ଫୁଝୌ : ଚଳିତ ଫୁଝୌ ଚାଇନା ଓପନ୍‌ ମହିଳା ଏକକରେ ଭାରତର ଅଭିଯାନ ଶେଷ ହୋଇଛି। ମଙ୍ଗଳବାର ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ବିଦା ହୋଇଥିଲା ବେ‌ଳେ ବୁଧବାର କାଂସ୍ୟ ବିଜୟିନୀ ସାଇନାଙ୍କ ଅଭିଯାନ ମଧ୍ୟ ପ୍ରଥମ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ଅଷ୍ଟମ ମାନ୍ୟତାପ୍ରାପ୍ତ ସାଇନାଙ୍କୁ ୯-୨୧, ୧୨-୨୧ରେ ସ୍ଥାନୀୟ ଖେଳାଳି କାଇ ୟାନ୍‌ୟାନ୍‌ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ସେହିଭଳି ପୁରୁଷ ଯୁଗଳରେ ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ, ପୁରୁଷ ଏକକରେ ସମୀର ବର୍ମା ଏବଂ ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ନିଜ ନିଜର ପ୍ରଥମ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ମନୁ ଓ ସୁମିତ ୨୧-୨୩, ୧୯-୨୧ରେ ମାଲେସିଆର ଆରୋନ ଚିଆ ଓ ସୋ ଓଇ ୟିକ୍‌ଙ୍କଠୁ, ସମୀର ୧୮-୨୧, ୧୮-୨୧ରେ ହଂକଂର ଲି ଚିକ ୟିକ୍‌ଙ୍କଠୁ ଏବଂ ପ୍ରଣବ ଓ ସିକ୍କି ୧୪-୨୧, ୧୪-୨୧ରେ ତାଇପେର ୱାଙ୍ଗ ଚି-ଲିନ୍‌ ଓ ଚେଙ୍ଗ ଚିୟାଙ୍କଠୁ ହାରି ଯାଇଥିଲେ। ତେବେ ପୁରୁଷ ଏକକରେ ଦୁଇ ଭାରତୀୟ ତାରକା ବି ସାଇ ପ୍ରଣୀତ ଏବଂ ପରୁପଲ୍ଲୀ କାଶ୍ୟପ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ପ୍ରଣୀତ ୧୫-୨୧, ୨୧-୧୨, ୨୧-୧୦ରେ ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କୁ ଏବଂ କାଶ୍ୟପ ୨୧-୧୪, ୨୧-୧୩ରେ ଥାଇଲାଣ୍ଡର ସିଥିକମ ଥାମାସିନଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି।