୬ ହକି ଖେଳାଳିଙ୍କୁ ୫ କୋଟି:ଏସିଆଡ୍‌ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା

ଭୁବନେଶ୍ୱର: ଇଣ୍ଡୋନେସିଆରେ ଆୟୋଜିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଓଡ଼ିଆ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ସମ୍ବର୍ଧିତ କରିଛନ୍ତି। ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳର ସଦସ୍ୟ ଥିବା ସୁନିତା ଲାକ୍ରା, ନମିତା ଟପ୍ପୋ, ଦୀପଗ୍ରେସ୍‌ ଏକ୍କା ଓ ଲିଲିମା ମିଞ୍ଜ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଛନ୍ତି। ଅନ୍ୟପକ୍ଷରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିଛି। ୨୦୧୭ ବର୍ଷ ପାଇଁ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସରେ ପ୍ରଦାନ କରାଯାଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ଦୁଇ ବିଜେତା ସୁନିତା ଏବଂ ଅମିତ ଅତିରିକ୍ତ ୨ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ। ସେମାନଙ୍କୁ ଆର୍ଥିକ ପୁରସ୍କାର ସହ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏସିଆଡ୍‌ ପାଇଁ ଉଭୟ କ୍ରୀଡ଼ା ଦିବସ ଉତ୍ସବରେ ଯୋଗଦେଇ ପାରି ନଥିଲେ। ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିନ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର ବାଲକୃଷ୍ଣ, କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ ଦେବ ଏବଂ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ।
ଜଉନା, ପୂର୍ଣ୍ଣିମାଙ୍କୁ ୭.୫ ଲକ୍ଷ ଲେଖାଏଁ
୬ ଜଣ ହକି ଖେଳାଳିଙ୍କୁ ୫ କୋଟି ଟଙ୍କା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜାକର୍ତା ଏସିଆଡ୍‌ର ମହିଳା ହେପ୍ଟାଥଲନ ଏବଂ ୪୦୦ ମିଟର ବାଧାଦୌଡ଼ରେ ଅଂଶଗ୍ରହଣ କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୁଇ ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ ଓ ଜଉନା ମୁର୍ମୁଙ୍କୁ ମଧ୍ୟ ସମ୍ବର୍ଧିତ କରିଥିଲେ। ତା’ ସହ ଉଭୟଙ୍କୁ ୭.୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସ୍ମୃତିଫଳକ ପ୍ରଦାନ କରିଥିଲେ। ଉଭୟ ଏସିଆଡ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ରାଜ୍ୟର ଗୌରବ ବୃଦ୍ଧି କରିଥିବାରୁ ଏହି ପୁରସ୍କାର ପାଇଥିଲେ। ପୂର୍ଣ୍ଣିମା ନିଜ ବର୍ଗର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଜଉନା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର