ବଲାଙ୍ଗୀର,: ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫି ମ୍ୟାଚ୍ ଶେଷ ଦିବସରେ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଜମ୍ମୁ କଶ୍ମୀର ଦଳ ୩ ପଏଣ୍ଟ୍ ନେଇ ଯାଇଥିଲା ବେଳେ ଲଢୁଆ ପ୍ରଦର୍ଶନ କରି ପରାଜୟ ଏଡାଇ ପାରିଥିବା ଓଡ଼ିଶା ୧ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛି। ବୁଧବାର ୨୨୨/୨ରୁ ଖେଳିଥିବା ଓଡ଼ିଶା ଗୁରୁବାର ଚତୁର୍ଥ ତଥା ଶେଷ ଦିନ ମ୍ୟାଚ୍ ବଞ୍ଚାଇବା କଷ୍ଟକର ହୋଇଥିଲା। ହେଲେ ଅଧିନାୟକ ସନ୍ଦୀପ ପଟ୍ଟନାୟକ (୫୭), ଅମ୍ରିତ ଖଟୁଆ (ଅପରାଜିତ ୬୬) ଏବଂ ସୌଭାଗ୍ୟ ରଂଜନ ମିଶ୍ର (ଅପରାଜିତ ୮୯)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ଦ୍ବିତୀୟ ପାଳିରେ ୨ ୱିକେଟ୍ ବିନିମୟରେ ୨୪୩ ରନ୍ କରିଥିଲା ବେଳେ ମ୍ୟାଚ୍କୁ ଅମୀମାଂସିତ ରଖିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ଜମ୍ମୁ କଶ୍ମୀର ପକ୍ଷରୁ ଅଭିଶାନ୍ତ ବକ୍ସି ଓ ସାହିଲ ଲୋଟ୍ରା ଉଭୟ ଲେଖାଁଏ ୱିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ଜମ୍ମୁ କଶ୍ମୀର ପ୍ରଥମ ପାଳିକୁ ୬୩୪/୮ରେ ଘୋଷଣା କରିଦେଇଥିଲା ବେଳେ ଓଡ଼ିଶା ପ୍ରଥମ ପାଳିରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ୨୦୬ ରନ୍ କରିଥିଲା। ଜମ୍ମୁ କଶ୍ମୀର ଦଳର ଦ୍ବିଶତକ ହାସଲକାରୀ ସୂର୍ଯ୍ୟାଂଶ ରାଇନାଙ୍କୁ ମ୍ୟାଚ୍ର ଶ୍ରଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ 'ସମ୍ବାଦ'ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂର୍ଯ୍ୟାଂଶଙ୍କୁ ପୁରସ୍କୃତ କରିଥିଲେ। ପୂର୍ବତନ କ୍ରୀଡାବିତ୍ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ଅରୁଣ କୁମାର ନାଏକ, ଶତୃଘ୍ନ ସିଂ, ରାଜେନ୍ଦ୍ର ପୁରୋହିତ, ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ସୁମନ୍ତ ଭୋଇ ଓ ଡ. ପୁଷ୍ପରଂଜନ ମିଶ୍ର, ଏସ୍ଇଏଲଓ ପୃଥ୍ବୀରାଜ ମିଶ୍ର, ଅମ୍ପାୟାର ଏଲ୍ଓ ହେମନ୍ତ ପ୍ରଧାନ, ବିକ୍ରମ ପାତ୍ର ଯୋଗଦେଇଥିଲେ। ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ। ଶେଷରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସିକେନାଇଡୁ ଟ୍ରଫି: ଜମ୍ମୁ କଶ୍ମୀରଠୁ ୧ ପଏଣ୍ଟ୍ ନେଲା ଓଡ଼ିଶା
/sambad/media/post_attachments/wp-content/uploads/2018/12/Untitled-8-21.jpg)