ସି.କେ. ନାୟୁଡୁ ଟ୍ରଫି:ଦ୍ୱିତୀୟ ପାଳିରେ ଓଡ଼ିଶା ଲଢ଼ିଲା

ଭୁବନେଶ୍ୱର,: ଇନ୍ଦୋରରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ସିକେ ନାୟୁଡୁ ଟ୍ରଫି (୨୩ ବର୍ଷରୁ କମ୍‌) ପ୍ରତିଯୋଗିତାରେ ପ୍ରଥମ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡ଼ିଶା ଦ୍ୱିତୀୟ ପାଳିରେ ଲଢ଼ୁଆ ପ୍ରଦର୍ଶନ କରି ପରାଜୟ ଏଡ଼ାଇବା ସମ୍ଭାବନା ସୃଷ୍ଟି କରିଛି। ପ୍ରଥମ ପାଳିରେ ୨୨୬ ରନ୍‌ ପଛରେ ଥିବା ଓଡ଼ିଶା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍‌ରେ ୨୫୧ ରନ୍‌ ସଂଗ୍ରହ କରି ହାତରେ ୬ ଓ୍ଵିକେଟ୍‌ ଥାଇ ମାତ୍ର ୨୫ ରନ୍‌ରେ ଆଗ୍ରଣୀ ରହିଛି।

ଓଡ଼ିଶାର ରଣଜୀ ଅଭିଜ୍ଞ ପ୍ରାରମ୍ଭିକ ଯୋଡ଼ି ରାଜେଶ ଧୂପର (୪୬, ୧୩୭ ବଲ୍‌) ଏବଂ ସନ୍ଦୀପ ପଟ୍ଟନାୟକ (୪୫, ୬୭ ବଲ୍‌) ୮୧ ରନ୍‌ ଉଠାଇଥିଲେ। ଉଭୟ କିନ୍ତୁ ନିଜ ନିଜ ଅର୍ଧଶତକ ହରାଇଥିଲେ। ଶୀର୍ଷକ୍ରମରେ ଅବିନାଶ ନାୟକ (୫) ଏବଂ ଦେବାଶିଷ ସାମନ୍ତରାୟ (୩୬)ଙ୍କ ଓ୍ଵିକେଟ୍‌ ପତନ ପରେ ତୃତୀୟ ଦିନ ଖେଳ ଶେଷ ବେଳକୁ ଶୁଭ୍ରାଂଶୁ ସେନାପତି (୬୬*, ୧୩୪ ବଲ୍‌) ଏବଂ ଦେବେନ୍ଦ୍ର କଅଁର (୪୪*, ୯୭ ବଲ୍‌) ୮୯* ରନ୍‌ର ଭାଗୀଦାରି କରି ଦଳକୁ ଅନ୍ୟୁନ ଗୋଟିଏ ପଏଣ୍ଟ୍‌ ଦେବା ସମ୍ଭାବନା କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ପ୍ରଥମ ପାଳିରେ ଓଡ଼ିଶା ୧୭୩ ରନ୍‌ କରିଥିବାବେଳେ ଘରୋଇ ମଧ୍ୟପ୍ରଦେଶ ୩୯୯ ରନ୍‌ କରି ବଡ଼ ଅଗ୍ରଣୀ ନେଇଥିଲା।

ସମ୍ବନ୍ଧିତ ଖବର