ଆଇପିଏଲ୍ ବଳୟ ବାହାରକୁ ଚାଲିଗଲେ ଗେଲ୍‌

ଦୁବାଇ : ଆଇପିଏଲ୍‌ ଜୈବ ବଳୟର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଅଣନିଶ୍ବାସୀ ହୋଇପଡ଼ି ୱେଷ୍ଟଇଣ୍ଡିଜ୍‌ ତାରକା କ୍ରିସ୍‌ ଗେଲ୍‌ ଏହାର ବାହାରକୁ ଚାଲିଯାଇଛନ୍ତି। ଅର୍ଥାତ୍ ସେ ଆଉ ପଞ୍ଜାବ କିଙ୍ଗ୍ସ ପାଇଁ ଚଳିତ ଋତୁର ଅବଶିଷ୍ଟ ମ୍ୟାଚ୍‌ ଗୁଡିକରେ ଖେଳିବେ‌ ନାହିଁ ବୋଲି ସ୍ପଷ୍ଟ ହୋଇଛି। ‘ଜୈବ ବଳୟର କ୍ଲାନ୍ତ’ କାରଣରୁ ସେ ଏହାର ବାହାରକୁ ଚାଲିଯାଇଛନ୍ତି ଏବଂ ଆସନ୍ତା ମାସର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନିଜକୁ ସତେଜ କରି ୱେଷ୍ଟଇଣ୍ଡିଜ୍ ଦଳରେ ସାମିଲ ହେବେ ବୋଲି ମଧ୍ୟ କହିଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ୍‌ ଏବେ ଦୁବାଇର ଅନ୍ୟ ଏକ ଜୈବ ବଳୟରେ ସୁରକ୍ଷିତ ପରିବେଶ ମଧ୍ୟରେ ରହିଛନ୍ତି।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଗେଲ୍ କହିଛନ୍ତି ‘ବିଗତ କିଛି ମାସ ହେବ ମୁଁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ବଳୟ ମଧ୍ୟରେ ରହିଥିଲି। ସିପିଏଲ୍ ଜୈବ ବଳୟରୁ ଆଇପିଏଲ୍‌ ଜୈବ ବଳୟକୁ ଆସିଥିଲି। ଏବେ ମୁଁ ମାନସିକ ଭାବେ ନିଜକୁ ସତେଜ କରିବାକୁ ଚାହେଁ। ୱେଷ୍ଟଇଣ୍ଡିଜ୍‌କୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା କରାଇବା ଉପରେ ମୁଁ ଏକାଗ୍ରତା ରଖୁଛି। ମୋତେ ଛୁଟି ଦେଇଥିବାରୁ ମୁଁ ପଞ୍ଜାବ କିଙ୍ଗ୍ସକୁ ଧନ୍ୟବାଦ ଜଣାଉଛି। ଦଳ ସହ ମୋ ଶୁଭେଚ୍ଛା ଓ ଆଶା ରହିଛି। ଆଗାମୀ ମ୍ୟାଚ୍‌ଗୁଡିକରେ ଦଳ ଭଲ କରିବ ବୋଲି ମୁଁ ଆଶାବାଦୀ’। ପଞ୍ଜାବ କିଙ୍ଗ୍ସ ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ମଧ୍ୟ ଗେଲ୍‌ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି। ‘ମୁଁ ଗେଲ୍‌ଙ୍କ ବିପକ୍ଷରେ ଖେଳିଛି ଏବଂ ତାଙ୍କୁ ପଞ୍ଜାବ କିଙ୍ଗ୍ସରେ ପ୍ରଶିକ୍ଷଣ ଦେଇଛି। ଏସବୁ ବର୍ଷଗୁଡିକରୁ ଜାଣିଛି ସେ ସବୁବେଳେ ପେସାଦାର। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ନିଜକୁ ପ୍ରସ୍ତୁତ କରିବାକୁ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଉଛି’ ବୋଲି କୁମ୍ବଲେ ପ୍ରକାଶ କରିଛନ୍ତି।

ପଞ୍ଜାବ କିଙ୍ଗ୍ସ ସିଇଓ ସତୀଶ ମେନନ କହିଛନ୍ତି ‘କ୍ରିସ୍‌ ଜଣେ କିଂବଦନ୍ତି ଖେଳାଳି ଯିଏ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ବଦଳାଇ ଦେଇଥିଲେ। ତାଙ୍କ ନିଷ୍ପତ୍ତି ସହ ଆମେ ରହିଛୁ ଏବଂ ପଞ୍ଜାବ କିଙ୍ଗ୍ସ ପରିବାର ନିଶ୍ଚିତ ତାଙ୍କୁ ମିସ୍‌ କରିବ। ଆମେ ତାଙ୍କ ସଫଳତା କାମନା କରୁଛୁ’। ସୂଚନାଯୋଗ୍ୟ, ୪୨ ବର୍ଷୀୟ ଗେଲ୍ ୟୁଏଇ ଚରଣରେ ପଞ୍ଜାବ କିଙ୍ଗ୍ସ ପାଇଁ ମାତ୍ର ୨ ମ୍ୟାଚ୍‌ ଖେଳି ବିଫଳ (୧୫ ରନ୍‌) ହୋଇଥିଲେ। ଏବେ ସେ ଦୁବାଇରେ ଅଟକି ରହିଛନ୍ତି ଏବଂ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ୱେଷ୍ଟଇଣ୍ଡିଜ୍ ଦଳରେ ସାମିଲ ହେବେ।

ସମ୍ବନ୍ଧିତ ଖବର