ଚୋପ୍ରାଙ୍କ ଚମକ ନୂଆ ନୁହେଁ; ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ହରିୟାଣା ହିରୋ

ନିରଜ ଚୋପ୍ରାଙ୍କ ଐତିହାସିକ ସ୍ବର୍ଣ୍ଣିମ ସଫଳତା ଭାରତକୁ ଦୀର୍ଘ ୧୨୧ ବ‌ର୍ଷ ପରେ ଦୌଡ଼କୁଦରୁ ଅଲିମ୍ପିକ୍ସ ପଦକ ଦେଇଛି। କିନ୍ତୁ ନୀରଜଙ୍କ ପ୍ରତିଭା ଢେର ଦିନ ତଳୁ ପ୍ରଷ୍ଫୁଟିତ ହୋଇସାରିଛି। କେବଳ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାକୁ ଛାଡ଼ିଦେଲେ ନିରଜଙ୍କ ନାମରେ ଏବେ ସବୁ ବଡ଼ ପ୍ରତିଯୋଗିତାର ସ୍ବର୍ଣ୍ଣ ପଦକ ଯୋଡ଼ି ହୋଇଯାଇଛି। ‌ଗୁଆହାଟୀରେ ଦକ୍ଷିଣ ଏସୀୟ କ୍ରୀଡ଼ା (୨୦୧୬), ଭୁବନେଶ୍ବରରେ ଏସୀୟ ଦୌଡ଼କୁଦ (୨୦୧୭), ଜାକର୍ତାରେ ଏସୀୟ କ୍ରୀଡ଼ା (୨୦୧୮), ଗୋଲ୍ଡ କୋଷ୍ଟ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୮)ର ପ୍ରମୁଖ ବରିଷ୍ଠ ବର୍ଗର ପ୍ରତିଯୋଗିତାର ସ୍ବର୍ଣ୍ଣ ପଦକକୁ ନିରଜ ପୂର୍ବରୁ ଜିତି ସାରିଥିଲେ। ଏବେ ମିଶନ୍ ଟୋକିଓ ସଫଳ ହୋଇଛି। ଭାରତୀୟ କ୍ରୀଡ଼ା ଇତିହାସର ନବୀନ ନିରଜ ଭାବେ ଉଭା ହୋଇଛନ୍ତି ଏହି ୨୪ ବର୍ଷୀୟ ହରିୟାଣା ଚୋପ୍ରା।

ଏସବୁ ପୂର୍ବରୁ ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ନିରଜ ୨୦୧୬ ବିଶ୍ବ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା (ପୋଲାଣ୍ଡ୍‌)ରେ ୮୬.୪୮ ମିଟର୍‌ ପ୍ରଦର୍ଶନ ସହିତ ବିଶ୍ବ କୀର୍ତ୍ତିମାନ (କନିଷ୍ଠ) ପ୍ରତିଷ୍ଠା କରି ସ୍ବର୍ଣ୍ଣିମ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏବେ ୮ ବର୍ଷ ତଳର ସେହି ଯାତ୍ରାକୁ କ୍ରୀଡ଼ା ମହାକୁମ୍ଭରେ ବି ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ନିରଜଙ୍କ ଅଲିମ୍ପିକ୍ ସ୍ବର୍ଣ୍ଣ ପ୍ରଦର୍ଶନ (୮୭.୫୮ ମିଟର୍‌) କିନ୍ତୁ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନଠାରୁ ବି କମ୍‌। ତାଙ୍କ ନାମରେ ଥିବା ଜାତୀୟ କୀର୍ତ୍ତିମାନ ହେଉଛି ୮୮.୦୭ ମିଟର୍‌। ଏହା ପୂର୍ବରୁ ସେ ଜାକର୍ତା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ ପ୍ରଦର୍ଶନ ବେଳେ ଜାଭଲିନ୍‌ ଫିଙ୍ଗିଥିଲେ ୮୮.୦୬ ମିଟର୍‌। ପ୍ରଥମ ଭାରତୀୟ ଭାବେ ସେ ଜିତିଥିଲେ ବିଶ୍ବ ୨୦ ବର୍ଷରୁ କମ୍‌ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ମୁକୁଟ।

ହରିୟାଣା ହିରୋ
୧୯୯୭ ମସିହା ଡିସେମ୍ବର ୨୪ ତାରିଖରେ ହରିୟାଣାର ପାନିପତ ଜିଲ୍ଲା ଖାନ୍ଦ୍ରା ଗାଁରେ ଜନ୍ମିତ ନିରଜ ଚଣ୍ଡିଗଡ଼ର ଡିଏଭି ସ୍କୁଲ୍‌ରେ ପଢ଼ିଥିଲେ। ସେ ରୋର୍‌ ମାରାଠା ସମ୍ପ୍ରଦାୟର। ଭାରତୀୟ ସେନାବାହିନୀରେ ସେ ନାଏବ ସୁବେଦାର ମାନ୍ୟତା ସହିତ ଏବେ ଜୁନିୟର୍‌ କମିସନଡ ଅଫିସର୍‌ ରହିଛନ୍ତି। ବିଶିଷ୍ଟ ସେବା ପଦକ (ଭିଏସଏମ୍‌) ସମ୍ମାନ ମଧ୍ୟ ସେ ପାଇ ସାରିଛନ୍ତି। ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ସରକାରଙ୍କ ୭୫ ଲକ୍ଷ ଟଙ୍କା ଏବଂ ହରିୟାଣା ସରକାରଙ୍କ ପକ୍ଷରୁ ଘୋଷିତ ୬ କୋଟି ଟଙ୍କାର ପୁରସ୍କାରକୁ ସେ ପାଇବାକୁ ମଧ୍ୟ ହକ୍‌ଦାର ହୋଇଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ
ପୁରୀ: କାଳିଆ ସାଆନ୍ତଙ୍କୁ ଯିଏ ବି ଯାହା ଅନ୍ତରରୁ ଡାକିଛି, ସେ ଡାକ ସର୍ବଦା ଶୁଣିଛନ୍ତି ମହାପ୍ରଭୁ। ଟୋକିଓ ଅଲମ୍ପିକ୍‌ରେ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଏହାର ଜ୍ବଳନ୍ତ ଉଦାହରଣ। ଭୁବନେଶ୍ବର ରହିଣୀ ଅବସରରେ ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଭୁଲି ନଥିଲେ। କ୍ରୀଡ଼ା ସଂଗଠକ ସବ୍ୟସାଚୀ ରଥ କହିଛନ୍ତି ଯେ ସେ ସମୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ଜରିଆରେ ନୀରଜଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ସମୟରେ ପରିଚିତ ବ୍ୟକ୍ତି ନୀରଜଙ୍କୁ ମନ୍ଦିର ବୁଲାଇ ନେବାକୁ ନିବେଦନ କରିଥିଲେ। ନିବେଦନ ରକ୍ଷା କରି ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲି। ଯେହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିଲା, ନୀରଜ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। ଆଉ ଆଜି ତାଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଛି। ଟୋକିଓ ଅଲମ୍ପିକ୍ସରେ ତାଙ୍କୁ ସ୍ବର୍ଣ୍ଣ ମିଳିଛି। ସେହିଭଳି କାଂସ୍ୟ ବିଜେତା ବଜରଙ୍ଗ ପୁନିଆ ବି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଥିଲେ। ଅନ୍ୟପଟେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବି ତାଙ୍କ ସହ ପୁରୀ ବେଳାଭୂମିରେ ସମୟ କାଟିବା ସହ ପଇଡ଼ ପିଇଥିବା କହିଛନ୍ତି। ଏହି ସଫଳତା ପାଇଁ ସେ ନୀରଜ ଚୋପ୍ରାଙ୍କ ସହ ବଜରଙ୍ଗ ପୁନିଆଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର