ମୁମ୍ବାଇ: ଚାଇନିଜ୍‌ ତାଇପେ ପ୍ରଶିକ୍ଷକ ଗ୍ୟାରୀ ହ୍ଵାଇଟ୍‌ଙ୍କଠାରୁ ପ୍ରଶଂସା ପାଇଛନ୍ତି ଭାରତୀୟ ଦଳ ଅଧିନାୟକ ସୁନୀଲ ଛେତ୍ରୀ। ଚାଇନିଜ୍‌ ତାଇପେର ଯୁବ ଖେଳାଳିମାନେ ଦିନେ ସୁନୀଲ ଛେତ୍ରୀଙ୍କ ଅନୁସରଣ କରିବେ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ଛେତ୍ରୀ କହିଛନ୍ତି ‘ମୁଁ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ପ୍ରେରଣା ପାଲଟିବା ଭଳି ସ୍ତରରେ ପହଞ୍ଚିନାହିଁ। ମୁଁ ଏବେ ମୋ ଖେଳ ଏବଂ ଖେଳ ଜୀବନକୁ ନେଇ ଅଧିକ ଚିନ୍ତା କରୁଛି। ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ୫୯ ଗୋଲ୍‌ ସ୍କୋର୍‌ କରି ସାରିଥିବା ଛେତ୍ରୀ ପ୍ରଥମ ଭାରତୀୟ ଭାବେ ମଧ୍ୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ୩ ହ୍ୟାଟ୍ରିକ୍‌ ଦେଇଛନ୍ତି। ଏ କ୍ଷେତ୍ରରେ ସେ ଆପଲାରାଜୁ ଏବଂ ଆଇଏମ୍‌ ବିଜୟନଙ୍କୁ ପଛରେ ପକାଇଛନ୍ତି। କିନ୍ତୁ ପଡ଼ିଆରେ ଅଗ୍ରଭାଗ ଖେଳାଳି ଜେଜେ ଲାଲପେଖଲୁଆଙ୍କ ସହ ତାଳମେଳ ସଂଯୋଗକୁ ଏକାଠି ଖେଳିବାର ଫଳ ବୋଲି କହିଛନ୍ତି। ପ୍ରଶିକ୍ଷକ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟାଇନ୍‌ଙ୍କ ଅଧିନରେ ଛେତ୍ରୀ-ଜେଜେ ୨୫ ମ୍ୟାଚ୍‌ରୁ ୧୫ ଗୋଲ୍‌ ଦେଇ ସାରିଛନ୍ତି। ଜେଜେ ଜଣେ ଅସାଧାରଣ ପ୍ରତିଭାର ଖେଳାଳି, ସେ ଆମ ଅନ୍ୟତମ ଶ୍ରେଷ୍ଠ। ଆମ ମଧ୍ୟରେ ଭଲ ବୁଝାମଣାରୁ ଦଳକୁ ସଫଳତା ମିଳିଛି। ମୁଁ ଗୋଲ୍‌ ସ୍କୋର୍‌ କରିବା ବେଳେ ଖୁସୀ ହୋଇଥାଏ। ଦେଶ ପାଇଁ ଖେଳିବା ଏବଂ ଗୋଲ୍‌ ଦେବା ମୋ ପାଇଁ ସୌଭାଗ୍ୟ ଭଳି। ଅନ୍ତର୍ଜାତୀୟ ସ୍ତର ହେଉ କି କ୍ଲବ୍‌ ମୁଁ ପ୍ରତିଟି ଗୋଲ୍‌ରୁ ମୂଲ୍ୟ ବୁଝିଥାଏ ବୋଲି ଛେତ୍ରୀ କହିଥିଲେ। ସୂଚନାଯୋଗ୍ୟ, ଛେତ୍ରୀ ହେଉଛନ୍ତି ବିଶ୍ୱର ସକ୍ରିିୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ଯିଏ ଦେଶ ପାଇଁ ସର୍ବାଧିକ ଗୋଲ୍‌ (୯୯ ମ୍ୟାଚ୍‌ରୁ ୫୯) ଦେଇଛନ୍ତି। ତାଙ୍କ ଆଗରେ ରହିଛନ୍ତି ପର୍ତୁଗାଲ୍‌ର କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୪୯ ମ୍ୟାଚ୍‌ରୁ ୮୧ ଗୋଲ୍‌) ଏବଂ ଆର୍ଜେଣ୍ଟିନାର ଲିଓନେଲ୍‌ ମେସି (୧୨୪ ମ୍ୟାଚ୍‌ରୁ ୬୪ ଗୋଲ୍‌)।