ଚାମ୍ପିଅନ୍‌ସ ଲିଗ୍‌ ଫାଇନାଲ୍‌ରେ ଲିଭରପୁଲ୍‌

ଲଣ୍ଡନ: ଲିଭରପୁଲ୍‌ ଦଳ ୟୁଇଏଫ୍‌ଏ ଚାମ୍ପିଅନ୍‌ସ ଲିଗ୍‌ ଇତିହାସରେ ଅନ୍ୟତମ ବଡ଼ ପ୍ରତ୍ୟାବର୍ତନ ଦଳ ଭାବେ ଉଭା ହୋଇଛି। ଏହି ଲିଗ୍‌ର ଦୁଇ ଚରଣ ବିଶିଷ୍ଟ ସେମିଫାଇନାଲ୍‌ର ପ୍ରଥମ ମୁକାବିଲାରେ ଲିଭରପୁଲ୍‌ ୦-୩ ଗୋଲ୍‌ରେ ବାର୍ସିଲୋନା ନିକଟରୁ ହାରିଯାଇଥିଲା। ହେଲେ ଦ୍ବିତୀୟ ତଥା ଅନ୍ତିମ ଚରଣରେ ଚମତ୍କାର ପ୍ରତ୍ୟାବର୍ତନ କରି ଲିଭରପୁଲ୍ ୪-୦ ଗୋଲ୍‌ରେ ବାର୍ସିଲୋନାକୁ ପରାସ୍ତ କରି ମଧୁର ପ୍ରତିଶୋଧ ନେଇଗଲା। ଆଉ ଏହି ପ୍ରତିଶୋଧପୂର୍ଣ୍ଣ ବିଜୟ ସହ ଲିଭରପୁଲ୍‌ ଉଭୟ ଚରଣକୁ ମିଶାଇ ୪-୩ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ଫାଇନାଲ୍‌ ସ୍ଥାନ ପକ୍କା କରିନେଲା। ଆହତ ଷ୍ଟ୍ରାଇକର୍‌ ମହମ୍ମଦ ସଲାହ ଓ ରବର୍ଟୋ ଫିର୍‌ମିନୋଙ୍କ ଅନୁପସ୍ଥିତି ସତ୍ତ୍ବେ ଲିଭରପୁଲ୍‌ ମ୍ୟାଚ୍‌ର ସପ୍ତମ ମିନିଟ୍‌‌ରେ ହିଁ ଗୋଲ୍‌ କରି ଆଗେଇ ଯାଇଥିଲା। ଜୋର୍ଡି ଆଲ୍‌ବାଙ୍କ ଏକ ଶକ୍ତିହୀନ ହେଡର୍‌ ବଲ୍‌ ଜୋର୍ଡାନ୍‌ ହେଣ୍ଡରସନ୍‌ଙ୍କ ପାଦ ପାଖରେ ପଡ଼ିଥିଲା। ଯାହାକୁ କୌଣସି ତ୍ରୁଟି ନକରି ହେଣ୍ଡରସନ୍‌ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ୍‌କୁ ପଠାଇ ଲିଭରପୁଲ୍‌କୁ ୧-୦ର ଅଗ୍ରଣୀ ଦେଇଥିଲେ। ବାର୍ସିଲୋନା ଗୋଲ୍‌ରକ୍ଷକ ମାର୍କ ଆନ୍ଦ୍ରେ ଏହାକୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ଏହାପରେ ୫୪ ମିନିଟ୍‌ରେ ଆଲେକ୍‌ଜାଣ୍ଡର ଆର୍ନୋଲ୍‌ଡଙ୍କ ଏକ ତଳୁଆ କ୍ରସ୍‌ ପାସ୍‌କୁ ନିୟଂତ୍ରଣକୁ ନେଇ ମିଡ୍‌ଫିଲ୍‌ଡର ଜର୍ଜିନୋ ୱିନାଲ୍‌ଦୁମ୍‌ ଦଳ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ। ଏଥି ସହିତ ଲିଭରପୁଲ୍‌ ସ୍ଥିତି ୨-୦ ହୋଇଥିଲା। ଏହାର ଦୁଇ ମିନିଟ୍‌ ପରେ ୱିନାଲ୍‌ଦୁମ୍‌ ଚମତ୍କାର ହେଡର୍‌ ଜରିଆରେ ଆଉ ଏକ ଗୋଲ୍‌ କରି ଉଭୟ ଦଳ ମଧ୍ୟରେ ମୋଟ ସ୍ଥିତି ୩-୩ (ଉଭୟ ଚରଣକୁ ମିଶାଇ) କରିବା ପରେ ଲିଭରପୁଲ୍‌ ଆଶ୍ବସ୍ତ ହୋଇଥିଲା। ଶେଷରେ ମ୍ୟାଚ୍‌ ଶେଷ ହେବାକୁ ୧୦ ମିନିଟ୍‌ ଥିଲା ବେଳେ ଆଲେକ୍‌ଜାଣ୍ଡର ଆର୍ନୋଲ୍‌ଡ କର୍ନରରୁ ଦ୍ରୁତ ଗତିରେ ବଲ୍‌କୁ ମାରି ଲିଭରପୁଲ୍‌ ପାଇଁ ଚତୁର୍ଥ ତଥା ବିଜୟ ସୂଚକ ଗୋଲ୍‌ କରି ବାର୍ସିଲୋନା ଆଶା ମଉଳାଇ ଦେଇଥିଲେ। ବାର୍ସିଲୋନା ଅଧିନାୟକ ଲିଓନେଲ୍‌ ମେସି ଗୋଲ୍‌ ବ୍ୟବଧାନ କମାଇବାକୁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଲିଭରପୁଲ୍‌ ରକ୍ଷଣଭାଗ ଭଦେ କରିବାରେ ସମର୍ଥ ହୋଇନଥିଲେ। ଆଜାକ୍ସ ଆମ୍‌ଷ୍ଟର୍‌ଡାମ୍‌ ଏବଂ ଟଟେନ୍‌ହାମ୍‌ ହଟ୍‌ସ୍ପର୍‌ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ୍‌ର ବିଜେତା ଦଳକୁ ଲିଭରପୁଲ୍‌ ଫାଇନାଲ୍‌ରେ ଭେଟିବ। ୨୦୦୯ ପରେ ଲିଭରପୁଲ୍‌ ପ୍ରଥମ ଇଂଲିସ୍‌ ଦଳ ଭାବେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଏହି ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କରିଛି। ପୂର୍ବରୁ ଇଂଲିସ୍‌ ଦଳ ଭାବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨୦୦୮ ଓ ୨୦୦୯ରେ ଲଗାତାର ଭାବେ ଫାଇନାଲ୍‌ ଖେଳିଥିଲା। ଏଥର ଫାଇନାଲ୍‌ରେ ବିଜୟୀ ହେଲେ ଲିଭରପୁଲ୍‌ ଷଷ୍ଠ ଥର ପାଇଁ ଚାମ୍ପିଅନ୍‌ସ ଲିଗ୍‌ ଟ୍ରଫି ତୋଳିଧରିବ।

ସମ୍ବନ୍ଧିତ ଖବର