ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍‌ରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ

ସିଡ୍‌ନି: ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍‌ରାଉଣ୍ଡର କ୍ରିସ୍‌ କେର୍ନସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଅଷ୍ଟ୍ରେଲିଆରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯିବାରୁ କାନ୍‌ବେରା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୋଲି ନ୍ୟୁଜିଲାଣ୍ଡ ଗଣମାଧ୍ୟମରେ ପ୍ରକାଶ ପାଇଛି। ୫୧ ବର୍ଷୀୟ କେର୍ନସଙ୍କ ହୃଦ୍‌ଘାତ ହେବା ପରେ ସେ ଅନେକଥର ଏହାର ଅସ୍ତ୍ରୋପଚାର କରାଇଥିଲେ। ‌ହେଲେ ଏହା ସଫଳ ହୋଇପାରିନଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡ ଖେଳାଳି ସଂଘ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଦେଇଛି। ସେହିଭଳି ନ୍ୟୁଜିଲାଣ୍ଡ କ୍ରିକେଟ୍ ମୁଖପାତ୍ର କହିଛନ୍ତି ଯେ ଏହା କେର୍ନସଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିବାରୁ ସାଂପ୍ରତିକ ସମୟରେ ଆମେ କୌଣସି ମନ୍ତବ୍ୟ ଦେବୁନୁ।

କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୧୯୮୯ରୁ ୨୦୦୬ ମସିହା ମଧ୍ୟରେ ୬୨ ଟେଷ୍ଟ୍‌, ୨୧୫ ଦିନିକିଆ ଏବଂ ୨ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଅବସର ପରେ ସେ କ୍ରିକେଟ୍‌ ଭାଷ୍ୟକାର କାମ କରୁଥିଲେ। ସୀମିତ ଓଭର କ୍ରିକେଟ୍‌ରେ ସେ ଜଣେ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଥିଲେ। ତାଙ୍କ ବାପା ଲାନ୍ସ ମଧ୍ୟ ନ୍ୟୁଜିଲାଣ୍ଡ ପକ୍ଷରୁ ‌କ୍ରିକେଟ୍‌ ଖେଳିଥିଲେ। ୨୦୧୦ରେ ଅଷ୍ଟ୍ରେଲିଆର ମେଲାନି କ୍ରୋସରଙ୍କ ସହ ବିବାହ କରିବା ପରେ ସେ କାନ୍‌ବେରାରେ ରହି ଆସୁଥିଲେ। ଅବସର ପରେ ତାଙ୍କ ନାମରେ ମ୍ୟାଚ୍‌ ଫିକ୍ସିଂ ଅଭି‌ଯୋଗ ଆସିଥିଲା। ୨୦୦୮ ବିବାଦୀୟ ଇଣ୍ଡିଆନ୍‌ କ୍ରିକେଟ୍‌ ଲିଗ୍‌ (ଆଇସିଏଲ୍‌)ରେ ଚଣ୍ଡିଗଡ଼ ଲାୟନ୍ସର ଅଧିନାୟକ ଥିଲା ବେଳେ ଏହି ଅଭିଯୋଗ ଆସିଥିଲା।

ସମ୍ବନ୍ଧିତ ଖବର