ଜୋହାନେସବର୍ଗ: ଦୌଡ଼କୁଦ ଜଗତରେ ନିଜ ଯାଦୁ ଦେଖାଇ ସାରିବା ପରେ ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟା ଫୁଟ୍ବଲ୍କୁ ପେସା କରିବାକୁ ମନ ବଳାଇଛନ୍ତି। ଏଥିଲାଗି ସେ ବିଧିବଦ୍ଧ ଭାବେ ଦକ୍ଷିଣ ଆଫ୍ରିକାର ମହିଳା ଫୁଟ୍ବଲ୍ କ୍ଲବ୍ ଜେଭିଡବ୍ଲ୍ୟୁ ଏଫ୍ସିରେ ଯୋଗ ଦେଇଛନ୍ତି। ସବୁକିଛି ଠିକ୍ ରହିଲେ ଆସନ୍ତାବର୍ଷ ସିମେନ୍ୟା ଜେଭିଡବ୍ଲ୍ୟୁ ଏଫ୍ସି ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିବେ। ଦକ୍ଷିଣ ଆଫ୍ରିକା ମହିଳା ଫୁଟବଲ୍ ଦଳର ଅଧିନାୟିକା ଜାନି ଭାନ୍ ୱିକ୍ ହେଉଛନ୍ତି ଜେଭିଡବ୍ଲ୍ୟୁ ଏଫ୍ସି କ୍ଲବ୍ର ମାଲିକାଣୀ। ସିମେନ୍ୟା ତାଙ୍କ କ୍ଲବରେ ଯୋଗଦେବା ନେଇ ବ୍ୟକ୍ତିଗତ ଭାବେ ସେ ବହୁତ ଉତ୍ସାହିତ ଥିବା ୱିକ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସିମେନ୍ୟାଙ୍କ ପୂର୍ବରୁ ଜାମାଇକାର କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ ମଧ୍ୟ ଫୁଟବଲ୍ ଦୁନିଆରେ ପାଦ ଥାପିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ ସିମେନ୍ୟାଙ୍କ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଥିବାରୁ ବିଶ୍ବ କ୍ରୀଡ଼ାର ସର୍ବୋଚ୍ଚ ଅଦାଲତ ‘କାସ୍’ ସେ ୮୦୦ କିମ୍ବା ୧୫୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ରାୟ ଦେଇଥିଲା। ଏହି ଦୁଇଟି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ତାଙ୍କୁ ନିଜ ଶରୀରର ପୁରୁଷ ହର୍ମୋନ ମାତ୍ରା କମାଇବାକୁ ପଡ଼ିବ ବୋଲି ‘କାସ୍’ କହିଥିଲା। ଫଳରେ ଦୁଇ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ସିମେନ୍ୟା କାତାରରେ ଚଳିତ ମାସରେ ଖେଳାଯିବାକୁ ଥିବା ବିଶ୍ବ ପ୍ରତିଯୋଗିତାର ୮୦୦ ମିଟରରେ ଅଂଶଗ୍ରହଣ କରିପାରିବେ ନାହିଁ। ସେଥିପାଇଁ ସେ ଫୁଟ୍ବଲ୍କୁ ବିକଳ୍ପ ପେସା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ‘କାସ୍’ ନିଷ୍ପତ୍ତି ବିରୋଧରେ ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ସିମେନ୍ୟା ସଙ୍କେତ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp