ସଚିନ ଓ ସେହବାଗଙ୍କ ଭିତରୁ ଜଣକୁ ବାଛ? ରୋହିତ କହିଲେ, ମାରିବ ନା କ’ଣ!

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ନଜଫ ଗଡ଼ର ନବାବ ବୀରେନ୍ଦ୍ର ସେହବାଗଙ୍କ ଭିତରୁ ଜଣକୁ ବାଛ? ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ପଚରା ଯାଇଥିଲା ଏଭଳି ଏକ ପ୍ରଶ୍ନ। ପ୍ରଶ୍ନଟି ଶୁଣିବା ମାତ୍ରେ ରୋହିତ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ଉଭୟ ସଚିନ ଓ ସେହବାଗଙ୍କୁ ସେ ସମ୍ମାନ କରନ୍ତି, ଭଲପାଆନ୍ତି। ଦ୍ବନ୍ଦ୍ବ ଓ ସଂଶୟ ଭିତରେ ରୋହିତ ଏହାର କୌତୁକିଆ ଉତ୍ତର ରଖିଥିଲେ। ସେ କହିଥିଲେ ମାରିବ ନା କ’ଣ? ଭାଇ। ଏହା କରି ସଚିନ ଓ ସେହବାଗଙ୍କ ମଧ୍ୟରୁ ଜଣକୁ ବାଛିବା ତାଙ୍କ ପକ୍ଷରେ କେତେ ଯେ କଷ୍ଟକର ରୋହିତ ତାହା ଦର୍ଶାଇଥିଲେ। ସଚିନଙ୍କ ସହ ‌ରୋହିତ ବେଶି ଦିନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି, ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମ୍‌ରେ ତାଙ୍କ ସହ ଢେର ସମୟ କଟାଇଛନ୍ତି। ୨୦୧୧ ମସିହାରୁ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡ଼ିତ ଅଛନ୍ତି।

ସଚିନ ପ୍ରଥମେ ଖେଳାଳି ଓ ଏବେ ଏହି ଦଳର ମାର୍ଗଦର୍ଶକ ଅଛନ୍ତି। ସେପଟେ ରୋହିତଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଏକାଧିକ ବାର ଆଇପିଏଲ୍ ବିଜେତା ହୋଇଛି। ଅନୁରୂପ ଭାବେ ସେହବାଗଙ୍କ ସହ ରୋହିତ ବି ଅଧିକ ଦିନ ଡ୍ରେସିଂ ରୁମ୍ ବାଣ୍ଟି ନାହାନ୍ତି, ତଥାପି ଅନେକ ସମୟରେ ସେହବାଗଙ୍କୁ ସେ ଭୂୟଶୀ ପ୍ରଶଂସା କରିଛନ୍ତି। ୨୦୧୩ରେ ସେହବାଗଙ୍କ ବଦଳରେ ହିଁ ରୋହିତ ଭାରତୀୟ ଦିନିକିଆ ଦଳର ପାଳି ଆରମ୍ଭ କରିଥିଲେ। ଏବେ ବି ସେହି ସ୍ଥାନରେ ସେ ସ୍ଥିର ଓ ସୁଦୃଢ଼ ରହିଛନ୍ତି। ରୋହିତ ପାଳି ଆରମ୍ଭ କରିବା ପରେ ସେହବାଗ କିନ୍ତୁ ଭାରତ ପାଇଁ ଗୋଟିଏ ହେଲେ ବି ଏକଦିବସୀୟ ମ୍ୟାଚ୍ ଖେଳିନଥିଲେ। ୨୦୧୩ରେ ରୋହିତ ମଧ୍ୟ ଏକଦିବସୀୟ କ୍ରିକେଟ୍‌ରେ ଦ୍ବିଶତକ ଅର୍ଜନ କରିଥିବା ଖେଳାଳି ତାଲିକାରେ ସଚିନ ଓ ସେହବାଗଙ୍କ କ୍ଲବ୍‌ରେ ଯୋଗଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ଦୁଇ ଜଣଙ୍କଠାରୁ ଆଗେଇଯାଇ ଦିନିକିଆ କ୍ରିକେଟ୍‌ର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ତିନିଟି ଦ୍ବିଶତକ ହାସଲ କରିଥିଲେ।

ସଚିନ୍‌ ୨୦୦୭ରେ କ୍ରିକେଟ୍‌ ଛାଡ଼ିବାକୁ ଚାହୁଁଥିଲେ: କର୍ଷ୍ଟେନ୍‌
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ତତ୍‌କାଳୀନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍‌ ତାଙ୍କ ସମୟର କାର୍ଯ୍ୟ ଏବଂ କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ସହ ସଂପର୍କକୁ ମନେ ପକାଇଛନ୍ତି। ସଚିନ୍‌ ୨୦୦୭ରେ ତାଙ୍କ ବ୍ୟାଟିଂ ସ୍ଥାନକୁ ନେଇ ସନ୍ତୁଷ୍ଟ ନଥିଲେ ଏବଂ ସେ ସେତେବେଳେ କ୍ରିକେଟ୍‌ ପରିତ୍ୟାଗ କରିବାକୁ ଚାହୁଁଥିଲେ ବୋଲି ନିଜ ସ୍ମୃତିରୁ କହିଛନ୍ତି ଏହି ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର୍‌। ସେହି ବର୍ଷ ମଧ୍ୟ ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବିଦା ହୋଇଯାଇଥିଲା।

ସଚିନ୍‌ଙ୍କ ସହ ମୁଁ ଭାରତୀୟ ଦଳରେ ପ୍ରଶିକ୍ଷଣ ଯାତ୍ରାକୁ ଖୁବ୍‌ ଉପ‌ଭୋଗ କରିଥିଲି। ସେତେବେଳେ ମୁଁ ସଚିନ୍‌ଙ୍କ କଥା ହିଁ ଚିନ୍ତା କରୁଥିଲି। ଯେତେବେଳେ ସେ ଦଳରେ ଥିଲେ ସେତେବେଳେ ମୁଁ ଭାରତରେ ପହଞ୍ଚିଥିଲି। ହେଲେ କ୍ରିକେଟ୍‌କୁ ଉପଭୋଗ କରିପାରୁନଥିବାରୁ ଅବସର ନେଇଯିବାର ଚିନ୍ତା ସଚିନ୍‌ କରୁଥିଲେ ବୋଲି ସ୍ପୋର୍ଟ ପୋଡ୍‌କାଷ୍ଟ ଦି କ୍ରିକେଟ୍‌ କଲେକ୍ଟିଭ୍ ଅନ୍‌ ସ୍ପୋଟିଫି ସହ ବାର୍ତାଳାପ ବେଳେ କହିଥିଲେ କର୍ଷ୍ଟେନ୍‌। ସଚିନ୍‌ଙ୍କ ମତରେ ସେ ନିଜ ପସନ୍ଦର ବ୍ୟାଟିଂ କ୍ରମ ବାହାରେ ଖେଳୁଥିଲେ। ତେଣୁ ସେ କ୍ରିକେଟ୍‌କୁ ଆଦୌ ଉପଭୋଗ କରିପାରୁନଥିଲେ। ହେଲେ କର୍ଷ୍ଟେନ୍‌ ହିଁ ସଚିନ୍‌ଙ୍କୁ ଏକ୍ଷେତ୍ରରେ ସହାୟତା କରିଥିଲେ। କର୍ଷ୍ଟେନ୍‌ ୨୦୦୮ ମାର୍ଚ୍ଚରେ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ନେଇଥିଲେ। ସେ ହିଁ ସଚିନ୍‌ଙ୍କୁ ତାଙ୍କ ପସନ୍ଦର ସ୍ଥାନ ଦେଇଥିଲେ। ଏପରିକି କର୍ଷ୍ଟେନ୍‌ ପ୍ରଶିକ୍ଷକ ପଦ ସମ୍ଭାଳିବାଠାରୁ ୨୦୧୧ ବିଶ୍ବକପ୍‌ ଶେଷ ପର୍ଯ୍ୟନ୍ତ ସଚିନ୍‌ ୩୮ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୭ ଶତକ (ଗୋଟିଏ ଦ୍ବିଶତକ ସମେତ) ସହିତ ସଂଗ୍ରହ କରିଥିଲେ ମୋଟ ୧୯୫୮ ରନ୍‌। ଆଉ ସେହି ସମୟରେ ମଧ୍ୟ ସଚିନ୍‌ ୩୧ ଟେ‌ଷ୍ଟ୍‌ ଖେଳି ୧୨ ଶତକ ସହାୟତାରେ ୨୯୧୦ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ୩ ବର୍ଷ ମଧ୍ୟରେ ସଚିନ୍‌ ୧୮ ଆନ୍ତର୍ଜାତିକ ଶତକ (ପ୍ରକୃତରେ ୧୯) ଜମାଇଥିଲେ। ସେ ଯେଉଁ ସ୍ଥାନରେ ଚାହୁଁଥିଲେ ସେଠାରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଉଥିଲା ଏବଂ ଆମେ ବିଶ୍ବକପ୍‌ ଜିତିଥିଲୁ ବୋଲି କର୍ଷ୍ଟେନ୍‌ କହିଛନ୍ତି। ମୋ ମତରେ ସଚିନ୍‌ କ୍ରିକେଟ୍‌କୁ ଠିକ୍‌ ଭାବେ ପଢ଼ିପାରନ୍ତି ଏବଂ ବୁଝିପାରନ୍ତି। ତେଣୁ ମୁଁ ତାଙ୍କୁ ମୋର କାର୍ଯ୍ୟକାଳ ମଧ୍ୟରେ ବିଶେଷ କିଛି କହୁନଥିଲି। ଦଳ ପାଇଁ କ’ଣ ଆବଶ୍ୟକ ତାହା ସେ ସଠିକ୍‌ ଭାବେ ଠଉରାଇ ପାରୁଥିଲେ। କେବଳ ନିଜ ପାଇଁ କାହିଁକି ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଯାହା ଦରକାର ସେ ଜାଣୁଥିଲେ। ଯେଉଁଥିପାଇଁ ମୋ ସମୟରେ ଭାରତୀୟ ଦଳ ଏକ ଶକ୍ତିଶାଳୀ ଭାବେ ଉଭା ହୋଇପାରିଥିଲା ବୋଲି ମନେ ପକାଇଛନ୍ତି କର୍ଷ୍ଟେନ୍‌।

ସମ୍ବନ୍ଧିତ ଖବର