ଖ୍ରୀଷ୍ଟଚର୍ଚ୍ଚ : ଶ୍ରୀଲଙ୍କା ଦ୍ରୁତ ବୋଲରଙ୍କ ସଫଳତା କାରଣରୁ ଚଳିତ ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଅଡୁଆ ପରିସ୍ଥିତିରେ ରହିଛି। ଭ୍ରମଣକାରୀ ଦିମୁଥ କରୁଣାରତ୍ନେଙ୍କ ଦଳ ପ୍ରଥମ ପାଳିରେ ୩୫୫ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିବା ବେଳେ ଦ୍ବିତୀୟ ଦିନ ସୁଦ୍ଧା ନ୍ୟୁଜିଲାଣ୍ଡ୍‌ ୧୬୨ ରନ୍‌ରେ ୫ ୱିକେଟ୍ ହରାଇ ଦେଇଛି। ଲାହିରୁ କୁମାରା, ଅସିଥ ଫର୍ଣ୍ଣାଣ୍ଡୋ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ କାସୁନ ରଜିଥା ଗୋଟିଏ ୱିକେଟ୍ ନେଇଛନ୍ତି। ଘରୋଇ ଦଳ ଏବେ ମଧ୍ୟ ୧୯୩ ରନ୍‌ ପଛରେ ରହିଛି।

Advertisment

ପ୍ରାରମ୍ଭିକ ଯୋଡ଼ି ଟମ୍ ଲଥାମ (୧୪୪ ବଲ୍‌ରୁ ୬୭ ରନ୍‌) ଏବଂ ଡେଭନ୍ କନୱେ (୮୮ ବଲ୍‌ରୁ ୩୦ ରନ୍‌) ୬୭ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ ମଧ୍ୟ ୯ ରନ୍‌ ଭିତରେ କନୱେ, କେନ୍‌ ୱିଲିୟମସନ୍‌, ହେନରି ନିକଲ୍ସ ଆଉଟ୍ ‌ହୋଇଯାଇଥିଲେ। ଏକଦା ନ୍ୟୁଜିଲାଣ୍ଡ୍‌ ୭୬/୩ରେ ସଂଘର୍ଷ କରିଥିଲା। ଡାରିଲ୍ ମିଚେଲ୍‌ (୮୯ ବଲ୍‌ରୁ ୪୦* ରନ୍‌)ଙ୍କୁ ସାଥି କରି ଲଥାମ ୫୮ ରନ୍‌ ଯୋଡ଼ିଥିଲେ। ଶେଷ ଅଧଘଣ୍ଟା ଭିତରେ ଟମ୍ ବ୍ଲଣ୍ଡେଲଙ୍କୁ ରଜିଥା କଟ୍ ବିହାଇଣ୍ଡ୍‌ କରାଇ ନେଇଥିଲେ। ପୂର୍ବରୁ ଶ୍ରୀଲଙ୍କା ଏହାର ପୂର୍ବଦିନର ଅସମାପ୍ତ ପାଳିକୁ ୩୦୫/୬ରୁ ଖେଳି ୫୦ ରନ୍‌ ଯୋଡ଼ିବା ପରେ ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ଅଧିନାୟକ ଟିମ୍ ସାଉଦି (୨୬.୪-୧୦-୬୪-୫) ୧୫ତମ ଥର ପାଇଁ ୫ ୱିକେଟ୍ ସଫଳତା ପାଇଥିଲେ। ସାଥି ଦ୍ରୁତ ବୋଲର ମ୍ୟାଟ୍ ହେନରିଙ୍କୁ ୪ ୱିକେଟ୍ ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୯୨.୪ ଓଭରରେ ୩୫୫ (କୁସାଲ ମେଣ୍ଡିଜ୍‌-୮୭, ଦିମୁଥ କରୁଣାରତ୍ନେ-୫୦, ଆଞ୍ଜେଲୋ ମାଥ୍ୟୁସ-୪୭, ଧନଞ୍ଜୟ ଡି’ସିଲଭା-୪୬, କାସୁନ ରଜିଥା-୨୨, ଟିମ୍ ସାଉଦି-୫/୬୪, ମ୍ୟାଟ୍ ହେନରି-୪/୮୦, ମାଇକେଲ୍ ବ୍ରେସୱେଲ୍‌-୧/୧୭)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୬୩ ଓଭରରେ ୧୬୨/୫ (ଟମ୍ ଲଥାମ-୬୭, ଡେଭନ୍ କନ୍‌ୱେ-୩୦, ଡାରିଲ୍‌ ମିଚେଲ୍‌-୪୦*, ଲାହିରୁ କୁମାରା-୨/୩୪, ଅସିଥ ଫର୍ଣ୍ଣାଣ୍ଡୋ-୨/୪୨, କାସୁନ ରଜିଥା-୧/୩୮)।