ସିଲି ପଏଣ୍ଟ୍‌: କେୟାଙ୍କ ଆଗରେ ହାରମାନିଲା କର୍କଟ

କୋଲକାତା: ନିଜ ସମୟରେ ସେ ଜଣେ ଆକ୍ରମଣାତ୍ମକ ବ୍ୟାଟର ଭାବେ ପରିଚିତ ଥିଲେ। ସ୍କୋୟାର କଟ୍‌ ଠାରୁ ଆରମ୍ଭ କରି ବିଶାଳ ଛକା ପର୍ଯ୍ୟନ୍ତ ପଡ଼ିଆକୁ ଆସିଲେ ତାଙ୍କ ବ୍ୟାଟ କାଳ ବିଳମ୍ବ ନ କରି ରନ୍‌ ବର୍ଷା କରୁୁଥିଲା। ହେଲେ କ୍ରିକେଟ୍‌ ଛାଡ଼ିବାର ୨୫ ବର୍ଷ ପରେ ସେ ଏମିତି ଏକ ମ୍ୟାଚ୍‌ ଜିତିଲେ ଯାହା ହଜାର ହଜାର କର୍କଟ ରୋଗୀଙ୍କ ପାଇଁ ପ୍ରେରଣା ପାଲଟି ଗଲା। ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟର କେୟା ରାଏ କ୍ରିକେଟ୍‌ ବଲ୍‌କୁ ଯେମିତି ଧୂଲେଇ କରୁଥିଲେ ମରାତ୍ମକ କର୍କଟକୁ ସେମିତି ଛକା ମାରି ନିଜ ଦେହରୁ ଏକାଥରକେ ବାହାରକୁ ଫିଙ୍ଗି ଦେଲେ। ବର୍ଷେ ପର୍ଯ୍ୟନ୍ତ ଲଢ଼ିବା ପରେ ୫୬ ବର୍ଷୀୟା କେୟାଙ୍କୁ ମୁମ୍ବାଇର ଟାଟା ମେଡିକାଲ ସେଣ୍ଟରର ଡାକ୍ତରମାନେ କର୍କଟ ରୋଗ ମୁକ୍ତ ଘୋଷଣା କରିଥିଲେ। ଭାରତୀୟ ବାମହାତୀ କ୍ରିକେଟର ଯୁବରାଜ ସିଂହ ହିଁ ଏହି କ୍ଷେତ୍ରରେ କେୟାଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ। ୨୦୧୧ ବିଶ୍ୱକପ୍‌ ବିଜୟର ନାୟକ ଯୁବରାଜ ଏହି ଅନନ୍ୟ ସଫଳତାର ଠିକ୍‌ ପରେ ପରେ କର୍କଟ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ହେଲେ ଆତ୍ମବିଶ୍ୱାସଭରା ଯୁବି ଏଥିରେ ହାରି ଯାଇ ନଥିଲେ। କର୍କଟ ସହ ଲଢ଼େଇରେ ସେ କେବଳ ବିଜୟୀ ହୋଇ ନଥିଲେ, ପୁଣି ଥରେ ଭାରତୀୟ କ୍ରିକେଟ୍‌ ଦଳକୁ ଫେରି ନିଜ ଯାଦୁ ଦେଖାଇ ପାରିଥିଲେ। କେୟା ମଧ୍ୟ ଠିକ୍‌ ଯୁବିଙ୍କ ଭଳି ଲଢ଼ିଥିଲେ। କର୍କଟକୁ ହରାଇ ପୁଣି ଥରେ ବେଙ୍ଗଲ ମହିଳା କ୍ରିକେଟ୍‌ ଦଳର ଚୟନକର୍ତା ଆସନ ଅଳଙ୍କୃତ କରିଥିଲେ। ୧୯୭୭ ମସିହାରେ ଜାତୀୟ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ଶତକ ହାସଲ କରିବାରେ ସେ ଦେଶର ପ୍ରଥମ ମହିଳା କ୍ରିକେଟର ହୋଇଥିଲେ।

ଚର୍ଚାରେ ଲି’ଙ୍କ ଅଶ୍ଳୀଳ ଭିଡିଓ

କ୍ୱାଲାଲମ୍ପୁର: ମାଲେସିଆର ଲୋକପ୍ରିୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ଲି ଚୋଙ୍ଗ ଓ୍ଵିଙ୍କର ଏକ ନକଲି ସେକ୍ସ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳାଙ୍କୁ ଜଣେ ପୁରୁଷଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବାକୁ ମିଳୁଛି। ପୁରୁଷ ଜଣକଙ୍କର ଶାରିରୀକ ଗଠନ ଲି’ଙ୍କ ସହ ପ୍ରାୟ ମିଶି ଯାଉଛି। ହେଲେ ଭିଡିଓରେ ଥିବା ପୁରୁଷ ଜଣକ ସେ ନୁହନ୍ତି ବୋଲି ଲି’ ଦୃଢ଼ତାର ସହ କହିଛନ୍ତି। ୩୫ ବର୍ଷୀୟ ଲି’ ବିବାହିତ ହୋଇଥିଲା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ଆତ୍ମଜୀବନୀକୁ ନେଇ ଆସନ୍ତାମାସରେ ଲି ଚୋଙ୍ଗ ଓ୍ଵି, ରାଇଜ୍‌ ଅଫ୍‌ ଦି ଲିଜେଣ୍ଡ’ ନାମକ ଏକ ଚଳଚ୍ଚିତ୍ର ପରଦାକୁ ଆସିବାର ଅଛି। ଏହା ପୂର୍ବରୁ ଏହି ଅଶ୍ଳୀଳ ଭିଡିଓ ବିବାଦ ଲି’ଙ୍କ ଭାବମୂର୍ତିକୁ ବେଶ୍‌ କ୍ଷୁଣ୍ଣ କରିଛି। ତେବେ ସେହି ଭିଡିଓରେ ସେ ଥିବା ଖବରକୁ ଲି’ ଖଣ୍ଡନ କରି ଲି’ କହିଛନ୍ତି ମୋତେ ବଦନାମ କରିବାକୁ ଏଭଳି ଏକ ଭିଡିଓ ବଜାରକୁ ଛଡ଼ା ଯାଇଛି। ଏପରିକି ଏହା ବିରୋଧରେ ସେ କ୍ୱାଲାଲାମ୍ପୁର ପୁଲିସ୍‌ ନିକଟରେ ଏକ ମାମଲା ମଧ୍ୟ ଦାୟର କରିଛନ୍ତି। ତାଙ୍କ ଏତଲାକୁ ଗ୍ରହଣ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ଲି’ଙ୍କୁ ମାଲେସିଆର ବ୍ୟାଡ୍‌ମିଣ୍ଟନ୍‌ର କିମ୍ବଦନ୍ତୀ ପୁରୁଷର ମାନ୍ୟତା ମିଳଥିଲା ବେଳେ ସେ ତିନିଟି ଅଲିମ୍ପିକ୍ସ ରୌପ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର