ପ୍ରମୋଦ ଭଗତଙ୍କୁ ୬ କୋଟି ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ସୁନା ପୁଅ ଏବଂ ବିଶ୍ବ ବିଜେତା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌ରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ଫଳରେ ଏହି ସୁନା ପୁଅଙ୍କୁ ଗୁରୁବାର କଳିଙ୍ଗ ‌ଷ୍ଟାଡିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ କୋଟି ଟଙ୍କା ଅର୍ଥରାଶିର ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ଗ୍ରୁପ୍‌-ଏ ଚାକିରିର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

‘‘ଅଭିନନ୍ଦନ ପ୍ରମୋଦ ଭଗତ। ତୁମର ଉଲ୍ଲେଖନୀୟ ସଫଳତା ଓ ବିଜୟ ସାରା ‌ଦେଶକୁ ଗର୍ବିତ କରିଛି ଏବଂ ଏହା ସବୁଦିନ ପାଇଁ ମନେ ରହିବ। କ୍ରୀଡ଼ା କିପରି ଜୀବନକୁ ଉନ୍ନତ ଓ ସଶକ୍ତ କରିବ ତାହା ତୁମେ ପ୍ରମାଣ କରିଛ। ତୁମେ ନୂଆ ପିଢ଼ିର କ୍ରୀଡ଼ାବିତ୍‌ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ହୋଇଛ। ଅଧିକ ଗୌରବ ଆଣିବା ଲାଗି ଶୁଭେଚ୍ଛା ଜଣାଉଛି। ଆଗକୁ ବଢ଼ିବା ଲାଗି ଆମର ସହଯୋଗ ଜାରି ରହିବ’’ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। ଅଲିମ୍ପିକ୍ସ ଅଭିଯାନରେ ନିରନ୍ତର ସହଯୋଗ ଏବଂ ପ୍ରେରଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ କାଉନସିଲ୍‌ ଅଧ୍ୟକ୍ଷ ଦିଲୀପ ତିର୍କି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା, କ୍ରୀଡ଼ାବିତ୍‌ ଏବଂ କ୍ରୀଡ଼ାବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର