ଚେତନଙ୍କୁ ଝୁରିଲେ ଗାଭାସ୍କର: ‘ଜୀବନର ମାଣ୍ଡାଟୋରି ଓଭର ସରିଗଲା’

ମୁମ୍ବାଇ: ରବିବାର କୋରୋନା ଭୂତାଣୁ ଜନିତ ଜଟୀଳ ସମସ୍ୟାରେ ପଡ଼ି ପ୍ରାଣ ହରାଇଥିବା ପୂର୍ବତନ କ୍ରିକେଟର୍ ଚେତନ ଚୌହାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କିଂବଦନ୍ତି ବ୍ୟାଟସମ୍ୟାନ୍‌ ସୁନିଲ ଗାଭାସ୍କର। ଗାଭାସ୍କରଙ୍କ ସବୁଠୁ ଦୀର୍ଘତମ ପ୍ରାରମ୍ଭିକ ଭାଗୀଦାର ଥିଲେ ଚେତନ ଚୌହାନ। ଲାଲ୍ ବଲ୍‌ ଫର୍ମାଟ୍‌ରେ ଉଭୟ ଏକାଠି ୫୯ ପାଳି ଖେଳିଥିଲେ। କିଛି ବର୍ଷ ତଳେ ଦିଲ୍ଲୀରେ ପରସ୍ପରକୁ ଭେଟିବାବେଳେ କିଭଳି ନିଜ ବ୍ୟାଟିଂ ସମୟର ଖୁସିର ଆଦାନପ୍ରଦାନ କରୁଥିଲେ ତାକୁ ମନେ ପକାଇଥିଲେ। ଆଉ ସେହି ଦିନ ଆସିବ ନାହିଁ ବୋଲି ନିଜକୁ ବିଶ୍ବାସ କରିପାରୁନାହାନ୍ତି ଗାଭାସ୍କର। ଚୌହାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗାଭାସ୍କର କହିଥିଲେ ସେ ମୋତେ ‘ଜୀବନର ମାଣ୍ଡାଟୋରି ଓଭର’ କଥା ମନେ ପକାଇ ଦେଉଥିଲେ। ଯେତେଥର ଆମେ ପରସ୍ପରକୁ ଭେଟୁଥିଲୁ ମୁଁ କହୁଥିଲି ‘ଆମ ଭିତରେ ଆଉ ଏକ ଶତକ ଭାଗୀଦାରି ‌ହେବ’।

ସେ କିନ୍ତୁ ମଜାରେ ଉତ୍ତର ଦେଉଥିଲେ ‘ଆରେ ବାବା ତୁମେ ତ ଶତକ ହାସଲକାରୀ, ମୁଁ ତ ନୁହେଁ’। ବାସ୍ତବରେ ୭୩ ବର୍ଷ ବୟସରେ ଚେତନ ଶେଷ ନିଶ୍ବାସ ତ୍ୟାଗ କରି ପୁଣି ଥରେ ଶତକରୁ ବଞ୍ଚିତ ରହିଛନ୍ତି। ଗାଭାସ୍କରଙ୍କ ସହ ଚେତନ ଚୌହାନ ୧୯୬୯ରୁ ୧୯୭୮ ମଧ୍ୟରେ ୪୦ ଟେଷ୍ଟ୍ ଖେଳିଥିଲେ। ୩୧.୫୭ ହାରରେ ୨୦୮୪ ରନ୍‌ କରିଥିଲେ ମଧ୍ୟ କେବେ ଶତକ ହାସଲ କରିପାରିନଥିଲେ। ଉଭୟଙ୍କ ମଧ୍ୟରେ କିନ୍ତୁ ପ୍ରଥମ ୱିକେଟ୍ ପାଇଁ ୧୦ ଥର ଶତକୀୟ ଭାଗୀଦାରି ହୋଇଥିଲା। ‘ଦୁଃସ୍ବପ୍ନ ଭଳି ଲାଗୁଛି, ମୁଁ ବିଶ୍ବାସ କରିପାରୁନି ଜୀବନର ମାଣ୍ଡାଟୋରି ଓଭର ଏତେ ଶୀଘ୍ର ଶେଷ ‌ହୋଇଯିବ’ ବୋଲି ପ୍ରକାଶ କରିଥିଲେ ଗାଭାସ୍କର।

ଚେତନ କେବେ ବି ଶତକ ହାସଲ କରିନପାରିବା ସମ୍ପର୍କରେ ଗାଭାସ୍କର କହିଥ‌ିଲେ ଏଥି ପାଇଁ ମୁଁ ଦୁଇ ଥର ଦାୟୀ ଥିଲି। ଉଭୟ ୧୯୮୦-୮୧ ଅଷ୍ଟ୍ରେଲିଆ ଗସ୍ତରେ ଘଟିଥିଲା। ଆଡିଲେଡ୍‌ରେ ସେ ଦ୍ବିତୀୟ ଟେଷ୍ଟ୍‌ରେ ୯୭ ରନ୍ କରିଥିବାବେଳେ ମୋତେ ସାଥୀ ଖେଳାଳିମାନେ ଡ୍ରେସିଂ ରୁମ୍‌ରୁ ବାଲକୋନିକୁ ଭିଡି ନେଇଥିଲେ। ‌ଚେତନଙ୍କ ଶତକ ହାସଲ ବେଳକୁ ସେଠାରେ ତୁମର ରହିବାର ଥିଲା ବୋଲି କହିଥିଲେ। ଏହା ପରେ ଡେନିସ୍ ଲିଲିଙ୍କ ପ୍ରଥମ ବଲ୍‌ରେ ସେ କଟ୍ ବିହାଇଣ୍ଡ୍ ‌ହୋଇଯାଇଥିଲେ। ମୁଁ ଅନ୍ଧବିଶ୍ବାସରେ ସର୍ବଦା ଡ୍ରେସିଂ ରୁମ ଟିଭିରୁ ଖେଳ ଦେଖିଥାଏ, ସେଥର ବାଲକୋନିରୁ ଦେଖିବାକୁ ଯିବା ପରେ ସେ ଆଉଟ୍ ହୋଇଯାଇଥିଲେ। ଦ୍ବିତୀୟ ଥର ପାଇଁ ମଧ୍ୟ ମୁଁ ଚେତନ ଶତକରୁ ବଞ୍ଚିତ ହେବା ଲାଗି ଦାୟୀ ଥିଲି। ଏକ ବିବାଦୀୟ ଆଉଟ୍‌ ପରେ ମୁଁ ଚେତନଙ୍କୁ ଟାଣି ଆଣି ପଡିଆ ଛାଡ଼ିବାକୁ ପ୍ରୟାସ କରିଥିଲି। ଏହା ଦ୍ବାରା ତାଙ୍କ ଏକାଗ୍ରତା ‌ଭଙ୍ଗ ହେବାରୁ ସେ ମଧ୍ୟ ଶତକ ପୂର୍ଣ୍ଣ କରିପାରିନଥିଲେ ବୋଲି ଗାଭାସ୍କର ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର