ଛେତ୍ରୀଙ୍କ ସଙ୍ଗୀତ ଉତ୍ସବ

କୋଲ୍‌କାତା: ଗତ ସପ୍ତାହରେ ଆମେରିକୀୟ ଟେନିସ୍‌ ଲଳନା ସେରେନା ଓ୍ଵିଲିୟମ୍‌ସ ଓ କୋଟିପତି ଆଲେକ୍ସିସ୍‌ ଓହାନିଆଙ୍କ ବିବାହକୁ ଶତାଦ୍ଦୀର ଶ୍ରେଷ୍ଠ ବିବାହ ଆଖ୍ୟା ଦିଆଯାଇଥିଲା ବେଳେ ଏବେ ଭାରତୀୟ ଫୁଟ୍‌ବଲ୍‌ ଅଧିନାୟକ ସୁନିଲ ଛେତ୍ରୀଙ୍କ ବିବାହ କ୍ରୀଡ଼ା ଦୁନିଆର ଆଉ ଏକ ଚର୍ଚ୍ଚାକୁ ଆସିଛି। ୩୨ ବର୍ଷ ବୟସ୍କ ଛେତ୍ରୀ ଆସନ୍ତା ଡିସେମ୍ବର ୪ ତାରିଖରେ ତାଙ୍କ ବହୁଦିନର ବାନ୍ଧବୀ ସୋନମ୍‌ ଭଟ୍ଟାଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ସୋନମ୍‌ ହେଉଛନ୍ତି କିମ୍ବଦନ୍ତୀ ଭାରତୀୟ ତଥା ମୋହନ ବାଗାନ୍‌ ଫୁଟ୍‌ବଲ୍‌ ତାରକା ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କ କନ୍ୟା। ବିବାହ ପୂର୍ବରୁ ସୋମବାର ଉଭୟ ଛେତ୍ରୀ ଓ ସୋନମ୍‌ଙ୍କର ସଙ୍ଗୀତ ଉତ୍ସବ ଆୟୋଜନ ହୋଇଯାଇଛି। ଗୋଲାପୀ ରଙ୍ଗର ପୋଷାକ ଲେହେଙ୍ଗା ଓ ସେର୍‌ଓ୍ଵାନୀ ପରିଧାନ କରିଥିବା ଛେତ୍ରୀ ଓ ସୋନମ୍‌ ଉତ୍ସବରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ବିଶେଷକରି ଛେତ୍ରୀ ଗୋଟିଏ ଆଣ୍ଠୁ ତଳେ ରଖି ସୋନମ୍‌ଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଉଥିବା ଫଟୋ ଟ୍ଵିଟର ପୃଷ୍ଠାରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର