ଚାଇନା ଓପନ୍‌ କ୍ବାର୍ଟର୍‌ରେ ସିନ୍ଧୁ, ଶ୍ରୀକାନ୍ତ

ଫୁଝୌ (ଚୀନ୍‌): ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ଓପନ୍‌ ଓ୍ବାଲ୍ଡ ଟୁର୍‌ ସୁପର ୭୫୦ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ମହିଳା ଏକକ ଦ୍ବିତୀୟ ରାଉଣ୍ଡ୍‌ରେ ଅଲିମ୍ପିକ ଓ ଦୁଇ ଥର ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୨, ୨୧-୧୫ରେ ଥାଇଲାଣ୍ଡ୍‌ର ବୁସାନାନ୍‌ ଓଙ୍ଗବାମ୍ରୁଙ୍ଗଫ‌‌ାନଙ୍କୁ ହରାଇଥିଲେ। ସେହିପରି ପୁରୁଷ ଏକକ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଶ୍ରୀକାନ୍ତ ୧୦-୨୧, ୨୧-୯, ୨୧-୯ରେ ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କୁ ପରାସ୍ତ କରିଥିଲେ। ୨୦୧୬ରେ ସିନ୍ଧୁ ଏବଂ ୨୦୧୪ରେ ଶ୍ରୀକାନ୍ତ ଏଠାରେ ଟ୍ରଫି ଜିତିବାର ସୌଭାଗ୍ୟ ପାଇଥିଲେ। କ୍ବାର୍ଟର୍‌ ଫାଇନାଲ୍‌ରେ ତୃତୀୟ ମାନ୍ୟତା ସିନ୍ଧୁ ଅଷ୍ଟମ ମାନ୍ୟତା ଚୀନ୍‌ର ହି ବିଙ୍ଗ୍‌ଜିଆଓଙ୍କୁ ଏବଂ ଶ୍ରୀକାନ୍ତ ଚାଇନିଜ୍‌ ତାଇପେର ଚୌ ତିଏନ୍‌ ଚେନ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଠୀ ୧୬-୨୧, ୨୧-୧୪, ୨୧-୧୫ରେ ଇଣ୍ଡୋନେସିଆର ୱାୟୁ ନାଇକା ଆର୍ଯ୍ୟ ପାଙ୍ଗକାରିୟାନା ଓ ଆଦି ୟୁସୁଫ ସାନ୍ତୋଷଙ୍କୁ ହରାଇ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧିତ ଖବର