ଦୀର୍ଘ ୩୬ ବର୍ଷ ତଳେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ୧୯୮୩ରେ କପିଳ ଦେବଙ୍କ ନେତୃତ୍ବରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିଥିଲା। ଲର୍ଡସ ବାଲକୋନିରେ କପିଳ ବିଶ୍ବକପ୍ ତୋଳି ଧରିବାର ଚିତ୍ର ଆଜି ବି ଭାରତୀୟ କ୍ରିକେଟ୍ ମନରେ ସିହରଣ ସୃଷ୍ଟି କରେ। କିମ୍ବଦନ୍ତୀ କ୍ରିକେଟର୍ କପିଳ ମଧ୍ୟ ନିଜ ଜୀବନର ସେହି ସ୍ବର୍ଣ୍ଣିମ ଫର୍ଦକୁ ଭୁଲି ନାହାନ୍ତି। ୮୩ ବିଶ୍ବକପର ଅନେକ ଅଭୁଲା ମୁହୂର୍ତକୁ କପିଳ ଏକ ସାକ୍ଷାତକାର ସମୟରେ ବାଣ୍ଟିଥିଲେ। କପିଳ କହିଛନ୍ତି ଲର୍ଡସ ଗ୍ରାଉଣ୍ଡକୁ ଫାଇନାଲ୍ ଖେଳିବାକୁ ଯିବା ବେଳେ ମୁଁ ମୋ ବ୍ୟାଗରେ ଏକ ସାମ୍ପେନ୍ ବୋତଲ ଲୁଚାଇ ରଖିଥିଲି। ଆତ୍ମବିଶ୍ବାସ ଟିକିଏ କମ୍ ଥିଲା, ହେଲେ କପ୍ ଜିତିବୁ ବୋଲି ଅନ୍ତଃଆତ୍ମାରେ ଭାବନା ଆସୁଥିଲା। ମୁଁ ଅଧିନାୟକ ଥିଲି। ଅଧିନାୟକର ଯଦି ଆତ୍ମବିଶ୍ବାସ ନରହିବ, ତାହାଲେ ଅନ୍ୟ ଖେଳାଳିଙ୍କ ଭିତରେ ଆତ୍ମବିଶ୍ବାସ କେମିତି ଆସିବ? ମୁଁ କହିଥିଲି ଯେ ଆମେ ହାରିଲେ ମଧ୍ୟ ଉତ୍ସବ ପାଳନ କରିବା। ଆମେ ବିଶ୍ବକପ୍ ଜିତିବୁ ବୋଲି ଆୟୋଜକଙ୍କର ବିଶ୍ବାସ ନଥିଲା। ସେଥିପାଇଁ ସେମାନେ ସବୁ ସାମ୍ପେନ୍ ବୋତଲ ୱେଷ୍ଟଇଣ୍ଡିଜ୍ ଡ୍ରେସିଂ ରୁମରେ ରଖିଥିଲେ। ଏଣୁ ବିଜୟ ପରେ ଆମେ ଇଣ୍ଡିଜ୍ ଡ୍ରେସିଂ ରୁମ୍ରେ ପଶି ସାମ୍ପେନ୍ ଆଣିବା ସହ ଉତ୍ସବ ପାଳନ କରିଥିଲୁ। ଏଥିଲାଗି ମୁଁ ଇଣ୍ଡିଜ୍ ଅଧିନାୟକ କ୍ଲାଇଭ୍ ଲୟଡଙ୍କ ଅନୁମତି ନେଇଥିଲି। ସେ ମଧ୍ୟ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କରିଥିଲେ। ଆମ ପାଇଁ ବିଶ୍ବକପ୍ ଜିତିବା ସବୁକିଛି ଥିଲା। ମୋ ଜୀବନର ଏହା ଶ୍ରେଷ୍ଠ ମୁହୂର୍ତ। ମୁଁ ନିଶ୍ଚିତ ଯେ ଆମ ଦଳର ଅନ୍ୟ ୧୩ କ୍ରିକେଟରଙ୍କ ଭାବନା ଏମିତି ହିଁ ଥିବ। ଏହା ଏକ ଚମତ୍କାର ବିଜୟ ଥିଲା। ଆମେ ମ୍ୟାଚ୍ ପରେ ମ୍ୟାଚ୍ ଜିତି ଚାଲିଥିଲୁ। ସେମିଫାଇନାଲ ପରେ କିଛି ଗୋଟାଏ ଭଲ ହେବାକୁ ଯାଉଛି ବୋଲି ବିଶ୍ବାସ ଆସି ଯାଇଥିଲା। ୨୦୧୯ ବିଶ୍ବକପ୍ କଥା କହିଲେ ଇଂଲଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ୍ ଖେଳିବେ। ତା’ ପରେ ସବୁକିଛି ଭାଗ୍ୟ ଉପରେ ନିର୍ଭର କରେ। ଭାରତ ଏକ ସନ୍ତୁଳିତ ଦଳ। ସେମାନେ ଭଲ କରିବା କଥା ବୋଲି କପିଳ ଶେଷରେ କହିଥିଲେ।
ସିଲି ପଏଣ୍ଟ୍: ୮୩ ଫାଇନାଲ୍ ପୂର୍ବରୁ ସାମ୍ପେନ୍ ବୋତଲ ଲୁଚେଇ ରଖିଥିଲି: କପିଳ
/sambad/media/post_attachments/wp-content/uploads/2019/05/kapil-dev.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)