‘ଚି-ଚି-ଚି’ ଡ୍ୟାନ୍ସରେ ବିଜୟ ଉତ୍ସବ

ଭାରତର ଐତିହାସିକ ଶୃଙ୍ଖଳା ବିଜୟର ପ୍ରମୁଖ ସୂତ୍ରଧାର ଚେତେଶ୍ବର ପୂଜାରାଙ୍କୁ ଭାରତୀୟ କ୍ରିକେଟ୍ ଦଳ ଚି-ଚି-ଚି ଡ୍ୟାନ୍ସ କରି ସମ୍ମାନ ଜଣାଇଥିଲା। ଏହି ଡ୍ୟାନ୍ସ ପୂଜାରାଙ୍କ ଚାଲିରୁ ଅନୁପ୍ରେରିତ ଥିଲା। ପୂଜାରାଙ୍କ ଚାଲିକୁ ଅନୁକରଣ କରି ୱିକେଟ୍ ରକ୍ଷକ ଋଷବ ପନ୍ତ ହିଁ ଏହି ନୃତ୍ୟର ସଂଯୋଜନା କରିଥିଲେ। ସିଡ୍‌ନି ପଡ଼ିଆରେ ଅଧିନାୟକ କୋହଲିଙ୍କ ସହ ସମଗ୍ର ଦଳ ପୂଜାରାଙ୍କ ଡାକ ନାଁ ଚିଣ୍ଟୁର ପ୍ରଥମ ଶବ୍ଦ ‘ଚି’କୁ ତିନି ଥର ଉଚ୍ଚାରଣ କରି ଏହି ନୃତ୍ୟ କରିବା ସହ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳିଥିଲେ। ଏହି ନାଚରେ ଖେଳାଳିମାନେ ନିଜ ଗୋଡ଼କୁ ଆଗ ପଛ କରିଥିଲା ବେଳେ ହାତ ଦୁଇଟିକୁ ଆଦୌ ହଲାଇ ନଥିଲେ। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ କୋହଲି ଏହାକୁ ‘ପୂଜାରା ଡ୍ୟାନ୍ସ’ର ନାମ ଦେଇଥିଲେ। ପୂଜାରା ଚାଲିଲା ବେଳେ ହାତ ହଲାନ୍ତି ନାହିଁ। ଅଧିକ ସୂଚନା ପନ୍ତ ଦେଇ ପାରିବେ। କାରଣ ଏହା ତାଙ୍କର ଯୋଜନା ଥିଲା ବୋଲି କୋହଲି କହିଥିଲେ। ବିଜୟ ପରେ ସବୁ ଖେଳାଳି ଅତି ସୁନ୍ଦର ଭାବେ ଏହି ନୃତ୍ୟ କରୁଥିଲା ବେଳେ ପୂଜାରା କିନ୍ତୁ ଏହାକୁ କରି ପାରି ନଥିଲେ। ପୂଜାରା ନାଚିବା ପରିବର୍ତେ ପ୍ୟାଡ୍ ପିନ୍ଧି ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରନ୍ତି ବୋଲି ପାଖରେ ଉପସ୍ଥିତ ଥିବା ପ୍ରଶିକ୍ଷକ ଶାସ୍ତ୍ରୀ ମଜାଳିଆ ଢଙ୍ଗରେ ମତ ରଖିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେବା ଲାଗି କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ କାନ୍ଧରେ ହାତରଖି ପଡ଼ିଆକୁ ପ୍ରବେଶ କରିଥିଲେ। ସିଡ୍‌ନି ଦର୍ଶକ କରତାଳି ମାରି ଉଭୟଙ୍କୁ ଅଭିବାଦନ ଜଣାଇଥିଲେ। କୋହଲିଙ୍କ ବିଜୟ ଉତ୍ସବ ସେତିକିରେ ଥମି ନଥିଲା। ଡ୍ରେସିଂ ରୁମ୍ ଯାଇ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ସହ ସେ ନାଗିନ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର