କିକ୍‌ ବକ୍ସିଂ କଳଙ୍କ ୨:ଲୋଟସ୍‌ ହୋଟେଲ୍‌ରେ ରହଣୀ, ଡିଟିପି ସେଣ୍ଟର୍‌ରେ ଫଟୋସପ୍‌

ଭୁବନେଶ୍ୱର: କିକ୍‌ ବକ୍ସିଂରେ ହୋଇଥିବା ପଦକ ଜାଲିଆତି ମାମଲାରେ ଆହୁରି ଅନେକ ସଂଗୀନ ତଥ୍ୟ ପଦାକୁ ଅସିଛି। ଖେଳାଳିଙ୍କୁ ଦିଲ୍ଲୀ ନେବା ପରେ କିଭଳି ଯୋଜନାବଦ୍ଧ ଭାବେ ସେମାନଙ୍କୁ ବୁଦାପେଷ୍ଟ ନନେଇ ହୋଟେଲରେ ରଖା ଯାଇଥିଲା ଏବଂ ସେଠାକାର ଏକ ଡିଟିପି ସେଣ୍ଟରରେ ଫଟୋସପ୍‌ କରାଯାଇ ହାତରେ ବିଶ୍ୱ ପ୍ରତିଯୋଗିତାର ପଦକ ଏବଂ ପ୍ରଚ୍ଛଦପଟ୍ଟରେ ସେଠାକାର ଦୃଶ୍ୟକୁ ଯୋଡ଼ି ଦିଆ ଯାଇଥିଲା ତା’ର ପୂରା ଚିଠା ଖେଳାଳିମାନେ ଗୋଟି ଗୋଟି କରି ଖୋଲିଛନ୍ତି। ସେମାନେ ଏଥିଲାଗି ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶା ବା ଓ୍ଵାକୋ ଓଡ଼ିଶାର ସଭାପତି କାର୍ତିକ ଡାକୁଆଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ଡାକୁଆ ସାର୍‌ଙ୍କ ନେତୃତ୍ୱରେ ଓଡ଼ିଶା ଦଳ ବୁଦାପେଷ୍ଟ ଯାଉଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ କେବଳ ତାଙ୍କୁ ଭିସା ମିଳିଥିଲା। ଆମ ଚାରି ଜଣଙ୍କୁ କିଭଳି ଓ କାହିଁକି ଭିସା ମିଳିଲାନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପୂର୍ବ ନିଷ୍ପତ୍ତି ଓ ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିଲା ବୋଲି ସ୍ପଷ୍ଟ ଭାବେ ମତ ରଖିଛନ୍ତି। ୫ ଜଣିଆ ଓଡ଼ିଶା ଦଳର ଅନ୍ୟତମ ସଦସ୍ୟ ଜିତେନ୍ଦ୍ର ରାଉତ କହିଛନ୍ତି ଯେ ଆମେ ଅଜାଣତରେ ଏଭଳି ଦୁର୍ନୀତି କାର୍ଯ୍ୟରେ ଛନ୍ଦି ହୋଇ ଯାଇଥିଲୁ। ନଭେମ୍ବର ପହିଲାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ୩ ତାରିଖରେ ଆମକୁ ଭିସା ମିଳିବ ବୋଲି ଆଶ୍ୱାସନା ଦିଆ ଯାଇଥିଲା।

ହେଲେ ୭ ତାରିଖ ସୁଦ୍ଧା ଏହାର କୌଣସି ସୂଚନା ଆମର ହସ୍ତଗତ ହୋଇ ନଥିଲା। ୬ ଦିନ ପର୍ଯ୍ୟନ୍ତ ଆମେ ଘୋର ମାନସିକ ଚାପ ଏବଂ ଦ୍ୱନ୍ଦ୍ୱରେ ଦିଲ୍ଲୀରେ ବୁଲା ବୁଲି କରି ସମୟ କଟାଇଥିଲୁ। ଡାକୁଆ ସାର୍‌ ଆମକୁ ସେଠାରେ ଛାଡ଼ି ଏକୁଟିଆ ବୁଦାପେଷ୍ଟ ଚାଲି ଯାଇଥିଲେ। ସେହି ଭିତରେ ଜାତୀୟ ସଂଘର ଅଧିକାରୀମାନେ ଆମକୁ ନାନା ପ୍ରକାର ପ୍ରଲୋଭନ ଦେଖାଇଥିଲେ। ଡାକୁଆ ସାର୍‌ ୧୩ ତାରିଖରେ ଭାରତ ଫେରିବା ପରେ ଜାତୀୟ ସଂଘର ଅଧିକାରୀଙ୍କ ସହ ମିଶି ଏଭଳି କାର୍ଯ୍ୟ କରିବାକୁ ପ୍ରବର୍ତାଇ ଥିଲେ।

ଶେଷରେ ଆମେ ରହୁଥିବା ଲୋଟସ୍‌ ହୋଟେଲ ନିକଟରେ ଥିବା ଏକ ଡିଟିପି କେନ୍ଦ୍ରକୁ ଯାଇ ଫଟୋ ସପ୍‌ କରାଇଥିଲୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଯାଇ ଫଟୋ ଉଠାଇବା ସହ ତାଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲୁ। ଆମେ ଧରିଥିବା ପଦକ ପ୍ରକୃତରେ ବିଶ୍ୱ ପ୍ରତିଯୋଗିତାର ନଥିଲା। ୪୮ ଜଣିଆ ଭାରତୀୟ ଦଳରୁ ଭିସା ମିଳି ନଥିବା ୨୮ ଜଣ ଖେଳାଳିଙ୍କୁ ଭୁଆଁ ବୁଲାଇବା ଲାଗି ଜାତୀୟ ସଂଘ ତରଫରୁ ଆମକୁ ସମ୍ବର୍ଧନା ଦିଆ ଯାଇ ଦିଲ୍ଲୀରୁ କିଣା ଯାଇଥିବା ଟ୍ରଫି ଓ ପଦକକୁ ହାତରେ ଧରାଇ ଦିଆ ଯାଇଥିଲା।
ବିଶ୍ୱ ପ୍ରତିଯୋଗିତା ଲାଗି ପଞ୍ଜିକରଣର ଶେଷ ତାରିଖ ନଭେମ୍ବର ୬ ତାରିଖ ଥିଲା ବେଳେ ଖେଳାଳିମାନଙ୍କୁ ଏହି ବିଷୟରେ ଅନ୍ଧାର ଭିତରେ ରଖା ଯାଇଥିଲା। ୭ ତାରିଖ ପର୍ଯ୍ୟନ୍ତ ବି ସେମାନଙ୍କୁ ବୁଦାପେଷ୍ଟ ପଠାଯିବ ବୋଲି ଆଶ୍ୱାସନା ଦିଆ ଯାଇଥିଲା। ୧୪ ତାରିଖରେ ଓଡ଼ିଶା ଫେରିବା ପୂର୍ବରୁ ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶା ଖବରକୁ ପ୍ରସାରିତ କରିଥିଲା। ଅନୁଗୁଳରୁ ହିଁ ଏହା ବିଭିନ୍ନ ଗଣମାଧ୍ୟମକୁ ପଠାଯାଇଥିଲା। ସବୁଠାରୁ ଲଜ୍ଜାଜନକ ବିଷୟ ହେଲା କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଗଲା ବେଳେ ଓଡ଼ିଶାର ୩ ଜଣ ପିଲାଙ୍କ ହାତରେ ବୁଦାପେଷ୍ଟ ବିଶ୍ୱ ପ୍ରତିଯୋଗିତାରେ ଦିଆ ଯାଇଥିବା ସ୍ୱର୍ଣ୍ଣ ପଦକର ଅବିକଳ ନକଲ ଥିଲା। ହେଲେ ସେମାନେ ଧରିଥିବା ଟ୍ରଫି ଦୁଦାପେଷ୍ଟରେ କୌଣସି ସ୍ୱର୍ଣ୍ଣ ବିଜେତାକୁ ଆଦୌ ଦିଆ ଯାଇ ନଥିଲା।

ସମ୍ବନ୍ଧିତ ଖବର