ଚାଇନା ବ୍ରାଣ୍ଡ୍‌ ସହ ଶ୍ରୀକାନ୍ତଙ୍କ ୩୫ କୋଟିର ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ ସୋମବାର ଚାଇନା ବ୍ରାଣ୍ଡ୍‌ ଲି-ନିଙ୍ଗ୍‌ ସହ ‌୩୫ କୋଟି ଟଙ୍କାର ଚୁକ୍ତି କରିଛନ୍ତି। ବିଶ୍ବର ପୂର୍ବତନ ଶୀର୍ଷ ମାନ୍ୟତା ଏବଂ ପ୍ରଥମ ଭାରତୀୟ ଭାବେ ୬ ସୁପର ସିରିଜ୍‌ ପ୍ରତିଯୋଗିତା ଜିତିଥିବା ଏହି ତାରକାଙ୍କୁ ଚୀନ୍‌ର ପ୍ରାୟୋଜକ ଓ ଖେଳ ସାମଗ୍ରୀ ଯୋଗାଉଥିବା ଲି-ନିଙ୍ଗ୍‌ କମ୍ପାନି ୪ ବର୍ଷ ଲାଗି ଚୁକ୍ତି କରିଥିବା ନେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି। ଏହି କମ୍ପାନି ଚୀନ୍‌, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ବ୍ୟାଡ୍‌ମିଣ୍ଟନ୍‌ ଦଳ ସହ ଜାକର୍ତା ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ପ୍ରାୟୋଜକ ଥିଲା। କମ୍ପାନି ମଧ୍ୟ ପ୍ରାୟୋଜକ ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତୀୟ ଦଳ ସହ ଚୁକ୍ତି କରିଛି। ଶ୍ରୀକାନ୍ତ ବିଶ୍ବର ଜଣେ ଶ୍ରେ‌ଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି। ଲି-ନିଙ୍ଗ୍‌ କମ୍ପାନି ତାଙ୍କୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲା। ଆମ ସହଯୋଗରେ ଶ୍ରୀକାନ୍ତ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ଭାରତରେ ଲି-ନିଙ୍ଗ୍‌ର ବ୍ୟବସାୟୀ ସହଯୋଗୀ ଥିବା ସନ୍‌ଲାଇଟ୍‌ ସ୍ପୋର୍ଟ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ମହେନ୍ଦର କାପୁର। ମୁଁ ଲି-ନିଙ୍ଗ ସହ ଚୁକ୍ତି କରି ବହୁତ ଖୁସି। ଏହାର ସାମଗ୍ରୀକୁ ମୁଁ ପସନ୍ଦ କରେ, ଏବେ ଏହି କମ୍ପାନିର ସାମଗ୍ରୀ ସହ କୋର୍ଟକୁ ଓହ୍ଲାଇବି ବୋଲି କହିଛନ୍ତି ଶ୍ରୀକାନ୍ତ।

ସମ୍ବନ୍ଧିତ ଖବର