ଦୋହା: କାତାର-୨୦୨୨ ବିଶ୍ବକପ୍ ଏବଂ ଚୀନ ଏସିଆନ୍ କପ୍-୨୦୨୩ କ୍ବାଲିଫାୟର ପ୍ରତିଯୋଗିତାରେ ସୋମବାର ଭାରତୀୟ ଦଳ ଅଧିନାୟକ ସୁନିଲ ଛେତ୍ରୀଙ୍କ ଯୁଗଳ ଗୋଲ୍ ବଳରେ ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। କୋଭିଡ୍ରୁ ମୁକ୍ତ ହୋଇ ଗତ ମ୍ୟାଚ୍ରେ ଖେଳିଥିବା ଛେତ୍ରୀ ସୋମବାର ଦ୍ବିତୀୟାର୍ଧର ୭୯ ଏବଂ ୯+୨ ମିନିଟରେ ଏହି ଦୁଇ ଗୋଲ୍ ଦେଇଥିଲେ। ଏହି ବିଜୟ ସହ ଭାରତ ୭ ମ୍ୟାଚ୍ରୁ ୬ ପଏଣ୍ଟ୍ ପାଇଥିବାବେଳେ ବାଂଲାଦେଶ ସମାନ ମ୍ୟାଚ୍ ଖେଳି ୨ ପଏଣ୍ଟ୍ରେ ସୀମିତ ରହିଛି। ଭାରତ ନିଜ ପରବର୍ତୀ ମ୍ୟାଚ୍ ଜୁନ୍ ୧୫ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଅବଶ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାରତ ବିଶ୍ବକପ୍ ଯୋଗ୍ୟତା ହରାଇ ସାରିଛି। କେବଳ ୨୦୨୩ ଏସିଆନ୍ କପ୍ ଯୋଗ୍ୟତା ଦୌଡ଼କୁ ଉଜ୍ଜୀବିତ କରିଛି।
ଗୁରୁବାର ଇଗୋର ଷ୍ଟିମାକ୍ଙ୍କ ଭାରତୀୟ ଦଳ ୦-୧ ଗୋଲ୍ରେ କାତାର ନିକଟରୁ ହାରିଯାଇଥିଲା। ସୋମବାରର ମୁକାବିଲା ପୂର୍ବରୁ ଫିଫା ମାନ୍ୟତାରେ ଭାରତ ୧୦୫ତମ ସ୍ଥାନରେ ଏବଂ ବାଂଲାଦେଶ ୧୮୪ତମ ସ୍ଥାନରେ ଥିଲେ। ଅତୀତରେ ବିଶ୍ବକପ୍ କ୍ବାଲିଫାୟରରେ ଭାରତ ଦୁଇ ଥର ବାଂଲାଦେଶକୁ ପରାସ୍ତ କରିଥିବାରୁ ହ୍ୟାଟ୍ରିକ୍ କରିଛି। ୧୯୮୫ରେ ୨-୧ ଗୋଲ୍ରେ ଭାରତ ବିଜୟୀ ହୋଇଥିଲା ଏବେ ୮ଟି ଯାକ ଗ୍ରୁପ୍ରୁ ଶ୍ରେଷ୍ଠ ୪ ଚତୁର୍ଥ ଦଳ ହିଁ ଯୋଗ୍ୟତା ହାସଲ କରିପାରିବେ। ବାଂଲାଦେଶକୁ ପରାସ୍ତ ପରେ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ୬ ବର୍ଷରେ ଭାରତ ପ୍ରଥମ ବିଜୟ ପାଇଛି। ଶେଷ ଥର ପାଇଁ ୨୦୧୫ ନଭେମ୍ବରରେ ଗୁଆମକୁ ୧-୦ ଗୋଲ୍ରେ ହରାଇଥିଲା ଭାରତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5f46h54fs56h456hfsssssssssssssssssssssssssssss.jpg)