ସଚିନଙ୍କ ବନ୍ୟପ୍ରାଣୀ ପ୍ରୀତି
ରବିବାର ଭାରତୀୟ କ୍ରିକେଟ୍ ଦୁନିଆ ପ୍ରଥମ ବିଶ୍ବକପ୍‌ ବିଜୟକୁ ୪୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ସଚିନ ତେନ୍ଦୁଲକର କେନିଆରେ ପରିବାର ସହିତ ଛୁଟି କାଟୁଛନ୍ତି। ରବିବାର ଏହି ଆଫ୍ରିକୀୟ ଦେଶର ଜାତୀୟ ସଂରକ୍ଷିତ ଚିଡ଼ିଆଖାନା ମସାଇ ମାରାରେ ସମୟ କାଟିଥିଲେ। ସେଠାକାର କିଛି ଫଟୋ ଛାଡ଼ି ସଚିନ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ ଲେଖିଛନ୍ତି ‘ବସ୍ତୁତଃ ଜଙ୍ଗଲୀ ପାଲଟିଛି..’। ସୂଚନାଯୋଗ୍ୟ, ମସାଇ ମାରା ବିଶ୍ବର ଅନ୍ୟତମ ଲୋକପ୍ରିୟ ସଫାରୀ କେନ୍ଦ୍ର। ଏଠାରେ ସିଂହ, ଚିତା ଓ ଆଫ୍ରିକୀୟ ହସ୍ତୀଙ୍କ ସଂଖ୍ୟା ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ।

Advertisment

ରେସ୍‌ କୋର୍ସରେ ଶାସ୍ତ୍ରୀ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଘୋଡ଼ା ଦୌଡ଼ର ଜଣେ ବଡ଼ ପ୍ରଶଂସକ। ଗ୍ରେଟ୍ ବ୍ରିଟେନ୍‌ ଗସ୍ତରେ ଥିବା ଶାସ୍ତ୍ରୀ ଏବେ ସେଠାକାର ବିଖ୍ୟାତ ଘୋଡ଼ା ଦୌଡ଼ ପ୍ରତିଯୋଗିତା ‘ରୟାଲ ଆସ୍କଟ’ ଦେଖିବାକୁ ଭୁଲି ନାହାନ୍ତି। ରୟାଲ ଆସ୍କଟ୍‌ରେ ଏହି ପରମ୍ପରାକୁ ଉପଭୋଗ କରୁ୍ଥିବାବେଳେ ରେସିଂରୁ ଅବସର ନେଇଥିବା ଜଣାଶୁଣା ବ୍ରିଟିସ୍ ଜକି ଫ୍ରାଙ୍କି ଡିଟୋରିଙ୍କୁ ମଧ୍ୟ ଭେଟି ତାଙ୍କ ସହ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ପୃ୍ଷ୍ଠାରେ ଛାଡ଼ିଛନ୍ତି। ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସର ଜଣେ ବଡ଼ ପ୍ରଶଂସକ ଭାବେ ଶାସ୍ତ୍ରୀ କିଛି ବର୍ଷ ତଳେ ନିଜ ସ୍ବର୍ଗତ ପିତା ଡକ୍ଟର ଏମ ଜୟରଥ ଶାସ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ‌ରେସ୍‌ହର୍ସର ଅଂଶଧନ କିଣିଥିଲେ।