତୃତୀୟ ଦଳ ମଧ୍ୟ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ମୋଟ ୨୫ ଜଣ ଭାରତରୁ ଗୋଟିଏ ଅଲିମ୍ପିଆଡ୍ରେ ଖେଳିବା ନିଶ୍ଚିତ ଉଲ୍ଲେଖନୀୟ ବିଷୟ। ଅଧିକରୁ ଅଧିକ ଭାରତୀୟ ଖେଳାଳି ଏକ୍ସପୋଜର ପାଇବେ। ଭାରତରେ ବି ଚେସ୍ ମାହୋଲ ବଢ଼ିଯିବ। ଦର୍ଶକ ମଧ୍ୟ ଏହାକୁ ଢ଼େର ଉପ ଭୋଗ କରିବେ। ଭାରତୀୟ ବିଗତ ୫ ବର୍ଷ ହେବ ବିଶ୍ବସ୍ତରରେ ଭଲ କରି ଆସୁଛି। ଆମ ପୁରୁଷ ଓ ମହିଳା ଦଳ ୩ ଓ ୪ ନମ୍ବର ସ୍ଥାନରେ ରହୁଛନ୍ତି। ଏଥର ମଧ୍ୟ ଆମ ଖେଳାଳି ଭଲ ପ୍ରଦର୍ଶନର ପ୍ରୟାସ କରିବେ ବୋଲି ବିଶ୍ବାସ ରହିଛି।
ଆନନ୍ଦ ଓ ଚୀନ ନାହାନ୍ତି
ଏଥରର ଚେସ୍ ଅଲିମ୍ପିଆଡ୍ରେ ଭାରତର କିଂବଦନ୍ତି ଚେସ୍ ଖେଳାଳି ବିଶ୍ବନାଥନ୍ ଆନନ୍ଦ ଅଂଶଗ୍ରହଣ ନ କରିବାରେ ମୁଁ ବିଶେଷ ବିସ୍ମିତ ନୁହେଁ। ଖେଳାଳି ଭାବେ ସେ ଯେତିକି ପ୍ରଦର୍ଶନ ନ କରିବେ ମାର୍ଗଦର୍ଶକ ଭାବେ ଅଧିକ ଅବଦାନ ରଖିବେ। ତାଙ୍କ ସଂଶ୍ପର୍ଷରେ ରହୁଥିବା ୧୦/୧୫ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ମିଳୁଛି। ଖେଳାଳିଙ୍କ ସହ ସେ ଟଚ୍ରେ ରହୁଛନ୍ତି, ଅନ୍ଲାଇନ୍ ଓ ଫିଜିକାଲ୍ ଟ୍ରେନିଂ ମଧ୍ୟ ଦେଉଛନ୍ତି। ତାଙ୍କ ଅଭିଜ୍ଞତାରୁ ଭାରତ ଅଧିକ ଫାଇଦା ପାଉଛି। ବିଶ୍ବ ଚେସ୍ର ଅନ୍ୟତମ ଶ୍ରେଷ୍ଠ ଶକ୍ତି ଚୀନ ଏହି ପ୍ରତିଯୋଗିତାରୁ ଓହରିଯାଇଛି। ଚୀନରେ ଥିବା କୋଭିଡ୍ ସଙ୍ଗରୋଧ କଟକଣା କାରଣରୁ ଲମ୍ବା ଗସ୍ତ କରିବା ସମ୍ଭବ ନ ହେବାରୁ ଏଭଳି ନିଷ୍ପତ୍ତି ନେଇଛି। ତଥାପି ଚେସ୍ ଅଲିମ୍ପିଆଡ୍ ଇତିହାସରେ ସର୍ବାଧିକ ଦେଶ ଅଂଶଗ୍ରହଣ କରିବାକୁ ଯାଉଥିବା ସବୁଠାରୁ ଉଲ୍ଲେଖନୀୟ କଥା।
ଅଲିମ୍ପିକ୍ସରେ ଚେସ୍ ?
ଫୁଟ୍ବଲ୍ ପରେ ଚେସ୍ ବିଶ୍ବର ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ଖେଳ ହୋଇଥିଲେ ମଧ୍ୟ ଏହା ଅଲିମ୍ପିକ୍ସରେ ସାମିଲ ନଥିବାରୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ ସହ ଚେସ୍ ଶକ୍ତିର ଦେଶ ରୁଷିଆର ଭଲ ସମ୍ପର୍କ ନଥିବାରୁ ଏହା ପ୍ରତିବଂଧକ ସାଜୁଛି। ଭବିଷ୍ୟତରେ ସକାରାତ୍ମକ ସଙ୍କେତ ମିଳିବ ବୋଲି ଆଶା କରୁଛୁ ବୋଲି କହିଥିଲେ ଚୌହାନ।
ଓଡ଼ିଶା ଚେସ୍ ହବ୍
ଓଡ଼ିଶାକୁ ନେଇ ଚୌହାନ କହିଥିଲେ ଯେ ଓଡ଼ିଶା ଚେସ୍ର ହବ୍ ହୋଇସାରିଛି। ଏକାଧିକ ଗ୍ରାଣ୍ଡମାଷ୍ଟର୍, ଆନ୍ତର୍ଜାତୀୟ ମାଷ୍ଟର୍ ଓଡ଼ିଶାରେ ରହିଛନ୍ତି। ଚେସ୍ର ବହୁ ପ୍ରମୁଖ କାର୍ଯ୍ୟକ୍ରମ ବର୍ଷସାରା ଓଡ଼ିଶାରେ ହେଉଛି। ଯୁବ ଖେଳାଳିମାନେ ମଧ୍ୟ ଭଲ କରୁଛନ୍ତି। ଓଡ଼ିଶା ସରକାର ଚେସ୍କୁ ଭଲ ସମର୍ଥନ ଦେଉଛନ୍ତି। କିଟ୍ରେ ମଧ୍ୟ ଦେଶର ପ୍ରଥମ ଜାତୀୟ ଚେସ୍ ଏକାଡେମିର ପ୍ରତିଷ୍ଠା ଯୋଜନା ରହିଛି। ଚେସ୍ ଅଲିମ୍ପିଆଡ୍ରେ ଓଡ଼ିଶାର ସମ୍ପୃକ୍ତି ମଧ୍ୟ ରହିଛି। ମଶାଲ ରିଲେ ମଧ୍ୟ ଓଡ଼ିଶାର କିଛି ସହର ବୁଲିବ। ଆଗକୁ ଓଡ଼ିଶାରେ ବହୁ ଚେସ୍ କାର୍ଯ୍ୟକ୍ରମ ହେବାକୁ ଯାଉଛି।