ଦୋହା: ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀ ସୋମବାର ରାତିରେ ନିଜ ଖେଳ ଜୀବନର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍ ତାଲିକାରେ ଆର୍ଜେଣ୍ଟିନାର ବିଶ୍ବସ୍ତରୀୟ ଖେଳାଳି ଲିଓନେଲ୍ ମେସିଙ୍କୁ ଟପି ଯାଇଛନ୍ତି ୩୬ ବର୍ଷୀୟ ଛେତ୍ରୀ। ଦୋହାରେ ବାଂଲାଦେଶ ବିପକ୍ଷ ବିଶ୍ବକପ୍-୨୦୨୨ ଓ ଏସିଆନ୍ କପ୍-୨୦୨୩ ଯୋଗ୍ୟତା ମୁକାବିଲାରେ ଛେତ୍ରୀ ଡବଲ୍ ଗୋଲ୍ ଦେଇ ଭାରତକୁ ୨-୦ ଗୋଲରେ ବିଜୟୀ କରାଇଥିଲେ। ଏହି ଦୁଇ ଗୋଲ୍ ସହିତ ଛେତ୍ରୀଙ୍କ ମୋଟ୍ ଗୋଲ୍ ୭୪ରେ ପହଞ୍ଚିଛି। ଏଥି ସହ ମେସିଙ୍କ ୭୨ ଅନ୍ତର୍ଜାତୀୟ ଗୋଲ୍କୁ ଟପି ଛେତ୍ରୀ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ସର୍ବାଧିକ ୧୦୩ ଗୋଲ୍ ଦେଇ ଶୀର୍ଷରେ ରହିଛନ୍ତି। ସୋମବାରର ଯୁଗଳ ଗୋଲ୍ ଅବସରରେ ଛେତ୍ରୀ ମଧ୍ୟ ୟୁଏଇର ଅଲୀ ମଖାଉତ (୭୩ ଗୋଲ୍)ଙ୍କୁ ଟପିଯାଇଥିଲେ। ଅଲୀ ଏବେ ସେହ ତୃତୀୟ ସ୍ଥାନରେ ରହିଛନ୍ତି। ମେସି ଚତୁର୍ଥକୁ ଖସିଛନ୍ତି। ପୋଲାଣ୍ଡର ରବର୍ଟ ଲିୱାଣ୍ଡସ୍କି ୬୬ ଗୋଲ୍ ସହ ପଞ୍ଚମରେ ରହିଛନ୍ତି। ମେସି ଗତ ସପ୍ତାହ ଗୁରୁବାର ଚିଲି ବିପକ୍ଷ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କ ୭୨ତମ ଗୋଲ୍ ଦେଇଥିଲେ। ସେହିଦିନ ମଖାଉତ ମଧ୍ୟ ମାଲେସିଅ ବିପକ୍ଷରେ ୭୩ତମ ଗୋଲ୍ ଦେଇଥିଲେ। ଛେତ୍ରୀ ଏବେ ବିଶ୍ବର ସର୍ବକାଳୀନ ଗୋଲ୍ ସ୍କୋରରଙ୍କ ଶୀର୍ଷ ୧୦ ଭିତରେ ପ୍ରବେଶ କରିବା ଲାଗି ମାତ୍ର ଗୋଟିଏ ଗୋଲ୍ ଦୂରରେ ରହିଛନ୍ତି। ହଙ୍ଗେରିର ସାଣ୍ଡୋର୍ କୋସିସ୍, ଜାପାନର କୁନିସିଗେ କାମାମୋତୋ ଏବଂ କୁଏତର ବସାର ଅବଦୁଲ୍ଲା ୭୫ ଲେଖାଏଁ ଗୋଲ୍ ସହ ଦଶମ ସ୍ଥାନରେ ରହିଛନ୍ତି। ଛେତ୍ରୀ ମଧ୍ୟ ସୋମବାର ଏକ ଭାରତୀୟ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଭାରତର ବିଜୟରେ ଆସିଥିବା ମ୍ୟାଚ୍ରେ ସର୍ବାଧିକ ୪ ଗୋଲ୍ ଦେବାରେ ସେ ପୂର୍ବତନ ଅଧିନାୟକ ଆଇଏମ୍ ବିଜୟନଙ୍କ ସମକକ୍ଷ ହୋଇଛନ୍ତି।
ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ୬ ବର୍ଷରେ ଭାରତର ପ୍ରଥମ ବିଜୟ ଏବଂ ଛେତ୍ରୀଙ୍କ ଏହି ସଫଳତା ପାଇଁ ସର୍ବଭାରତୀୟ ଫୁଟ୍ବଲ୍ ସଂଘ ସଭାପତି ପ୍ରଫୁଲ୍ଲ ପଟେଲ୍ ଛେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ଦେଶ ବାହାରେ ଏହା ଭାରତ ପାଇଁ ୨୦ ବର୍ଷ ପରେ ପ୍ରଥମ ବିଜୟ। ଏହି ବିଜୟ ସହ ଭାରତ ଗ୍ରୁପ୍ ‘ଇ’ରେ ୭ ମ୍ୟାଚ୍ରୁ ୬ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ୧୫ ତାରିଖରେ ନିଜ ପରବର୍ତୀ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ। ଛେତ୍ରୀଙ୍କ ଦଳ ବିଶ୍ବକପ୍-୨୦୨୨ ଯୋଗ୍ୟତା ହାତଛଡ଼ା କରି ସାରିଥିଲେ ମଧ୍ୟ ଏସିଆନ୍ କପ୍-୨୦୨୩ ଆଶାକୁ ଉଜ୍ଜୀବିତ କରିଛି।
ମୁଁ ଗୋଲ୍ ଗଣେନି: ଛେତ୍ରୀ
ବିଶ୍ବର ସକ୍ରିୟ ଫୁଟବଲର୍ଙ୍କ ଅଗ୍ରଣୀ ଗୋଲ୍ ସ୍କୋରରଙ୍କ ତାଲିକାରେ ଦ୍ବିତୀୟ ସ୍ଥାନକୁ ଉଠିଥିବା ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀ କହିଛନ୍ତି ମୁଁ ଗୋଲକୁ ଗଣେ ନାହିଁ। ଆପଣ ଜାଣିଛନ୍ତି ମୁଁ ଗୋଲ୍କୁ ଗଣନା କରେ ନାହିଁ। ୧୦ ବର୍ଷ ପରେ ମୋର ସବୁ ଗୋଲ୍ ବିଷୟରେ ଆଲୋଚନା କରିବି ବୋଲି ଛେତ୍ରୀ କହିଛନ୍ତି। ‘ସୋମବାର ମ୍ୟାଚ୍ କଠୋର ଥିଲା, ଅନେକ ସୁଯୋଗ ଛାଡିଥିଲୁ, ତଥାପି ଶେଷରେ ବିଜୟୀ ହୋଇ ଆବଶ୍ୟକ ୩ ପଏଣ୍ଟ୍ ପାଇଥିବାରୁ ଖୁସି ବୋଲି କହିଥିଲେ ଛେତ୍ରୀ। କ୍ଲିନ୍ ସିଟ୍ ରଖିପାରିଥିବାରୁ ମଧ୍ୟ ମୁଁ ଅଧିକ ଖୁସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/pjm4duh8_sunil-chhetri-twitter-10-18_625x300_13_October_18.jpg)