ସିଲି ପଏଣ୍ଟ୍‌: ଭାରତ-ପାକିସ୍ତାନକୁ ଏକାଠି କରିବାକୁ ବାହା ହୋଇ ନଥିଲି: ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ସୁନ୍ଦାରୀ ସାନିଆ ମିର୍ଜା ଯେତେବେଳେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କଲେ, ଉଭୟ ଦେଶରେ ଏହା ପ୍ରମୁଖ ଚର୍ଚାର ବିଷୟ ହୋଇଥିଲା। ଏହି ବିବାହ ଦୁଇ ଦେଶକୁ ନିକଟତର କରିବ ବୋଲି କିଛି କ୍ରୀଡ଼ାପ୍ରେମୀ ସ୍ୱପ୍ନ ଦେଖିଥିଲେ। ହେଲେ ସାନିଆ ତାଙ୍କ ବିବାହର ଲକ୍ଷ୍ୟ ଭାରତ-ପାକିସ୍ତାନକୁ ଏକାଠି କରିବା ନଥିଲା ବୋଲି ଏକ ସାକ୍ଷାତକାର ଅବସରରେ ସ୍ପଷ୍ଟ କରି ଦେଇଛନ୍ତି। ସୋଏବ ଓ ମୁଁ ଭାରତ-ପାକିସ୍ତାନକୁ ଏକାଠି କରିବା ଲାଗି ବିବାହ କରୁଛୁ ବୋଲି ସେତେବେଳେ ଅନେକ ଲୋକଙ୍କ ଧାରଣା ଥିଲା। ହେଲେ ଏହା ସତ ନୁହେଁ। ଅବଶ୍ୟ ଆମେ ଦୁଇ ଜଣ ଉଭୟ ଦେଶରେ ଭଲ ପାଇବା ଓ ସମ୍ମାନ ପାଇ ଆସୁଛୁ ବୋଲି ସାନିଆ କହିଛନ୍ତି। ଅକ୍ଟୋବରରେ ମା’ ହେବାକୁ ଯାଉଥିବା ସାନିଆ କିନ୍ତୁ ତାଙ୍କ ପିଲା ଭାରତ କିମ୍ବା ପାକିସ୍ତାନର ନାଗରିକ ହେବ ସେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଆମେ ଏକଥାକୁ ଆଦୌ ଗୁରୁତ୍ୱ ଦେଉନୁ। ଏହା ଭଲ ଶିରୋନାମା ହୋଇପାରେ। ହେଲେ ଘରେ ଆମ ପାଇଁ ଏହାର କୌଣସି ମୂଲ୍ୟ ନାହିଁ। ସୋଏବ ମୋତେ କେବେବି ପିଲା ପାଇଁ ଚାପ ପକାଇ ନଥିଲେ। ତାଙ୍କର ଏହି ଗୁଣକୁ ମୁଁ ବହୁତ ସମ୍ମାନ କରେ ବୋଲି ସାନିଆ ଏହି ବିଷୟରେ ପ୍ରତିକ୍ରିୟା ରଖି କହିଥିଲେ। ସୋଏବ ଝିଅ ଚାହୁଁଥିବା ମଧ୍ୟ ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର