କ୍ରିସ୍‌ପିନ୍‌ ଛେତ୍ରୀ ଓଡ଼ିଶା ମହିଳା ଫୁଟ୍‌ବଲ୍‌ର ମୁଖ୍ୟ ପ୍ରଶିକ୍ଷକ

ଶ୍ରଦ୍ଧାଞ୍ଜଳି, ଆଲୋଚନା ସହକାରୀ
ନନ୍ଦକିଶୋର, ୟୁନୁସଙ୍କ ସ୍ଥାନରେ ସସ୍ମିତା
ଅଭିନ୍ନ ଚୟନ ସମିତି ସଦସ୍ୟ

କଟକ : ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ସଦସ୍ୟ କ୍ରିସ୍‌ପେନ୍‌ ଛେତ୍ରୀ ଓଡ଼ିଶା ମହିଳା ଫୁଟ୍‌ବଲର ମୁଖ୍ୟ ପ୍ରଶିକ୍ଷକ ଭାବେ ଶୁକ୍ରବାରଠୁ ଯୋଗଦେଇଛନ୍ତି। ତାଙ୍କୁ ପ୍ରଶିକ୍ଷଣରେ ସହାୟତା କରିବା ପାଇଁ ପୂର୍ବତନ ଆନ୍ତର୍ଜାତିକ ମହିଳା ଫୁଟ୍‌ବଲ ଖେଳାଳି ତଥା ଭାରତୀୟ ଦଳର ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଆଲୋଚନା ସେନାପତିଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସମ୍ଭାବ୍ୟ ୩୫ ଜଣିଆ ଓଡ଼ିଶା ମହିଳା ଖେଳାଳିଙ୍କ ଶିବିର ବିଡ଼ାନାସୀ ପଡ଼ିଆରେ ଚାଲିଥିଲା ବେଳେ ସେଠାରେ ଉପରୋକ୍ତ ତିନି ପ୍ରଶିକ୍ଷକ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିବା ଓଡ଼ିଶା ଫୁଟ୍‌ବଲ ସ˚ଘ (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

କ୍ରିସ୍‌ପିନ୍‌ ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ କୁରସେଓଙ୍ଗର ବାସିନ୍ଦା ହୋଇଥିଲା ବେଳେ ଏଆଇଏଫ୍‌ଏଫ୍‌ର ‘ଏ’ ଲାଇସେନ୍ସ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ। ସେ ୧୯୯୯ରେ ଶ୍ରୀଲଙ୍କାରେ ହୋଇଥିବା ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ଏଥିସହ ସେହି ସମୟରେ ମରିସସ୍‌ ଯାଇଥିବା ଭାରତୀୟ ଦଳର ସେ ସକ୍ରିୟ ସଦସ୍ୟ ଥିଲେ। ବେଙ୍ଗଲ, ମହାରାଷ୍ଟ୍ର, ସିକିମ୍‌ ତରଫରୁ ସେ ସନ୍ତୋଷ ଟ୍ରଫି ଖେଳିଛନ୍ତି। କ୍ରିସ୍‌ପିନ୍‌ ତାଙ୍କର ୨୦ ବର୍ଷର ଖେଳଜୀବନ ମଧ୍ୟରେ ମୋହନ ବାଗାନ, ପୁନେ ଏଫ୍‌ସି, ଟଲିଗୁଙ୍ଗେ ଅଗ୍ରଗାମୀ, ୟୁନାଇଟେଡ୍‌ ସ୍ପୋର୍ଟ୍ସ ଭଳି ନାମୀ କ୍ଲବ୍‌ମାନଙ୍କ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଛନ୍ତି। ଏଥିସହ ଆଇଏଫ୍‌ଏ ସିଲ୍ଡ, ଡୁରାଣ୍ତ କପ୍‌, ପୁନେ ଲିଗ୍‌, ଦିଲ୍ଲୀ ଲିଗ୍‌ର ଟ୍ରଫି ବିଜେତା ହୋଇଛନ୍ତି। ଏଥିସହ ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ବେଳେ ପଞ୍ଜାବରେ ହୋଇଥିବା ଜାତୀୟ କ୍ରୀଡ଼ାରେ ସେ ଦଳକୁ କା˚ସ୍ୟ ପଦକ ଜିତାଇଥିଲେ। ପ୍ରଶିକ୍ଷଣ ଜୀବନ ମଧ୍ୟରେ ସେ ଆଇ-ଲିଗ୍‌ ଦଳ ପ୍ରୟାଗ ୟୁନାଇଟେଡ୍‌ର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ନିଜ ଜିଲ୍ଲାରେ ଫୁଟ୍‌ବଲ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଥିଲେ। ୨୦୨୦ରେ ଆଇ-ଲିଗ୍‌ର ଦ୍ବିତୀୟ ଡିଭିଜନ୍‌ ଦଳ ଲୋନ୍‌ଷ୍ଟାର‌୍‌ କାଶ୍ମୀର ଏଫ୍‌ସିର ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ ଓ ୨୦୨୦/୨୧ ଋତୁରେ ମହମ୍ମଡାନ ସ୍ପୋର୍ଟି˚ର ସହକାରୀ ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରିଛନ୍ତି। ଭାରତୀୟ ମହିଳା ଲିଗ୍‌ରେ ସେଥୁ ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିବା ଜଣାପଡ଼ିଛି।

ବିଡ଼ାନାସୀରେ ଚାଲିଥିବା ଏହି ଶିବିରରୁ ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ। ତେବେ ଚୟନ ସମିତିରେ ପୂର୍ବରୁ ଥିବା ନନ୍ଦକିଶୋର ପଟ୍ଟନାୟକ ଓ ସେକ୍‌ ୟୁନୁସ୍‌ଙ୍କ ପରଲୋକ ଘଟିଥିବାରୁ ତାଙ୍କ ବଦଳରେ ସସ୍ମିତା ମଲ୍ଲିକ ଓ ଅଭିନ୍ନ ସୁନ୍ଦର ରାଉତଙ୍କୁ ଏହି ସମିତିରେ ସ୍ଥାନ ମିଳିଛି। ତେବେ ଓଡ଼ିଶା ଦଳର ପ୍ରସ୍ତୁତି ସ˚କ୍ରାନ୍ତରେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି ଯେ ମହିଳା ଫୁଟ୍‌ବଲ୍‌ର ଉନ୍ନତି ପାଇଁ ରାଜ୍ୟ ସରକାର ଏବେ ଜୋର‌୍‌ ଦେଉଛନ୍ତି। ତେଣୁ ସରକାରଙ୍କ ସହଯୋଗ ମିଳୁଥିବାରୁ ଏଥର ରାଜ୍ୟ ମହିଳା ଦଳକୁ ଅଧିକ ଶକ୍ତ କରିବା ପାଇଁ କ୍ରିସ୍‌ପିନ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ପୂର୍ବରୁ ଓଡ଼ିଶା ବିଜେତା ଓ ଉପବିଜେତା ହୋଇଆସୁଥିଲା ବେଳେ ଏଥର ଅନେକ ନୂଆ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି। ସେମାନଙ୍କୁ ଜାତୀୟସ୍ତରୀୟ ଖେଳାଳି ଭାବେ ଗଢିତୋଳିବାକୁ ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାରଙ୍କ ତତ୍ତ୍ବାବଧାନରେ ନୂଆ ଯୋଜନା ହାତକୁ ନିଆଯାଇଛି। ମହିଳା ଫୁଟ୍‌ବଲର ବିକାଶ ଦିଗରେ ଜବାର ତାଙ୍କ ବ୍ୟସ୍ତବହୁଳ ସମୟ ସତ୍ତ୍ବେ ମାର୍ଗଦର୍ଶନ ଦେଇଆସୁଛନ୍ତି। ତେଣୁ ଏଥର ଓଡ଼ିଶା ମହିଳା ପୁଣି ଥରେ ପୂର୍ବ ଗୌରବ ଦୋହରାଇବେ ବୋଲି ଆଶୀର୍ବାଦ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର