ଅଲିମ୍ପିକ୍ସ ପଦକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋଭନୀୟ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ପାଇଁ ୬ କୋଟି, ରୌପ୍ୟକୁ ୪, କାଂସ୍ୟ ୨.୫

‘‘ଭଲ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବୁ’’

ଭୁବନେଶ୍ୱର: ଓଡ଼ିଶାର କୌଣସି‌ ଖେଳାଳି ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ମ‌ାଲେମାଲ୍‌ ହୋଇଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିମାନଙ୍କ ସହ କଥା ହେଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ସ୍ବର୍ଣ୍ଣ ଜିତିଲେ ୬ କୋଟି, ରୌପ୍ୟ ପାଇଁ ୪ କୋଟି ଏବଂ କାଂସ୍ୟ ଜିତିଲେ ୨.୫ କୋଟି ମିଳିବ ବୋଲି ଘୋଷଣା କରିଥିଲେ। ଏହା ଛଡ଼ା ପ୍ରସ୍ତୁତି ଲାଗି ଯୋଗ୍ୟତା ଅର୍ଜନ କରିଥିବା ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଜୁଲାଇ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି। ଓଡ଼ିଶାରୁ ହକିରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ ଗ୍ରେସ୍‌ ଏକ୍କା, ଆଥଲେଟ୍‌ ଦୂତି ଚାନ୍ଦ, ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କ ସହ ମହିଳା ହକି ଦଳର ସଂରକ୍ଷିତ ଖେଳାଳି ଭାବେ ନମିତା ଟପ୍ପୋ ଟୋକିଓ ଯାଉଛନ୍ତି। ଗୁରୁବାର ଏହି ଅଲିମ୍ପିଆନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ‘‘ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ବପ୍ନ। ତୁମେମାନେ ଓଡିଶାର ଯୁବ ସମାଜ ପାଇଁ ଆଦର୍ଶ ପାଲଟିଯାଇଛ। ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ। କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ବାରା ତୁମେମାନେ ନିଶ୍ଚୟ ପଦକ ଜିତିବ’’।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲିମ୍ପିକ୍ସରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ। ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବେ ସେମାନଙ୍କର ମତାମତ ଦେଇ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ‌ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଅଲମ୍ପିକ୍ସ ପ୍ରସ୍ତୁତି ଓ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର