ଚାଇନା ଓପନ୍‌ କ୍ୱାର୍ଟର୍‌ରେ ଶ୍ରୀକାନ୍ତ, ସିନ୍ଧୁ

ଚାଙ୍ଗ୍‌ଝୁ: ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଏବଂ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର ୧୦୦୦ ପ୍ରତିଯୋଗିତାରେ ବିଜୟ ଜାରି ରଖି କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକରେ ସପ୍ତମ ମାନ୍ୟତା ଶ୍ରୀକାନ୍ତ ୨୧-୧୨, ୧୫-୨୧, ୨୪-୨୨ରେ ଥାଇଲାଣ୍ଡ୍‌ର ସୁପାନ୍ୟୁ ଅଭିଙ୍ଗ୍‌ସାନନ୍‌ଙ୍କୁ ପରାସ୍ତ କରିଥିଲେ। ସେହିଭଳି ମହିଳା ଏକକରେ ତୃତୀୟ ମାନ୍ୟତା ସିନ୍ଧୁ ୨୧-୨୩, ୨୧-୧୩, ୨୧-୧୮ରେ ଥାଇଲାଣ୍ଡ୍‌ର ବୁସାନାନ ଓଙ୍ଗବାମ୍ରୁଙ୍ଗଫଙ୍ଗଙ୍କୁ ହରାଇଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ଶ୍ରୀକାନ୍ତ ଜାପାନ୍‌ର କେଣ୍ଟୋ ମୋମୋଟାଙ୍କୁ ଏବଂ ସିନ୍ଧୁ ପଞ୍ଚମ ମାନ୍ୟତା ଚୀନ୍‌ର ଚେନ୍‌ ୟୁଫାଇଙ୍କୁ ଭେଟିବେ। ତେବେ ମିଶ୍ରିତରେ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ-ଅଶ୍ୱିନୀ ପୁନପ୍ପା ଏବଂ ପ୍ରଣବ ଜେରି ଚୋପ୍ରା-ଏନ୍‌ ସିକ୍କି ରେଡ୍ଡୀ ଏବଂ ପୁରୁଷ ଯୁଗଳରେ ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀଙ୍କ ଅଭିଯାନ ଶେଷ ହୋଇଛି। ମିଶ୍ରିତ ଯୁଗଳରେ ସାତ୍ୱିକ ଓ ଅଶ୍ୱିନୀ ୧୪-୨୧, ୧୧-୨୧ରେ ଚୀନ୍‌ର ଶୀର୍ଷ ମାନ୍ୟତା ଝେଙ୍ଗ୍‌ ସିଓଇ ଓ ହୁଆଙ୍ଗ୍‌ ୟାକ୍ୱିଙ୍ଗ୍‌ଙ୍କଠୁ, ପ୍ରଣବ ଓ ଏନ୍‌ ସିକ୍କି ୧୬-୨୧, ୧୦-୨୧ରେ ଡେନ୍‌ମାର୍କର ମାଥିୟାସ୍‌ କ୍ରିଷ୍ଟିଆନ୍‌ସେନ୍‌ ଓ କ୍ରିସ୍ତିନା ପେଡେରସନ୍‌ଙ୍କଠୁ ଏବଂ ପୁରୁଷ ଯୁଗଳରେ ମନୁ-ସୁମିତ ୯-୨୧, ୧୦-୨୧ରେ ଚାଇନିଜ୍‌ ତାଇପେର ଚେନ୍‌ ହୁଙ୍ଗ୍‌ ଲିନ୍‌ ଓ ଓ୍ଵାଙ୍ଗ୍‌ ଚି-ଲିନ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର