ସିଲି ପଏଣ୍ଟ୍‌: ଆଶ୍ରିତାଙ୍କୁ ବାହା ହେବେ ମନୀଷ

ମୁମ୍ବାଇ: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ମନୀଷ ପାଣ୍ଡେ ନୂଆ ଜୀବନ ଆରମ୍ଭ କରିବା ପାଇଁ କ୍ଷେତ୍ରପ୍ରସ୍ତୁତ କରିଛନ୍ତି। ଏନେଇ ସେ ତାଙ୍କ ଜୀବନସାଥୀ ମଧ୍ୟ ଖୋ‌ଜି ପାଇଯାଇଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ସେ ଡିସେମ୍ବର ୨ ତାରିଖରେ ବିବାହ କରିବେ। ଏହି ବିବାହ କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହେବ। ୩୦ ବର୍ଷ ବୟସ୍କ ମନୀଷ ପାଣ୍ଡେ ଏବେ କର୍ଣ୍ଣାଟକ ଦଳର ଅଧିନାୟକ ରହିଛନ୍ତି ଏବଂ ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି। ଉଭୟ ଆଶ୍ରିତା ଓ ମନୀଷଙ୍କ ମଧ୍ୟରେ ପ୍ରେମ ସଂପର୍କ ନେଇ ବହୁ ଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ହେଲେ ଏବେ ବାସ୍ତବ ରୂପ ନେଇଛି। ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମନୀଷଙ୍କ ସଂପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କାର୍ଯ୍ୟ ଦୁଇ ଦିନ ଧରି ସଂପନ୍ନ ହେବ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହାତଗଣତି କିଛି ଖେଳାଳି ଉପସ୍ଥିତ ରହିବାର ସମ୍ଭାବନା ରହିଛି। କାରଣ ସେହି ସମୟରେ ଭାରତୀୟ ଦଳ ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାରେ ବ୍ୟସ୍ତ ଥିବ ବୋଲି ମନୀଷ କହିଛନ୍ତି।

ଅନ୍ୟପକ୍ଷରେ ଆଶ୍ରିତା ଦକ୍ଷିଣ ଭାରତ ଚଳଚିତ୍ର ଦୁନିଆରେ ବେଶ୍‌ ଜଣାଶୁଣା ନାମ। ଏହି ୨୬ ବର୍ଷ ବୟସ୍କା ଅଭିନେତ୍ରୀ ପୂର୍ବରୁ ଏକାଧିକ ବଡ଼ ବଡ଼ ଚଳଚିତ୍ର (ଇନ୍ଦ୍ରଜିତ, ଓରୁ କାନିୟୁମ୍‌ ମୁନୁ କାଲାଭାନିକାଲୁମ, ଉଦୟମ୍‌ ଏନ୍‌ଏଚ୍‌୪)ରେ ଅଭିନୟ କରିଛନ୍ତି। ଏବେ ସେ ଆର୍ ପନିରସେଲ୍‌ଭମ୍‌ଙ୍କ ନିର୍ଦେଶନାରେ ଆଗାମୀ ଚଳଚିତ୍ରରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ।

ସମ୍ବନ୍ଧିତ ଖବର