ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳର ଚିଫ୍ ଡି ମିଶନ୍ ନିଯୁକ୍ତ ବ୍ରିଜ୍ ଭୂଷଣ ଶରଣ ସିଂହ ରାଜନୈତିକ ଦାୟିତ୍ୱ ଥିବାରୁ ବିଳମ୍ବରେ ଜାକର୍ତା ଯାତ୍ରା କରିବେ। ଉତ୍ତରପ୍ରଦେଶରେ ପଞ୍ଚାୟତ ଉପନିର୍ବାଚନ ଥିବାରୁ ବ୍ରିଜ୍ ଭୂଷଣ ଶରଣଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ମୁଁ ଏକ ରାଜନୈତିକ ବୈଠକରେ ଯୋଗଦେବା ପରେ ଅଗଷ୍ଟ ୧୪ ତାରିଖରେ ଜାକର୍ତା ଗସ୍ତ କରିବି ବୋଲି କହିଛନ୍ତି ଭାଜପା ସାଂସଦ ବ୍ରିଜ ଭୂଷଣ। ତାଙ୍କ ଅନୁପସ୍ଥିତିରେ ଡେପୁଟି ଚିଫ୍ ଡି ମିସନ୍ ରାଜକୁମାର ସଚେତି ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିବେ। ଭାରତୀୟ ଦଳର ପ୍ରଥମ ୩ ଦିନ ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାଗ୍ରାମରେ ଆପାର୍ଟମେଣ୍ଟ୍ ଦାୟିତ୍ୱ ନେବା ଏବଂ ଖେଳାଳିଙ୍କ ନାମ ପଞ୍ଜିକରଣ ସହିତ ରହଣୀ ବ୍ୟବସ୍ଥା ଓ ପରିବେଶର ତଦାରଖ ଆବଶ୍ୟକତା ପଡ଼ିଥାଏ। ଅଗଷ୍ଟ ୧୧, ୧୨, ୧୩ ତାରିଖରେ ଖେଳାଳିଙ୍କ ପଞ୍ଜିକରଣ କରାଯିବ। ଶରଣ କେବଳ ବିଳମ୍ବରେ ଜାକର୍ତା ଯିବେ ତା ବି ନୁହେଁ, ସମ୍ପୂର୍ଣ୍ଣ ଏସୀୟ କ୍ରୀଡ଼ା ସମୟରେ ମଧ୍ୟ ସେ ରହିବେ ନାହିଁ। ସେପ୍ଟେମ୍ବର ୨ ଉଦ୍ଯାପନୀ ଉତ୍ସବ ଦିନ ହିଁ ସେ ସ୍ୱଦେଶ ଫେରି ଆସିବେ। ଉତ୍ତରପ୍ରଦେଶରେ ଅଗଷ୍ଟ ୧୭ ତାରିଖରେ ପଞ୍ଚାୟତ ଉପନିର୍ବାଚନ ହେଉଛି ଏବଂ ଆଗାମୀ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଦଳର ବିଭିନ୍ନ ଦାୟିତ୍ୱ ଦୃଷ୍ଟିରୁ ମଧ୍ୟ ସେ ଚିଫ୍ ଡି ମିସନ୍ ଦାୟିତ୍ୱକୁ ଭଲ ଭାବେ ଦେଖିବା ସ୍ଥିତିରେ ନାହାନ୍ତି। ଶରଣ ମଧ୍ୟ ଭାରତୀୟ କୁସ୍ତି ସଂଘର ସଭାପତି ଅଛନ୍ତି। କ୍ରୀଡ଼ାଗ୍ରାମରେ ଯେଭଳି ଭାରତୀୟ ଖେଳାଳିମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ ଶରଣ ଗୁରୁତ୍ୱ ଦେଇଛନ୍ତି। ପୂର୍ବଦିନ ଏହି ମର୍ମରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍ ଉତ୍ତମ ଆଚରଣ ରଖିବାକୁ ଭାରତୀୟ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଚୟନ ବିବାଦ ଓ ଦ୍ୱନ୍ଦ୍ୱ ଭିତରେ ଭାରତ ଏଥର ଏସୀୟ କ୍ରୀଡ଼ା ପାଇଁ ୫୭୨ ଖେଳାଳିଙ୍କୁ ପଠାଇଛି। ଏମାନେ ୩୬ ଖେଳରେ ଭାଗନେବେ। ଏହା ବାଦ୍ ୧୮୩ ଜଣ ସହକାରୀଙ୍କ ନାମକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ମଞ୍ଜୁର କରିଛି। ଅତିରିକ୍ତ ୪୯ ଜଣ ନିଜ ଖର୍ଚରେ ଯାଇଛନ୍ତି।
ବିଳମ୍ବରେ ଜାକର୍ତା ଯିବେ ଚିଫ୍ ଡି ମିସନ୍
/sambad/media/post_attachments/wp-content/uploads/2018/08/8-brijbhusan_sharn_singh_gonda_info.jpg)
/sambad/media/agency_attachments/2024-07-24t043029592z-sambad-original.webp)