ଛେତ୍ରୀଙ୍କ ହ୍ୟାଟ୍ରିକ୍‌: ସେମିରେ ବେଙ୍ଗାଲୁରୁ

ଭୁବନେଶ୍ୱର: ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଗୋଲ୍‌) ବଳରେ ବେଙ୍ଗାଲୁରୁ ଏଫ୍‌ସି ଚତୁର୍ଥ ତଥା ଶେଷ ଦଳ ଭାବେ ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଚଳିତ ବର୍ଷ ଆଇଏସ୍‌ଏଲ୍‌ ପଦାର୍ପଣ କରି ଫାଇନାଲ୍‌ ପ୍ରବେଶ କରିଥିବା ବେଙ୍ଗାଲୁରୁ ଦଳ ଏଠାରେ ନିଜର କରିସ୍ମା ଜାରି ରଖି ଆଇଲିଗ୍‌ ଦଳ ନେରୋକା ଏଫ୍‌ସିକୁ ୩-୧ ଗୋଲ୍‌ରେ ହରାଇ ବିଦାୟ ରାସ୍ତା ଦେଖାଇ ଦେଇଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଶେଷ କ୍ୱାର୍ଟର୍‌ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଅଧିନାୟକ ତଥା ବେଙ୍ଗାଲୁରୁ ତାରକା ସୁନୀଲ ଛେତ୍ରୀ ତ୍ରୟୋଦଶ ମିନିଟ୍‌ରୁ ହିଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଉଦାନ୍ତ ସିଂହଙ୍କ ଏକ ପାସ୍‌କୁ ହେଡ୍‌ ଜରିଆରେ ସେ ଗୋଲ୍‌ ପୋଷ୍ଟ୍‍କୁ ପଠାଇ ବେଙ୍ଗାଲୁରୁକୁ ୧-୦ର ଅଗ୍ରଣୀ ଦେଇଥିଲେ। ତେବେ ପ୍ରଥମାର୍ଧର ଆହତ ସମୟରେ ନେରୋକାର ପ୍ରୀତମ ସିଂହ (୪୫+୨ ମିନିଟ୍‌) ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ଫଳରେ ପ୍ରଥମାର୍ଧ ୧-୧ ସମାନ ସ୍ଥିତିରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧର ୫୪ ମନିଟ୍‌ରେ ଛେତ୍ରୀ ଏକାକୀ ନେରୋକାର ରକ୍ଷଣଭାଗକୁ ଭେଦ କରି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସହ ବେଙ୍ଗାଲୁରୁକୁ ପୁଣି ଥରେ ଆଗୁଆ (୨-୧) କରିଦେଇଥିଲେ। ଏହି ଗୋଲ୍‌ ଶୁଝିବାକୁ ନେରୋକା ପ୍ରାଣପଣେ ଚେଷ୍ଟା କରି ସଫଳ ହୋଇନଥିଲା। ତେବେ ଦ୍ୱିତୀୟାର୍ଧର ଆହତ ସମୟରେ ଗୌରମାଙ୍ଗି ସିଂହଙ୍କ ଏକ ପାସ୍‌କୁ ଛେତ୍ରୀ (୯୦+୪ ମିନିଟ୍‌) ଗୋଲ୍‌ରେ ରୂପାନ୍ତରିତ କରି ସୁପର କପ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିବାର କୀର୍ତିମାନ ପାଇଥିଲେ। ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସୁନୀଲ ଛେତ୍ରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ଏବେ ଦୁଇ ଦିନର ବିରତି ପରେ ସୋମବାରଠୁ ସେମିଫାଇନାଲ୍‌ ମୁକାବିଲା ଆରମ୍ଭ ହେବ। ସୋମବାରର ପ୍ରଥମ ସେମିଫାଇନାଲ୍‌ରେ ଇଷ୍ଟ୍‍ ବେଙ୍ଗଲ୍‌କୁ ଗୋଆ ଏଫସି ଭେଟିବାକୁ ଯାଉଥିଲା ବେଳେ ମଙ୍ଗଳବାର ଦ୍ୱିତୀୟ ସେମିଫାଇନାଲ୍‌ରେ ମୋହନ ବାଗାନକୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି। ଏହାର ଦୁଇ ଦିନର ବ୍ୟାବଧାନ ପରେ ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍‌ ସହ ଭୁବନେଶ୍ୱରରୁ ସୁପର୍‌ କପ୍‌ ପ୍ରତିଯୋଗିତା ବିଦାୟ ନେବ।

ସମ୍ବନ୍ଧିତ ଖବର