ଛେତ୍ରୀ ଏସିଆନ୍ କପ୍‌ର ପ୍ରିୟ ଖେଳାଳି ନିର୍ବାଚିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀ ୨୦୧୯ ଏଏଫ୍‌ସି ଏସିଆନ୍ କପ୍‌ର ସବୁଠାରୁ ପ୍ରିୟ ଖେଳାଳି ନିର୍ବାଚିତ ହୋଇଛନ୍ତି। ୧୯ ଦିନର ଭୋଟିଂ ପ୍ରକ୍ରିୟାରେ ୫,୬୧,୮୫୬ ‌ଭୋଟ ପାଇଁ ଉଜ୍‌ବେ‌କିସ୍ତାନର ଏଲଡର ସୁମୁରେଡୋଭଙ୍କୁ ପଛରେ ପକାଇ ଛେତ୍ରୀ ‘ପ୍ରଶଂସକଙ୍କ ପସନ୍ଦର ଖେଳାଳି’ ମନୋନୀତ ହୋଇଛନ୍ତି। ଏସୀୟ ଫୁଟବଲ୍ ମହାସଂଘ (ଏଏଫ୍‌ସି) ତା’ର ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ନିଆରା ନିର୍ବାଚନ କରିଥିଲା। ୩୫ ବର୍ଷୀୟ ଛେତ୍ରୀ ଗତବର୍ଷ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଗୋଲ୍ ଦେଇଥିଲେ। ତାଙ୍କ ପାଇଁ ଭାରତ ରାଉଣ୍ଡ ଅଫ୍ ୧୬କୁ ପ୍ରବେଶ କରିବାର ଦ୍ବାର ଦେଶରେ ଥିଲା। ତେବେ ଶେଷ ଦୁଇ ମ୍ୟାଚ୍‌ରେ ୟୁଏଇ ଓ ବାହାରିନଠାରୁ ପରାଜିତ‌ ହୋଇ ବିଦାୟ ନେଇଥିଲା। ଛେତ୍ରୀ ଭାରତ ପକ୍ଷରୁ ୧୧୫ ମ୍ୟାଚ୍ ଖେଳି ୭୨ ଗୋଲ୍ ଦେଇଛନ୍ତି। ସେ ଭାରତର ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର ହେବା ସହ ଦେଶ ପାଇଁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସକ୍ରିୟ ଫୁଟବଲ୍ ତାରକାଙ୍କ ମଧ୍ୟରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ସେ ଦ୍ବିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ ଦେଇଛନ୍ତି। ଏପରିକି ସେ ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ ମେସିଙ୍କ ଆଗରେ ରହିଛନ୍ତି। ଗତବର୍ଷ ଛେତ୍ରୀଙ୍କ ୩୪ତମ ଜନ୍ମଦିବସରେ ଏଏଫ୍‌ସି ତାଙ୍କୁ ‘ ଏସିଆନ୍ ଆଇକନ୍’ ଉପାଧୀ ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର