ଜାପାନକୁ କାଟିଲା ଚୀନ୍‌

ଭୁବନେଶ୍ୱର: ସର୍ବାଧିକ ଥର ଏସୀୟ କ୍ରୀଡ଼ା ଦଳଗତ ବିଜେତା ହେବାରେ ଜାପାନର କୀର୍ତିମାନକୁ ଚୀନ୍‌ କାଟିଥିଲା ଗତ ୨୦୧୪ ସଂସ୍କରଣରେ। ପ୍ରଥମ ୮ ଥର ବିଜେତା ହୋଇଥିବା ଜାପାନ ୧୯୮୨ ନୂଆଦିଲ୍ଲୀ ସଂସ୍କରଣଠୁ ପଛରେ ପଡ଼ିଯାଇଥିଲା। ସେବେଠାରୁ ଲଗାତାର ୯ ଥର ବିଜେତା ହୋଇ ଚୀନ୍‌ ନୂଆ ଇତିହାସ ରଚିଥିଲା ଦକ୍ଷିଣ କୋରିଆର ଇଞ୍ଚିଅନ୍‌ ସହରରେ। ୧୯୮୬ ଏବଂ ୨୦୦୨ ପରେ ଦକ୍ଷିଣ କୋରିଆ ତୃତୀୟ ଥର ଆୟୋଜନ କରିବାର ଗୌରବ ପାଇଥିଲା। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ୪୫ ଦେଶରୁ ୯,୫୦୧ ଖେଳାଳି ଭାଗ ନେଇଥିଲେ ୩୬ ଖେଳ ଅନ୍ତର୍ଗତ ୪୩୯ ଇଭେଣ୍ଟ୍‌ରେ। ଏହା ମଧ୍ୟରେ ୨୮ ଅଲିମ୍ପିକ୍ସ ଏବଂ ୮ ଅଣ ଅଲିମ୍ପିକ୍ସ ଖେଳ ସାମିଲ ଥିଲା। ପୂର୍ବ ସଂସ୍କରଣରେ ସାମିଲ କ୍ରିକେଟ୍‌କୁ ବାଦ୍‌ ଦିଆଯାଇଥିଲା। ଭିତ୍ତିଭୂମୀର ଅଭାବ ଏବଂ ଅଳ୍ପ ଦେଶ ଖେଳୁଥିବାର କାରଣ ଦର୍ଶାଯାଇଥିଲା। ଖେଳ ମଇଦାନରେ ଚୀନ୍‌ ଚମକ ଜାରି ରହିଥିବା ବେଳେ ଏହି ଦେଶ ୧୫୧ ସ୍ୱର୍ଣ୍ଣ, ୧୦୯ ରୌପ୍ୟ ଓ ୮୫ କାଂସ୍ୟ ପଦକ ସହିତ ମୋଟ ୩୪୫ ପଦକ ଜିତିଥିଲା। କମ୍‌ ପଦକ ଜିତିଥିଲେ ମଧ୍ୟ ଚୀନ୍‌ ଶୀର୍ଷରେ ରହିଥିଲା। ଦକ୍ଷିଣ କୋରିଆ (୭୯+୭୦+୭୯) ମୋଟ ୨୨୮ ଏବଂ ଜାପାନ (୪୭+୭୭+୭୬) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। କାଜାକସ୍ତାନ (୨୮+୨୩+୩୩), ଇରାନ୍‌ (୨୧+୧୮+୧୮), ଥାଇଲାଣ୍ଡ୍‌ (୧୨+୭+୨୮), ଉତ୍ତର କୋରିଆ (୧୧+୧୧+୧୪), ଭାରତ (୧୧+୯+୩୭), ଚାଇନିଜ୍‌ ତାଇପେ (୧୦+୧୮+୨୩) ଏବଂ କାତାର (୧୦+୦+୪) ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ଟାଏକୋଣ୍ଡୋରେ କାମ୍ବୋଡିଆ ମହିଳା ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିବା ଥିଲା ଉଲ୍ଲେଖନୀୟ। ୩୭ ଏସୀୟ ଦେଶ ଅନ୍ୟୁନ ଗୋଟିଏ ପଦକ ଜିତିବା ଏବଂ ୨୮ ଦେଶ ଅନ୍ୟୁନ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିବା ଭଲ କଥା ଥିଲା। କିନ୍ତୁ ୮ ଦେଶ ବିନା ପଦକରେ ସ୍ୱଦେଶ ଫେରିଥିଲେ। ଏକାଧିକ ବିବାଦ ଭିତରେ ଶେଷ ହୋଇଥିବା ଏହି ସଂସ୍କରଣରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲୈସରାମ ସରିତା ଦେବୀ ବିଚାରକଙ୍କ ପକ୍ଷପାତ କାରଣରୁ ସେମିଫାଇନାଲରୁ ହାରିବା ଅଧିକ ଚର୍ଚିତ ଥିଲା।

ସମ୍ବନ୍ଧିତ ଖବର