ସମ୍ବଲପୁର: ଦ୍ୱିତୀୟ ପାଳିରେ ଲଢ଼ୁଆ ବ୍ୟାଟିଂ କରି ଓଡ଼ିଶା ପରାଜୟକୁ ଏଡ଼ାଇ ଦେଇଛି। ହେଲେ ଲଗାତାର ତୃତୀୟ ମ୍ୟାଚ୍ରେ ପ୍ରଥମ ପାଳି ପଛୁଆ କାରଣରୁ ପୁଣି ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଭିଏସ୍ଏସ୍ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍ କର୍ନେଲ୍ ସିକେ ନାୟୁଡୁ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍ରେ ଘରୋଇ ଓଡ଼ିଶା ଦଳ ଦ୍ୱିତୀୟ ପାଳିରେ ୧୩୮.୧ ଓଭର୍ ଖେଳି ୫ ଓ୍ଵିକେଟ୍ ହରାଇ ୩୬୮ ରନ୍ କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅମ୍ରିତ ଖଟୁଆ ୧୫୦* ରନ୍ର ଚମତ୍କାର ପାଳି ଖେଳି ଘରୋଇ ଦଳକୁ ସଂକଟରୁ ଉଦ୍ଧାର କରିଛନ୍ତି। ପୂର୍ବ ଦିନ ରାଜେଶ ଧୁପର (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ଶେଷ ଦିନରେ ଦେବାଶିଷ ସାମନ୍ତରାୟ (୭୮) ଏବଂ ଦେବେନ୍ଦ୍ର କୁଅଁର (୫୦) ଅମ୍ରିତଙ୍କ ସହ ଭାଗୀଦାରି ଗଢ଼ିଥିଲେ। ଅମ୍ରିତ ଦ୍ୱିତୀୟ ପାଳିରେ ଦୁଇଦିନ ଧରି ୯ ଘଣ୍ଟା କାଳ ବ୍ୟାଟିଂ କରି ୩୮୫ ବଲ୍ ଖେଳି ୨୩ ଚୌକା ବଳରେ ୧୫୦ ରନ୍ରେ ଅପରାଜିତ ରହିଥିଲେ। ତାଙ୍କ ବ୍ୟାଟିଂ ବଳରେ ପ୍ରଥମ ପାଳିରେ ୨୩୩ ରନ୍ ପଛୁଆ ଥିବା ଘରୋଇ ଓଡ଼ିଶା ଶେଷ ଦିନ ତୃତୀୟ ଅଧିବେଶନ ସୁଦ୍ଧା ୫ ଓ୍ଵିକେଟ୍ ହାତରେ ଥାଇ ୧୩୫ ରନ୍ରେ ଆଗୁଆ ହୋଇଥିଲା। ମ୍ୟାଚ୍ ଫଳାଫଳ ବାହାରିବାର ସମ୍ଭାବନା ଶେଷ ହୋଇ ଯିବାରୁ ଦିନ ୩ଟାରେ ଦୁଇ ଅଧିନାୟକଙ୍କ ସହମତି କ୍ରମେ ରେଫରି ମ୍ୟାଚ୍ ଅମୀମାଂସିତ ଘୋଷଣା କରିଥିଲେ। ପ୍ରଥମ ପାଳି ଆଗୁଆ ଭିତ୍ତିରେ ଉତ୍ତର ପ୍ରଦେଶକୁ ୩ ପଏଣ୍ଟ ମିଳିଥିଲା। ୩ ମ୍ୟାଚ୍ରୁ ୩ ପଏଣ୍ଟ ପାଇ ଓଡ଼ିଶା ପ୍ଲେଟ୍ ଗ୍ରୁପ୍ ‘ବି’ ପଏଣ୍ଟ ତାଲିକାର ସବା ତଳେ ରହିଛି।
ତୃତୀୟ ଦିନର ସ୍କୋର ୧୨୨/୨ରୁ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶାକୁ ରବିବାର ଶେଷ ଦିନରେ ପାଳି ପରାଜୟ ଏଡ଼ାଇବାକୁ ଆହୁରି ୧୧୧ ରନ୍ ଆବଶ୍ୟକ ଥିଲା। ତେବେ ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଅମ୍ରିତ ଏବଂ ଦେବାଶିଷ ଲଢ଼ୁଆ ବ୍ୟାଟିଂ କରି ଭୋଜନ ବିରତି ସୁଦ୍ଧା ଦଳକୁ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ତୃତୀୟ ଓ୍ଵିକେଟ୍ରେ ସେମାନେ ୧୨୧ ରନ୍ ଯୋଡ଼ିଥିଲେ। ଦୋବଶିଷ ୧୨୩ ବଲ୍ରୁ ୧୨ ଚୌକା, ୨ ଛକା ବଳରେ ୭୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଆସିଥିବା ବିଶ୍ୱଜିତ ଭୂୟାଁ (୫) ଦ୍ୱିତୀୟ ପାଳିରେ ବି ବିଫଳ ହୋଇଥିଲେ। ହେଲେ ଅମ୍ରିତ ଅବିଚଳିତଭାବେ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଚା’ପାନ ବିରତି ସୁଦ୍ଧା ଘରୋଇ ଦଳ ୪ ଓ୍ଵିକେଟ୍ ହରାଇ ୩୧୫ ରନ୍ ସଂଗ୍ରହ କରି ୮୨ ରନ୍ରେ ଆଗୁଆ ହୋଇ ସାରିଥିଲା। ଶେଷ ଅଧିବେଶନରେ ଅଧିନାୟକ ଦେବେନ୍ଦ୍ର ୯୦ ବଲ୍ରେ ୭ ଚୌକା, ୧ ଛକା ବଳରେ ୫୦ ରନ୍ ପୂରା କରିବା ପରେ ଲଙ୍ଗ ଅନ୍ରେ ଏକ ଛକା ମାରିବା ପ୍ରୟାସ କରି ବାଉଣ୍ଡାରି ନିକଟରେ ଧରା ପଡ଼ିଥିଲେ। ଅମ୍ରିତ ୧୫୦* ରନ୍ ପୂରା କରିବା ପରେ ମ୍ୟାଚ୍ ଶେଷ ହୋଇଥିଲା। ସର୍ବେଶ୍ୱର ମହାନ୍ତି ୮* ଅପରଜିତ ରହିଥିଲେ। ୟୁପି ପକ୍ଷରୁ ପାର୍ଥ ମିଶ୍ର ୩ ତଥା ଧ୍ରୁବ୍ ପ୍ରତାପ ସିଂହ ଏବଂ ତ୍ରିଶାଲ ତ୍ରିବେଦୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ପ୍ରଥମ ପାଳିରେ ୪ ଓ୍ଵିକେଟ୍ ନେଇଥିବା ୟୁପିର ଷ୍ଟ୍ରାଇକ୍ ବୋଲର୍ ମୋହସିନ ମୁଲତାନ ଖାନ୍ ଜ୍ୱରରେ ପଡ଼ି ଦ୍ୱିତୀୟ ପାଳିରେ ବୋଲିଂ କରି ନପାରିବା ଓଡ଼ିଶା ବ୍ୟାଟ୍ସମ୍ୟାନ୍ଙ୍କୁ ସୁହାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ‘ସମ୍ବାଦ’ ଜୋନ୍-୨ ମହାପ୍ରବନ୍ଧକ ଅରବିନ୍ଦ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମ୍ୟାଚ୍ର ଉଭୟ ପାଳିରେ ମୋଟ ୨୦୯ ରନ୍ କରିଥିବା ଅମ୍ରିତ ଖଟୁଆଙ୍କୁ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରିଥିଲେ।
ହାଇଦ୍ରାବାଦ ବିପକ୍ଷ ଦଳରେ ୪ ପରିବର୍ତନ
କଟକ: ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହାଇଦ୍ରାବାଦ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ୪ଟି ପରିବର୍ତନ କରାଯାଇଛି। ସମ୍ବଲପୁରରେ ଉତ୍ତର ପ୍ରଦେଶ ବିପକ୍ଷ ନିଜର ତୃତୀୟ ମ୍ୟାଚ୍ ଖେଳିଥିବା ଓଡ଼ିଶା ଦଳରୁ ବିଶ୍ୱଜିତ୍ ଭୂୟାଁ, ଅଭିଳାଷ ସେମଓ୍ଵାଲ, ଅଭିଜିତ୍ ଘନ ଓ ପ୍ରୀତ୍ ସିଂହ ଚୌହାନ୍ଙ୍କୁ ବାଦ୍ ଦିଆଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ରାହୁଲ ଚୌଧୁରୀ, ସେକ୍ ସଲମାନ, ସୁବ୍ରତ ସାମଲ ଓ ଶୁଭମ୍ ନାୟକଙ୍କୁ ସାମିଲ କରାଯାଇଛି। ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍ରେ ଖରାପ ପ୍ରଦର୍ଶନ ପାଇଁ ବିଶ୍ୱଜିତ୍, ଅଭିଳାଷ ଓ ଅଭିଜିତ୍ଙ୍କୁ ବାଦ୍ ଦିଆଯାଇଥିଲା ବେଳେ ପ୍ରୀତ୍ ସିଂହ ଚୌହାନ୍ ବୟସ ଜାଲିଆତି ଘଟଣାରେ ଛନ୍ଦି ହୋଇପଡ଼ିଥିବାରୁ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରେ ନଖେଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଶୁଭମ୍ଙ୍କୁ ରାଜ୍ୟ ରଣଜୀ ଦଳରୁ ପୁଣି ଥରେ ୨୩ ବର୍ଷରୁ କମ୍ ଦଳକୁ ଫେରାଇ ଅଣାଯାଇଛି।
ଓଡ଼ିଶା ଦଳ: ଦେବେନ୍ଦ୍ର କୁଅଁର (ଅଧିନାୟକ), ଦେବାଶିଷ ସାମନ୍ତରାୟ, ଅମ୍ରିତ ଖଟୁଆ, ନିର୍ନିମେଶ ଜେନା, ସତ୍ୟଜିତ ସାବତ, ରାଜେଶ ଧୂପର, ସର୍ବେଶ୍ୱର ମହାନ୍ତି, ଦେବବ୍ରତ ପ୍ରଧାନ, ଆଶୁତୋଷ ଦାସ, ଶୁଭମ୍ ନାୟକ, ପପୁ ରଏ, ଅସ୍ମିତ ରାଉତ, ରାହୁଲ ଚୌଧୁରୀ, ସେକ୍ ସଲମାନ, ସୁବ୍ରତ ସାମଲ।