ଚେତନ ଶର୍ମାଙ୍କ ଚୟନ ସମିତି ବରଖାସ୍ତ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳ ଦୁଇ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବିଫଳ ଏବଂ ଥରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଝୁଣ୍ଟିବା ପରେ ଏହାର ମୂଲ୍ୟ ଦେବାକୁ ପଡ଼ିଛି ଚୟନକର୍ତାଙ୍କୁ। ‌ଚେତନ ଶର୍ମାଙ୍କ ନେତୃତ୍ବାଧୀନ ବରିଷ୍ଠ ଚୟନ ସମତିକୁ ବିସିସିଆଇ ଶୁକ୍ରବାର ସମ୍ପୂର୍ଣ୍ଣ ଭାବେ ବରଖାସ୍ତ କରିଦେଇଛି। ଉତ୍ତରାଞ୍ଚଳର ପ୍ରତିନିଧିତ୍ବ କରୁଥିବା ଚେତନ ଶର୍ମା ସମିତିର ଅଧ୍ୟକ୍ଷ ଥିବାବେଳେ ହରବିନ୍ଦର ସିଂହ (କେନ୍ଦ୍ରାଞ୍ଚଳ), ସୁନିଲ ‌ଯୋଶୀ (ଦକ୍ଷିଣାଞ୍ଚଳ) ଏବଂ ଦେବାଶିଷ ମହାନ୍ତି (ପୂର୍ବାଞ୍ଚଳ) ଏହାର ସଦସ୍ୟ ଥିଲେ।

ପଶ୍ଚିମାଞ୍ଚଳ ସଦସ୍ୟ ଆବେ କୁରୁଭିଲ୍ଲାଙ୍କ କାର୍ଯ୍ୟକାଳ ପୂର୍ବରୁ ଶେଷ ହୋଇଯାଇଥ‌ିଲେ ମଧ୍ୟ ଏହି ଜୋନରୁ ସାମ୍ପ୍ରତିକ ସମୟରେ କେହି ପ୍ରତିନିଧିତ୍ବ କରୁନଥିଲେ। ସାଧାରଣତଃ ଚୟନକର୍ତାଙ୍କ କାର୍ଯ୍ୟକାଳ ୪ ବର୍ଷିଆ ହୋଇଥିବା ବେଳେ ଚେତନଙ୍କ ସମିତିର ସଦସ୍ୟମାନେ ୨୦୨୦ ଓ ୨୦୨୧ରେ ନିଯୁକ୍ତ ହୋଇଥିଲେ। ହେଲେ ସମୟ ପୂର୍ବରୁ ବୋର୍ଡ ଏହାକୁ ଭାଙ୍ଗିଦେଇଛି। ଶୁକ୍ରବାର ବିସିସିଆଇ ମଧ୍ୟ ଚୟନ ସମିତି ପାଇଁ ନୂଆ ସଦସ୍ୟଙ୍କଠାରୁ ଦରଖାସ୍ତ ଆହ୍ବାନ କରିଛି। ନଭେମ୍ବର ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଚେତନ ଶର୍ମାଙ୍କ ସମିତି ବାଛିଥିବା ଭ‌ାରତୀୟ ଦଳ ୨୦୨୧ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରିଯିବା ପରେ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଅଷ୍ଟ୍ରେଲିଆରେ ସଦ୍ୟ ସମାପ୍ତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦଳ ସେମିଫାଇନାଲ୍‌ରେ ଇଂଲଣ୍ଡଠୁ ହାରି ବିଦାୟ ନେଇଥିଲା। ଖେଳାଳି ଚୟନକୁ ନେଇ ବହୁ ଅଭିଯୋଗ ହୋଇଆସୁଥିଲା।

ସମ୍ବନ୍ଧିତ ଖବର